Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ରହୁଥିବା ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ରାମକୃଷ୍ଣ । ଚନ୍ଦନ ଯାତ୍ରା ସମୟରେ ଚାପରେ ବିଜେ ହୁଅନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଦୁଇଟି ଚାପ ନିର୍ମିତ୍ତ ହୋଇଥାଏ ।

୧ . ବଡ଼ଚାପ “ଭଦ୍ରା “ଯେଉଁଥିରେ ରାମକୃଷ୍ଣଙ୍କ ସହତ ପଞ୍ଚୁ ପାଣ୍ଡଵ (ପାଞ୍ଚ ମହାଦେବ )ବିଜେ କରନ୍ତି।
୨ . ସାନ ଚାପ”ନନ୍ଦା “ରେ ଶ୍ରୀମଦନମୋହନ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ବିଜେ କରନ୍ତି।

ଏହି ଉତ୍ସବ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାଲେ ଓ ବାହାର ଚନ୍ଦନ ହିସାବରେ ଧରାଯାଏ। ସେହିପରି ୨୧ ଦିନ ଭିତର ଚନ୍ଦନ ହୁଏ । ଏଥିରେ ଶ୍ରୀମଦନମୋହନ ଓ ରାମକୃଷ୍ଣ ମନ୍ଦିର ଭିତରେ ଥିବା ଜଳକ୍ରୀଡା ମଣ୍ଡପରେ ବିଜେ କରନ୍ତି। ଚନ୍ଦନ ଯାତ୍ରାର ବିଶେଷ ରୀତିନୀତି ଅନ୍ୟ ସମୟରେ ଆଲୋଚନା କରିବା।

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ ସମସ୍ତ ଲୀଳାରେ ଶ୍ରୀମଦନମୋହନ ଅଂଶ ଗ୍ରହଣ କରିଥାନ୍ତି। ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ଆୟୋଜିତ ହେଉଥିବା ଦମନକ ଚୋରି ମହୋତ୍ସବରେ ଶ୍ରୀମଦନମୋହନ ଓ ରାମକୃଷ୍ଣ ଜଗନ୍ନାଥବଲ୍ଳଭ ମଠ ପରିସରକୁ ଯାଇ ଦୟଣା ଚୋରି କରି ଫେରନ୍ତି। ପ୍ରତି ଗୁରୁବାର ଶ୍ରୀମଦନମୋହନ ମା ଲଷ୍ମୀଙ୍କ ମନ୍ଦିରକୁ ବିଜେ କରନ୍ତି ଓ ଏକାନ୍ତ ନୀତି ଅନୁଷ୍ଠିତ ହୁଏ। ପ୍ରତ୍ୟେକ ଉତ୍ସବ ର ସ୍ୱତନ୍ତ୍ର ରୀତିନୀତି ସହ ବର୍ଣ୍ଣନା ବିଭିନ୍ନ ସମୟରେ ସ୍ୱତନ୍ତ୍ର ଭାବେ ଜାଣିବା ଆଗାମୀ ଅଧ୍ୟାୟରେ। ଦକ୍ଷିଣ ଘରେ ରହୁଥିବା ନାରାୟଣ, ଦୋଳ ଗୋବିନ୍ଦ, ବାଡ଼ି ନୃସିଂହ ଇତ୍ୟାଦି ଠାକୁରଙ୍କ ବିଷୟରେ ଆଲୋଚନା କରିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ଉଦ୍ଧବ ଦେଖ ଏ ସଂସାର
ସ୍ଵଭାବେ ତ୍ରିଗୁଣ ବିକାର ।
ଏ ସର୍ବ ମାୟା ନାନା ମତେ
ଆଶ୍ରା ଯେ କରି ଅଛି ତୋତେ ।
ଏ ମାୟା ପ୍ରଳୟେ ନ ଥାଇ
ପୂର୍ବେ ତା କେହି ନ ଜଣାଇ ।
ମଧ୍ୟେ ବିଳସେ ନାନା ରୂପେ
ଜଗନ୍ମହିନୀ ମାୟା କଳ୍ପେ ।
ଏଣୁ ଏ ଆଦି ମଧ୍ୟ ଅନ୍ତ ।
କେବଳ ଜାଣ ମାୟା ମାତ୍ର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.