Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥିତ। ଏହାକୁ କେବଳ ଜନ୍ମବେଦୀ ନୁହେଁ ବିଶେଷ ଭାବରେ ଏହା ଆଡପମଣ୍ଡପ, ଯଜ୍ଞମଣ୍ଡପ, ରାସ ମଣ୍ଡପ, ଜନ୍ମ ମଣ୍ଡପ ଜନକ ପୁରୀ, ନୃସିଂହ କ୍ଷେତ୍ର, ଜନ୍ମ ମହାବେଦୀ, ଅନ୍ତର୍ବେଦୀ, ଓ ଅତି ଆଦରରେ ଗୁଣ୍ଡିଚାବାଡ଼ି ବୋଲି କହିଥାନ୍ତି। ଏହିସବୁ ନାମକରଣ ସହ ଜଡିତ କାହାଣୀଟି ଏହିପରି।

ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚି ପ୍ରଭୁ ନୀଳମାଧବଙ୍କ ସନ୍ଧାନ ପାଇନଥିଲେ। କାରଣ ସେ ସମୟରେ ପ୍ରଭୁ ନୀଳମାଧବ ଅଦୃଶ୍ୟ ହୋଇ ଯାଇଥିଲେ। ଅତ୍ୟନ୍ତ ଦୁଃଖରେ ସେ ନାରଦଙ୍କ ପରାମର୍ଶ ଲୋଡିଲେ ଓ ନାରଦ ଏହି ସ୍ଥାନରେ ଆଦି ନୃସିଂହଙ୍କୁ ସ୍ଥାପନା ପୂର୍ବକ ସହସ୍ର ଅଶ୍ୱମେଧ ଯଜ୍ଞର ପରାମର୍ଶ ଦେଲେ। ଏହି ଯଜ୍ଞ ଶେଷରେ ‘ବ୍ରହ୍ମଦାରୁ “ସମୁଦ୍ରରେ ଆବିର୍ଭାବ ହେଲେ। ତାହାଙ୍କୁ ଅଣାଯାଇ ଏହି ସ୍ଥଳରେ ଏକ ବେଦୀ ଓ ଅସ୍ଥାୟୀ କାରୁଶାଳା ନିର୍ମାଣ କରି ମୂର୍ତ୍ତି ନିର୍ମାଣ ହେଲା। ବିଶ୍ଵକର୍ମା ସ୍ୱୟଂ ଅନନ୍ତ ମହାରଣା ରୂପରେ ଆସି ଏକୋଇଶି ଦିନ ନିବୁଜ କୋଠରୀ ମଧ୍ୟରେ ରହି ବିନା ଖାଦ୍ୟ ପାଣିରେ ନିର୍ମାଣ କାର୍ଯ୍ୟ ଜାରି ରଖିଲେ। କିନ୍ତୁ ପନ୍ଦର ଦିନ ପରେ କାରୁଶlଳାରୁ ଶବ୍ଦ ନଆସିବାରୁ ରାଣୀ ଗୁଣ୍ଡିଚା କବାଟ ଫିଟାଇ ଦିଅନ୍ତେ। ଏହି ଅଦ୍ଭୁତ ଅଧାଗଢା ଦିଅଁଙ୍କୁ ପାଇଲେ। ପୁଣି ଶୂନ୍ୟ ବାଣୀ ହେବାରୁ ଶୋକ ତ୍ୟାଗ କରି ନାରଦଙ୍କ ପରାମର୍ଶରେ ଏହି ଠାରେ ହିଁ ବିଗ୍ରହମାନଙ୍କର ପ୍ରତିଷ୍ଠା ବ୍ରହ୍ମlଙ୍କ ଦ୍ୱାରା କରାଇଲେ। ସ୍କନ୍ଦ ପୁରାଣ କହେ ;

ସର୍ବ ମେରୁ ସମଂ ଦାନଂ ସର୍ବେ ବ୍ୟାସ ସମା ଦ୍ବିଜା, ମହାବେଦ୍ୟାଂ ଗତେ କୃ6ଷ୍ଣ ଯୋଗୋଅୟଂ ଖଳୁ ଦୁର୍ଲଭା
ଅର୍ଦ୍ଧଉଦୟାଦିକା ଯୋଗା ସ୍କନ୍ଦେନ ପରିଭାଷିତଃl, ମହାବେଦ୍ୟାଖ୍ୟ ଯୋଗସ୍ୟ କଳାଂ ନlହ୍ରନ୍ତି ଷୋଡ଼ଶୀମ ।

ଅର୍ଥାତ ମହାବେଦୀରେ ପ୍ରଭୁଙ୍କ ଅବସ୍ଥାନ ଅତ୍ୟନ୍ତ ଦୁର୍ଲଭ ସମୟ। ଏହି ସମୟରେ ଦାନ ମେରୁ ପର୍ବତ ସମ ବିରାଟ ଓ ମହାନ ଅଟେ। ଏଠାରେ ଦ୍ଵିଜଗଣ ବେଦବ୍ୟାସ ସମାନ ପଣ୍ଡିତ ବୋଲlନ୍ତି, ସମସ୍ତ ଶୁଭ ଯୋଗଠାରୁ ଏହା ମହୀୟାନ ଅଟେ। ଏହା ପରେ ଶ୍ରୀମନ୍ଦିର ନିର୍ମାଣ ଇତ୍ୟାଦି ବିଷୟରେ ଜାଣିବା, ଏହି ମହାବେଦୀରେ ଅବସ୍ଥାନ କାଳରେ ଏଠାରେ ନିତ୍ୟରାସ ଚାଲିଥାଏ। ତେଣୁ ଏହା ରାସମଣ୍ଡପ ମଧ୍ୟ ବିବେଚିତ ହୁଏ। ମହାବେଦୀଙ୍କ ମହତ୍ୱ ଓ ଗୁଣ ବର୍ଣ୍ଣନାରେ ପୁଣି ସ୍କନ୍ଦ ପୁରାଣ କହେ :-
ଗୁଣ୍ଡିଚା ମଣ୍ଡପଂ ନାମ ଯତ୍ରାହମଜନଂ ପୁରା, ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦାଭଵେତ. ତସ୍ୟା ପୁଣ୍ୟତମଂ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ। ଅର୍ଥାତ ମୁଁ ଯେଉଁ ଗୁଣ୍ଡିଚା ମଣ୍ଡପରେ ଅବିର୍ଭୁତ ହୋଇଥିଲି, ଯେଉଁ ମହାବେଦୀରେ ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସେଭଳି ପଵିତ୍ରତମ ସ୍ଥାନ ପୃଥିରେ ବିରଳ। ତେଣୁ ସେହିଁ ମହାବେଦୀକୁ ପ୍ରଣାମ କରି କରିବା ଆରାଧନା ଓ ଭାଗବତ ପଠନ ।

ଯେ ଦେଶେ କାଳ ଆଦି ଦ୍ରବ୍ୟ
ବେଦ ବିଚାର ହେ ଉଦ୍ଧବ ।
ଯେ ତହିଁ ଗୁଣ ଦୋଷ ବିଧି
କର୍ମ ସଂକୋଚେ ଏ ପ୍ରସିଦ୍ଧି।
ଯେ ଦେଶେ କୃଷ୍ଣମୃଗ ସାର
ନ ଦେଖି ବିପ୍ର ଭକ୍ତ ନର ।
ସେ ଦେଶେ ପୁଣ୍ୟ ଲେଶ ନାହିଁ
ତହିଁ ରହିବା ନ ଯୋଗାଇ ।

ଜୟ ଜଗନ୍ନାଥ, (ଡ଼. ତ୍ରି. ଉବାଚ )

Comments are closed.