Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ବହୁତ ଦିନ ପରେ କିଏ ଜଣେ ତାକୁ ତା’ କଥା ପଚାରିଛି ,ତା ଭଲ ମନ୍ଦ କଥା ପଚାରିଛି ! ଖୁସିରେ ଆଖି ଦୁଇଟି ଛଳ ଛଳେଇ ଉଠିଲା ଆସ୍ଥାର । କଥା ଦିଆ ନିଆ ଭିତରେ ବଞ୍ଚିବାର ଖିଅ ଟିକକ କେଉଁଠି ନା କେଉଁଠି ଲୁଚିରହି ଥିଲା; ଏକଥା ପ୍ରାଣେ ପ୍ରାଣେ ଅନୁଭବ କରିବାକୁ ଲାଗିଲା ଆସ୍ଥା ଖିଲା ପତ୍ରରେ ଯେମିତି କିଏ ପ୍ରାଣ ସିଞ୍ଚି ଜୀବନ୍ୟାସ ଦେଇଦେଲା । ସବୁ କାମ ସାରି ଅପେକ୍ଷା କରି ରହିଥାଏ କେତେବେଳେ ସ୍ୱପ୍ନିଲ ଫୋନ କରିବେ ଆଉ ସେ ଦିନକ ଯାକର ଭଲ ମନ୍ଦ ସବୁ କହିବ ଆଉ ନିଜକୁ ଉଶ୍ୱାସ କରିବ । ଆସ୍ତେ ଆସ୍ତେ ଅପେକ୍ଷା ବଢ଼ିଲା । ଆଉ ଗୋଟିଏ ବଡ଼ କଥା, ଦୁହେଁ ଶତ ପ୍ରତିଶତ ମର୍ଯ୍ୟାଦାର ସୀମା ଭିତରେ ରହିବା ପାଇଁ ଅଙ୍ଗୀକାର ବଦ୍ଧ ହୋଇଥିଲେ ।

ଏବେ ଖୁସି ଖୁସି ସବୁ କାମ ରୁଣ୍ଡେଇ ପୁଣ୍ଡେଇ ଶୀଘ୍ର ଶୀଘ୍ର କରି ଯାଉଛି ଆସ୍ଥାର । ଆଗ ଅପେକ୍ଷା ଖୁବ୍ ଫୁର୍ତ୍ତି ଆଉ ଭଲ ଦେଖା ଯାଉଛି ସେ । ନିଜକୁ ସଜେଇ ରଖିବାକୁ ଭଲ ପାଉଛି ! ଡ୍ରେସିଂ ଟେବୁଲ ଆଗରେ ନିରିଖେଇ ହଉଛି । ନିଜ ସହିତ ନିଜେ ମନକୁ ମନ କଥା ହଉଛି ,ହସୁଛି ।

ପିଲାଙ୍କର ଯତ୍ନ ଅଧିକ ରୁ ଅଧିକ ନେଇପାରୁଛି । ସମ୍ଭବଙ୍କ ଅଣଦେଖା କିମ୍ବା ତାଙ୍କର କଟୁ କଥାକୁ ଦେହରେ କି ମନରେ ଲଗେଇ ରଖିବା ଦରକାର ବୋଧ କରୁନଥିଲା ଆସ୍ଥା ।

ନର୍ସରୀରୁ ଢ଼େର ସାରା ଫୁଲ ଚାରା ଆଣି ଅଗଣାରେ ଲଗେଇ ,ସେମାନଙ୍କର ଯତ୍ନ ନେଉଛି । ଖୁବ୍ ଅଳ୍ପ ଦିନ ଭିତରେ ବି ସେମାନେ କଢିରୁ ଫୁଲ ହୋଇ ଫୁଟି ଅଗଣାକୁ ମହକେଇ ଦେଲେଣି । ଅଗଣାଟା ଗୋଟେ ସୁନ୍ଦର କୁନି ଫୁଲ ଉପବନ ପାଲଟି ଗଲାଣି । ଆଉ ସେଇ ଉପବନରେ ଆସ୍ଥା ଏବେ କବିତା, ଗପ ଲେଖିବା ମଧ୍ୟ ଆରମ୍ଭ କରି ଦେଲାଣି । କେବଳ କେଇ ପଦ କଥା ଯେ, ମଣିଷ ଜୀବନରେ କୁହୁକ ଭଳି କାମ କରି ପାରେ ସତରେ !

କ୍ରମଶଃ….

Leave A Reply

Your email address will not be published.