Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ମଧ୍ୟରେ ସର୍ବ ପୁରାତନ ଆଶ୍ରମ ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ ମାର୍କଣ୍ଡ ସରୋବର କୂଳରେ ଅବସ୍ଥିତ। ଏହି ସାହିର ନାମ ମଧ୍ୟ ମାର୍କଣ୍ଡେଶ୍ୱର ସାହି। ଏହି ସାହିରେ ବିରାଜମାନ କରିଛନ୍ତି ମାର୍କଣ୍ଡେଶ୍ୱର ମହାଦେବ। ତାଙ୍କରି ମନ୍ଦିର ସହ ସଂଲଗ୍ନ ହୋଇ ରହିଛି ମହର୍ଷି ମାର୍କଣ୍ଡଙ୍କ ଆଶ୍ରମ। ସେ ଋଷି ମୃକଣ୍ଡଙ୍କ ପୁତମନୋହର ମହର୍ଷି ମାର୍କଣ୍ଡଙ୍କ ପତ୍ନୀଙ୍କ ନାମ ଧୁମlବତୀ ଓ ପୁତ୍ରଙ୍କ ନାମ ବେଦଶୀରା। ଏହି ମହର୍ଷିଙ୍କ ବିଷୟରେ ମହାଭାରତ ଓ ମାର୍କଣ୍ଡେୟ ପୁରାଣରେ ଅନେକ ବର୍ଣ୍ଣନା ଅଛି। କିନ୍ତୁ ସ୍କନ୍ଦ ପୁରାଣ ଏହି ସପ୍ତ କଳ୍ପଜୀବି ମହର୍ଷି ମାର୍କଣ୍ଡଙ୍କ ବିଷୟରେ ଏକ ରୋଚକ ତଥ୍ୟ ପ୍ରଦାନ କରେ। ଉପାଖ୍ୟାନଟି ଏହିପରି :

ମହାପ୍ରଳୟ ସମୟରେ ମାର୍କଣ୍ଡ ଋଷି ଭାସିଭାସି ଆସି କଳ୍ପବଟକୁ ଆଶ୍ରୟ କଲେ। ଏହି ସମୟରେ ଶୂନ୍ୟ ବାଣୀ ହେଲା ହେ ମହର୍ଷି ତୁମେ ଭୟ କରନାହିଁ, ଶୋକ ମଧ୍ୟ କର ନାହିଁ, ଏହି କଳ୍ପବଟ ସହ ଏହି କ୍ଷେତ୍ର ଅତ୍ୟନ୍ତ ନିରାପଦ ସ୍ଥାନ, ପ୍ରଳୟ ଜଳରେ ଏହାର ବିନାଶ ହୁଏନି ବରଂ ପ୍ରଳୟ ଜଳରେ ନୌକା ସଦୃଶ୍ୟ ହୋଇ ଭବାଣ୍ଣବ ପାର ହେବାରେ ଏହା ସହାୟକ ହୁଏ। ତୁମେ ଏହି କଳ୍ପ ବଟର ଉର୍ଦ୍ଧ୍ବ ଶାଖାରେ ଥିବା ଏକ ବଟ ପତ୍ରରେ “ବାଳମୁକୁନ୍ଦ “ରୂପ ଧରି ସ୍ୱୟଂ ପରଂବ୍ରହ୍ମ ଅବସ୍ଥାନ କରୁଛନ୍ତି, ତାହାଙ୍କୁ ଦର୍ଶନ କର।

ଏହି ଆଦେଶ ପାଇବା ପରେ ବଟ ବୃକ୍ଷ ଆରୋହଣ ପୂର୍ବକ ମହର୍ଷି ମାର୍କଣ୍ଡ ବଟପତ୍ରରେ ଶାୟିତ ଏକ ଅତୀବ ମନୋହର ବାଳକୃଷ୍ଣଙ୍କ ସ୍ୱରୂପ ଦର୍ଶନ କଲେ। ଯିଏକି ନିଜ ପାଦର ବୃଦ୍ଧାଙ୍ଗୁଳିକୁ ନିଜ ମୁଖରେ ପ୍ରବେଶ କରାଇଛନ୍ତି। ଏହି ଅଦ୍ଭୁତ ରୂପ ଦର୍ଶନ କରି ସ୍ତୁତି କରନ୍ତେ, ପୁନଃ ଶୂନ୍ୟ ବାଣୀ ହେଲା ହେ ମହର୍ଷି ଆପଣ ଏହି ମୁଖ ମଧ୍ୟରେ ପ୍ରବେଶ କରନ୍ତୁ ଓ ପ୍ରଳୟ ଜଳ ପ୍ରଶମିତ ହେବା ପର୍ଯ୍ୟନ୍ତ ସେଇଠାରେ ଅବସ୍ଥାନ କରନ୍ତୁ। ଏହି ଆଦେଶ ପାଇ ସଙ୍ଗେ ସଙ୍ଗେ ମାର୍କଣ୍ଡ ଋଷି ବାଳମୁକୁନ୍ଦଙ୍କ ଗର୍ଭକୁ ଯାଇ ସେଠାରେ ପରଂବ୍ରହ୍ମଙ୍କ ବିଶ୍ଵରୂପ ଦର୍ଶନ କଲେ । କଥିତ ଅଛି ଏହି ବିଶ୍ୱରୂପ ଦର୍ଶନ ମାତ୍ରେ ଋଷି ମାର୍କଣ୍ଡ ଚିରଞ୍ଜୀଵୀ ହୋଇଗଲେ। ଆଗାମୀ ଅଧ୍ୟାୟରେ ଋଷି ମାର୍କଣ୍ଡ କଳ୍ପଜୀବୀ ହେବାର ରହସ୍ୟ ଓ ଏହି କ୍ଷେତ୍ରରେ ଅବସ୍ଥାନ କରିବାର କାହାଣୀ ଜାଣିବା ବର୍ତ୍ତମାନ ଆରାଧାନାର ସମୟ ।

ସଚରାଚରେ ଯେତେ ଜୀବ
ସବୁରି ପ୍ରଭୂ ବାସୁଦେବ ।
ପ୍ରାଣୀ ର କର୍ମ ରଜ୍ଜୁ ଧରି
ସାରଥି ସୂତ୍ର ପ୍ରାୟ କରି ।
ଏମନ୍ତ ବୋଲି ପ୍ରତିଦିନେ
ପ୍ରଭୁଙ୍କୁ ଚିନ୍ତୁ ଥାଇ ମନେ ।
ଛାଡିବା ଓଟାରିବା ଯେହି
କେ ପlରେ ଆନ ମାର୍ଗେ ଯାଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.