Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୩

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଅବସ୍ଥିତ ଚାରି ଆଶ୍ରମ ଭିତରେ ସବୁଠାରୁ ପୁରାତନ ଆଶ୍ରମ ହେଉଛି ମହର୍ଷି ମାର୍କଣ୍ଡଙ୍କ ଆଶ୍ରମ । ଏହି ଆଶ୍ରମର ବିଶେଷତ୍ୱ ହେଲା ଏହା ଈଶ୍ୱର କୃତ ସରୋବର ମାର୍କଣ୍ଡ ସରୋବର ନିକଟରେ ଅବସ୍ଥିତ। ପ୍ରଭୂ ବାଳମୁକୁନ୍ଦଙ୍କ ଗର୍ଭରେ ପ୍ରବେଶ କରି ବିଶ୍ଵରୂପ ଦର୍ଶନ କଲେ । ପ୍ରଭୁଙ୍କ ଗର୍ଭ ମଧ୍ୟରେ ସମଗ୍ର ବ୍ରହ୍ମlଣ୍ଡ ଦର୍ଶନ କରିବା ସମୟରେ ସେ ଅନୁଭବ କଲେ ଶ୍ରୀକ୍ଷେତ୍ର ପରି ପରମ ପାବନ କ୍ଷେତ୍ର ଜଗତେ ବିରଳ। ତେଣୁ ପ୍ରଭୁଙ୍କୁ ଏହି କ୍ଷେତ୍ରରେ ରହିବା ପାଇଁ ଅନୁରୋଧ କଲେ। ତେଣୁ ଏହି ପୁଷ୍କରିଣୀ କୁ ସୃଷ୍ଟି କରାଇ ତାହାରି ତଟରେ ରହିବା ପାଇଁ ମହର୍ଷି ମାର୍କଣ୍ଡଙ୍କୁ କହିଲେ, ସେତେବେଳକୁ ପ୍ରଳୟ ଜଳ ଅପସାରିତ ହୋଇଥିଲା ଏବଂ ମହର୍ଷି ମାର୍କଣ୍ଡ ନିଜ ଆଶ୍ରମ ପ୍ରତିଷ୍ଠା କଲେ।

ଏହା ସତ୍ୟଯୁଗର କଥା ପରି ଅନୁମେୟ ହୁଏ। କାରଣ କୁହାଯାଏ ମହର୍ଷି ମାର୍କଣ୍ଡ ଦ୍ୱାପରରେ ଶରଶଯ୍ୟା ଶାୟିତ ଭୀଷ୍ମ ପିତାମହଙ୍କୁ ସାକ୍ଷାତ କରିଥିଲେ। ଅନ୍ୟ ଏକ କିମ୍ବଦନ୍ତୀ କୁହେ ସ୍ୱୟଂ ଯୁଧିଷ୍ଠିର ନିଜ ଭାଇମାନଙ୍କସହ ଆସି ମହର୍ଷିଙ୍କ ଆଶୀଷ ନେଇ ଥିଲେ। ବର୍ତ୍ତମାନ ଏହି ସରୋବର ତଟରେ ମାର୍କଣ୍ଡେଶ୍ୱର ମହାଦେବ, ସପ୍ତ ମାତୃକା, ଓ ଅନ୍ୟାନ୍ୟ ଦେବlଦେବୀ ମନ୍ଦିର ରହିଛି। ଏହି ମାର୍କଣ୍ଡେଶ୍ୱର ମହାଦେବଙ୍କ ମନ୍ଦିର ଚୂଡ଼ାରେ ତ୍ରିଶୂଳ ପରିବର୍ତ୍ତେ ଚକ୍ର ସ୍ଥାପନ ହୋଇ ଏହି କ୍ଷେତ୍ରରେ ହରିହର ଉପାସନାର ପ୍ରମାଣ ଦିଏ। ଏହି ଆଶ୍ରମ ସହ ଶ୍ରୀମନ୍ଦିରର ସମ୍ପର୍କ ଅତ୍ୟନ୍ତ ନିବିଡ଼। ପୂର୍ବ ବର୍ଣ୍ଣିତ ତିଥିରେ ସୁଦର୍ଶନ ମହାରାଜ, ଚକ୍ରନାରାୟଣ, ବାଡ଼ି ନୃସିଂହ ଓ ପଣ୍ଡୁ ନୃସିଂହ ବିଜେ କରନ୍ତି। ସମସ୍ତ ନୀତି ସହ ଶୀତଳ ମଣୋହି, ପନ୍ତି ଭୋଗ ଓ ବନ୍ଦାପନା ପରେ ଆଶ୍ରମ ପରିକ୍ରମା କରି ଫେରନ୍ତି। ଏହା ଛଡା ମାର୍କଣ୍ଡେଶ୍ୱର ମହାଦେବ ଚନ୍ଦନ ଯାତ୍ରାରେ ଅଂଶ ଗ୍ରହଣ କରିଥାନ୍ତି।

ଶୀତଲଶଷ୍ଠୀରେ ନବବିବାହିତ ପତ୍ନୀଙ୍କ ଶ୍ରୀମନ୍ଦିର ପରିକ୍ରମା କରିଥାନ୍ତି। ସେ ଯାହାହେଉ ଭକ୍ତ ଓ ଭଗବାନଙ୍କ ସମ୍ପର୍କର ଅନନ୍ୟ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ଚାରି ଆଶ୍ରମ। ଯାହାର ସ୍ଥିତି ବିପଦ ଗ୍ରସ୍ଥ ହେଲେ ମଧ୍ୟ ପରମ୍ପରା ଜାଗ୍ରତ ଅଟେ। ଆସନ୍ତୁ କରିବା ଆରାଧନା ।

ମୂଳ ମୋ ଭକତର ଭାବ
ଏ ଦ୍ରବ୍ୟ ମୋର କିସ ହେବ।
ଭକତ ରେଣୁ ମାତ୍ର ଦେଲେ
ତାହା ମୁଁ ମଣେ ମେରୁ ତୁଲେ ।
ତେଣୁ ଟି କହୁଅଛି ତୋତେ
ରୁହ ନାମ ଭଜନେ ଅବିରତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.