Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଆରମ୍ଭ। ବଡ଼ଦାଣ୍ଡରେ ଜାଗା ଜାଗାରେ ଛାମୁଣ୍ଡିଆ ନଡ଼ିଆ ଚାଞ୍ଚ ପକାଇ ଛାଇ କରାଯାଇ ଥାଏ। ଏଥିରେ ବିଭିନ୍ନ ଫଳ ମଧ୍ୟ ଟଙ୍ଗାଯାଇଥlଏ। ମହାପ୍ରଭୁ ଯିବା ସମୟରେ ସ୍ଥାନେ ସ୍ଥାନେ ପନ୍ତି ଭୋଗ ମଧ୍ୟ ହୁଏ। ଶ୍ରୀଜୀଉମାନଙ୍କର ଦ୍ବିପହର ଭୋଗ ପରେ, ଯାତ୍ରା ଭୋଗ କରାଯାଇ ଚଳନ୍ତି ପ୍ରତିମାମାନଙ୍କୁ ବିମାନ ଓ ପାଲିଙ୍କିରେ ବିଜେ କରାଯାଏ । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ଏହି ପାଲିଙ୍କି ଓ ମଣି ବିମାନ ନିର୍ମିତ୍ତ ଛାମୁଣ୍ଡିଆ ତଳେ ବିଶ୍ରାମ ନିଅନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଆଗରୁ ପ୍ରସ୍ତୁତ ହୋଇଥିବା ଦୁଇଟି ଚାପ ନନ୍ଦା ଓ ଭଦ୍ରାରେ ଏହି ଚଳନ୍ତି ପ୍ରତିମା ବିଜେ କରନ୍ତି। ଚୈତ୍ର ପୂର୍ଣ୍ଣିମା ଦିନ ନରେନ୍ଦ୍ର ଜଳରେ ବୁଡ଼ି ରହିଥିବା ପlଞ୍ଚ ଗୋଟି କାଠ ଡ଼ଙ୍ଗାକୁ ଉଦ୍ଧାର କରି ପ୍ରସ୍ତୁତ କରାଯାଏ। ଦୁଇଟି ଲେଖାଏଁ ଡ଼ଙ୍ଗା ଯୋଡି ଗୋଟିଏ ଗୋଟିଏ ଚାପ ପ୍ରସ୍ତୁତ ହୁଏ। ଏହି ଚାପରେ ଚାରୋଟି ଲେଖାଏଁ ଖୁମ୍ବ ଦେଇ ନୂଆ କାନରେ ମଣ୍ଡଣି ହୁଏ। ମଦନମୋହନ ଭୁଦେବୀ, ଶ୍ରୀଦେବୀଙ୍କ ସହ ଧଳା କନାରେ ସଜ୍ଜିତ ହୋଇଥିବା ଚାପରେ ବିଜେ କରନ୍ତି। ରାମକୃଷ୍ଣ, ପାଞ୍ଚ ମହାଦେବଙ୍କ ସହ ରଙ୍ଗ କନାରେ ସଜ୍ଜିତ ଚାପରେ ବିଜେ କରନ୍ତି। ଅନ୍ୟ ଡ଼ଙ୍ଗାରେ ବାଜା ବାଲା ବାଜା ବଜାଇ ଯାଆନ୍ତି। ପ୍ରତିଦିନ ଦିନରେ ଥରେ ଓ ସାନ୍ଧ୍ୟରେ ତିନି ଥର ଚାପରେ ନରେନ୍ଦ୍ର ପରିକ୍ରମା କରନ୍ତି ପୂର୍ବେ ପ୍ରଥମ ଚାପରେ ଦେବଦାସୀ ଓ ଦ୍ଵିତୀୟ ଚାପରେ ଗୋଟି ପୁଅ ନୃତ୍ୟ ହେଉଥିଲା। ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ମନୋରମ ଦୃଶ୍ୟକୁ ଉପଭୋଗ କରନ୍ତି। ଦିବସ ଚାପ ପରେ ଚନ୍ଦନ ମଣ୍ଡପରେ ଠାକୁରମାନେ ଜଳକ୍ରୀଡାରେ ନିମଗ୍ନ ହୁଅନ୍ତି। ଏହି ଜଳ କ୍ରୀଡାର ବିଧି ବିଧାନ ଆଗାମୀ ଅଧ୍ୟlୟରେ ଆଲୋଚନା କରିବା। ପ୍ରତିଦିନ ଶ୍ରୀମନ୍ଦିର ରେ ମଧ୍ୟାହ୍ନ ଭୋଗ ପରେ ଦକ୍ଷିଣ ଭୋଗ ହୋଇ ରାମକୃଷ୍ଣ ଓ ମଦନମୋହନ ସିଂହାସନ କୁ ବିଜେ କରନ୍ତି। ଏଠାରେ ମୂଦିରସ୍ତ ପ୍ରସାଦ ଲାଗି କଲାପରେ, ଶ୍ରୀଜୀଉମାନଙ୍କର ବନ୍ଦାପନା ହୁଏ ଓ ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ କରନ୍ତି। ଏହାପରେ ବିଜେ ପ୍ରତିମାମାନେ ଚନ୍ଦନ ଚକଡାକୁ ଯାତ୍ରା କରନ୍ତି। ଚାପ ପରେ ପୁଣି ଫେରି ଆସି ସିଂହ ଦ୍ୱାରଠାରୁ ପାଞ୍ଚ ମହାଦେବ ନିଜ ନିଜ ମନ୍ଦିରକୁ ଯାଆନ୍ତି। ବିଜେ ପ୍ରତିମାମାନେ ଶ୍ରୀମନ୍ଦିର ବଟ ମୂଳେ ଜଳଲାଗି ପରେ ଶ୍ରୀଦେବୀ ଓ ଭୁଦେବୀ ରତ୍ନସିଂହାସନରେ ଓ ବାକି ପ୍ରତିମା ଦକ୍ଷିଣ ଘରେ ବିଶ୍ରାମ ନିଅନ୍ତି। ଏହି ପ୍ରକ୍ରିୟା ଏକୋଇଶି ଦିନ ଚାଲେ। ବର୍ତ୍ତମାନ ଆରାଧନା ଓ ଭାଗବତପାଠ ।

ପୁରୁଷ ପ୍ରକୃତି ତ୍ରିଗୁଣ
ସଂଯୋଗ ବିଯୋଗ କାରଣ ।
ପୁରୁଷ ବିନା ପ୍ରକୃତିର
ପ୍ରକାଶ ନୁହଇ ଗୋଚର ।
ରବି ବିହୁନେ ଚକ୍ଷୁ ଯେହ୍ନେ
ତେମନ୍ତେ ପୁରୁଷ ବିହୁନେ ।
ରବି ଯେସନେ ସ୍ୱପ୍ରକାଶ
ଉଦ୍ଧବ ତେମନ୍ତ ପୁରୁଷ ।
ପୁରୁଷ ପ୍ରକୃତି ଏ ଭିନ୍ନ
ଏକ ବିହୁନେ ଅନ୍ଧ ଆନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.