ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ମଧ୍ୟରେ ମୂଖ୍ୟ ଆକର୍ଷଣ ଭାବେ ଆମ ଆଗରେ ଉଭା ହୋଇଛନ୍ତି ପ୍ରଭୂ “ପତିତପାବନ “। ନିଜକୁ ପତିତ ସଜାଇ ଆମେମାନେ ଭକ୍ତି ନିବେଦନ କରି ସାରିଛେ। ଆସନ୍ତୁ ତେବେ ଜାଣିବା, କିଛି ଐତିହାସିକ ତଥ୍ୟ।
କେତେକ ଗବେଷକଙ୍କ ମତରେ ଭୋଇ ବଂଶର ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ମୁସଲମାନ ଯୁବତୀ ରେଜିୟାଙ୍କୁ ବିବାହ କରି “ହାପିଜ କଦାର “ରୂପରେ ପରିଚିତ ହୋଇଥିଲେ। ଏହି ରେଜିୟା ତତକାଳୀନ ନାଏବ ନାଜିମ ତକି ଖାଁଙ୍କ ମୁହଁବୋଲି ଭଉଣୀ ବୋଲି ଇତିହାସ କହେ। ଅନ୍ୟ ଏକ ମତ କହେ ରାଜା ରାମଚନ୍ଦ୍ର ଦେବ ମୁସଲମାନ ସେନାଧକ୍ଷ୍ୟ ମୁର୍ଶିଦ କୁଲୀ ଖାଁଙ୍କ କନ୍ୟାକୁ ବିବାହ କରିଥିଲେ। ଖ୍ରୀଷ୍ଟାବ୍ଦ ୧୭୧୭ ରୁ ୧୭୩୭ ମଧ୍ୟରେ ସେସମୟର ରାଜନୀତିକ ପରିସ୍ଥିତି ଓ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ଚିନ୍ତା ରାଜା ରାମଚନ୍ଦ୍ର ଦେବଙ୍କୁ ଏହି ବିବାହ ପାଇଁ ବାଧ୍ୟ କରି ଥିଲା। ସେ ଯାହାହେଉ ରାମଚନ୍ଦ୍ର ଦେବ ମ୍ଳେଛ ଓ ପତିତ ହୋଇ ଯିବାରୁ ମନ୍ଦିରରେ ପ୍ରବେଶ ତାଙ୍କ ପାଇଁ ନିଷିଦ୍ଧ ହୋଇଗଲା। କିନ୍ତୁ ଭକ୍ତ ରାମଚନ୍ଦ୍ର ଦେବଙ୍କ ଆକୁଳ ପାର୍ଥନା ଯୋଗୁ ସିଂହଦ୍ୱାର ଗୁମୁଟ ମଧ୍ୟରେ ଏହି ବିଗ୍ରହ ପ୍ରତିଷ୍ଠା ହୋଇଛି।
ପ୍ରକୃତରେ ଏହା ଦାରୁ ନିର୍ମିତ ବିଗ୍ରହ ନୁହେଁ। ଏହି ପ୍ରତିମା ଝୁଣାର ଏକ ସ୍ୱତନ୍ତ୍ର ଲେପରୁ ପ୍ରସ୍ତୁତ, ତଥା କନା ପଟି ଉପରେ ଏକ ଚିତ୍ର ପ୍ରତିମା ବୋଲି ଜଣାଯାଏ। ଏହି ପ୍ରତିମାଙ୍କ ନାସିକାଟି ଝୁଣା ଲେପ ଦ୍ୱାରା ସାମାନ୍ୟ ଉଚ୍ଚା ହୋଇ ସେହି ଚିତ୍ର ପ୍ରତିମାରେ ସଂଯୋଗ ହୋଇ ଥିବାରୁ ଏହା ଠିକ ବିଗ୍ରହ ପରି ଦୂରରୁ ପ୍ରତିଭାତ ହୁଏ। ତେଣୁ ଏହାଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତୀକାତ୍ମକ ବିଗ୍ରହ ବୋଲି ବିବେଚନା କରାଯାଏ। ପୂର୍ବାଭିମୁଖୀ ଏହି ପ୍ରତିମା ପ୍ରାୟ ତିନି ଫୁଟ ଉଚ୍ଚତା ବିଶିଷ୍ଟ ଅଟନ୍ତି। ପ୍ରାୟ ଚାରି ପୁଟ ଦୈର୍ଘ୍ୟ ଓ ପ୍ରସ୍ଥ ବିଶିଷ୍ଟ ଏକ ମନ୍ଦିର ଆକାର କ୍ଷେତ୍ରରେ ଏହି ପତିତପାବନ କାନ୍ଥ ସହ ସଂଯୁକ୍ତ ହୋଇ ରହିଛନ୍ତି। ଏହାର ସମ୍ପୂର୍ଣ୍ଣ ବିବରଣୀ ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।
କାଳ ସ୍ଵଭାଵ ଯେ ଈଶ୍ୱର
ତ୍ରିଗୁଣୁ ଅଟନ୍ତି ସେ ପର ।
ତାହାର ସର୍ବଶକ୍ତି ଭାବେ
ତା ତହୁଁ ତ୍ରିଗୁଣ ସମ୍ଭବେ ।
ତେଣୁ ଏ ସଂସାରେ ଭକତ
ଯେ ସୂତ୍ର ନାମ ମହତତ୍ତ୍ୱ ।
ଜୟ ଜଗନ୍ନାଥ ( ଦ . ତ୍ରି. ଉବାଚ )
Comments are closed.