ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବାଇଶି ପାହାଚର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଆବାଳ ବୃଦ୍ଧବନିତା ସମସ୍ତେ ଖୋଜନ୍ତି ଏହି ବାଇଶି ପାହାଚର ଇତିହାସ ଓ ତତ୍ତ୍ୱ। ତେଣୁ ଗବେଷକ ଓ ଐତିହାସିକ ମାନେ ମଧ୍ୟ ରଖିଛନ୍ତି ଅନେକ ମତ ଓ ତତ୍ତ୍ୱ। ଭକ୍ତଟିଏ ମଧ୍ୟ ଆତୁରରେ ଗାଏ : –
“ତୋ ଚକା ଆଖିକୁ ଚାହିଁ ରହିଥିବି
ମୋ ଆଖିରୁ ଲୁହ ସରିବା ଯାଏ
ବାଇଶି ପାହାଚେ ପଡି ରହିଥିବି
ତୋ ପରଶ ରେଣୁ ମିଳିବା ଯାଏ ।”
କେବଳ ଭକ୍ତ ବାଇଶି ପାହାଚ ରେ ପଡି ରହିବାର ଇଚ୍ଛା ଜାଗ୍ରତ କରିନି । ଗବେଷକଙ୍କ ମତରେ ଶ୍ରୁତିଯୋଗିନୀ ମାନେ ଏହି ବାଇଶି ପାହାଚରେ ଅଧିଷ୍ଠିତ ହୋଇ ରହିଛନ୍ତି। କୌଣସି ସାକାର ରୂପ ନଧରି କେବଳ ନିରାକାର ରୂପରେ ସେମାନେ ଗୋଟିଏ ଗୋଟିଏ ପାହାଚରେ ଉପସ୍ଥିତ ଅଛନ୍ତି। ସେମାନେ ହେଲେ ତୀବ୍ରା, ମୁକୁନ୍ଦବତୀ, ମନ୍ଦା, ଛନ୍ଦୋବତୀ, ଦୟାବତୀ, ରଞ୍ଜନୀ, ରତିକା, ରୌଦ୍ରା, କ୍ରୋଧା, ବଜ୍ରିକା, ପ୍ରସାରିଣୀ, ପ୍ରୀତି, ମାର୍ଜନୀ, କ୍ଷତି, ରକ୍ତ, ମନ୍ଦୀପନି, ମଦନ୍ତି, ରୋହିଣୀ, ରମ୍ୟା, ଉଗ୍ରା, କ୍ଷୋଭିଣୀ, ଓ ଆଳାପନୀ। ଏହି ଧାରାରେ ଜୈନ୍ୟ ଧର୍ମlବଲମ୍ବୀମାନେ ମଧ୍ୟ ବାଇଶି ପାହାଚରେ ବାଇଶି ତୀର୍ଥଙ୍କର ଅବସ୍ଥାନକୁ କଳ୍ପନା କରିଛନ୍ତି। ଯଥା : – ରୁଷଭଦେବ, ଅଜିତନାଥ, ସମ୍ଭବନାଥ ଅଭିନନ୍ଦନନାଥ, ସୁମତିନାଥ, ପଦ୍ମପ୍ରଭନାଥ, ସୁପାର୍ଶ୍ଵନାଥ, ଚନ୍ଦ୍ରପ୍ରଭ ନାଥ, ସୁବୁଦ୍ଧିନାଥ, ଶୀତଳନାଥ, ଶ୍ରେୟଂlଶନାଥ, ବlସ୍ତୁପୂଜ୍ୟନାଥ, ବିମଳନାଥ, ଅନନ୍ତନାଥ, ଧର୍ମନାଥ, ଶାନ୍ତି ନାଥ, କୁନ୍ତୁନାଥ, ଅମରନାଥ, ମଲ୍ଲୀନାଥ, ମୁନିସୁବ୍ରତନାଥ, ନମିନାଥ ଓ ନେମିନାଥ। ଏସବୁର ତାତ୍ପର୍ଯ୍ୟ ଯାହା ହେଉନା କାହଁକି ବାଇଶି ପାହାଚ ଏକ ପବିତ୍ର ସ୍ଥାନ ଏହା ସମସ୍ତେ ସ୍ୱୀକାର କରିବେ। ପୂର୍ବେ ଏହି ପାହାଚରେ ନିଜ ପଦରେଣୁ ଛିଞ୍ଚିଥିଲେ ଶଙ୍କରାଚାର୍ଯ୍ୟ, ରାମାନୁଜ, ନିମ୍ବ୍ରlକ, ରାମକୃଷ୍ଣ, ବାମକ୍ଷେପା, ତୁଳସୀଦାସ, ଗଣପତି ଭଟ୍ଟ, ବିଷ୍ଣୁସ୍ୱାମୀ, ମାଧ୍ଵlଚାର୍ଯ୍ୟ, ଓଡ଼ିଶାର ପଞ୍ଚ ସଖା ଓ କବୀର ଇତ୍ୟାଦି ଅନେକ ଧର୍ମାଚାର୍ଯ୍ୟ ଗଣ, ଏବେ ମଧ୍ୟ ପବିତ୍ରକରୁଛନ୍ତି ଅନେକ ଯୁଗପୁରୁଷ ଗଣ, ହିସାବ ରଖି ହେବନି। କେବଳ ସନ୍ଧ୍ୟା ଦର୍ଶନ ସାରି ବାଇଶି ପାହାଚରେ ଘଡିଏ ବସିଗଲେ ଦେହ ମନ ପୁଲକିତ ହୋଇ ଯିବ ଓ ମୁହଁରୁ ବାହାରି ଆସିବ ସାଲବେଗ ରଚନା ।
“ବାଇଶି ପାବଛ ଗଲି ସୁଖେ
କୈବଲ୍ୟ ବସିଛି ବେନି ପାଖେ
ବ୍ରlହ୍ମଣ ଚଣ୍ଡାଳ, କ୍ଷତ୍ରୀ ବୀରବର
କୈବଲ୍ୟ ଦିଅନ୍ତି ମୁଖେ ମୁଖେ
ଆହେ ରାମ ହରି,
ତୁମ ଶ୍ରୀଭୁଜେ ଦୟଣା କେରି କେରି,
ଆହେ ରାମହରି।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.