ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବିକଳ ସ୍ୱରୂପ ଧାରଣ କରି କଳ୍ପ ବଟ ପାର୍ଶ୍ଵରେ ପୂଜା ପାଉଥିବା ବଟ ପତିତପାବନଙ୍କ ଶ୍ରୀମନ୍ଦିର ମଧ୍ୟରେ ଏକ ସ୍ୱତନ୍ତ୍ର ମନ୍ଦିରରେ ପୂଜା ପାଇବା ଐତିହାସିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ପୂର୍ଣ୍ଣ । କାରଣ ଯେଉଁ ସମୟରେ ଶ୍ରୀମନ୍ଦିର ଉପରେ ବାରମ୍ବାର ମୋଗଲ ଆକ୍ରମଣ ଜାରିରହିଥିଲା। ସେ ସମୟରେ ଏହି ବଟ ଜଗନ୍ନାଥ ମୂର୍ତ୍ତିଙ୍କୁ କଳାହାଟ ଦ୍ୱାର ପାଖରେ ରଖି ପୂଜା କରାଯାଇଥିଲା ଏବଂ ପ୍ରକୃତ ବିଗ୍ରହମାନଙ୍କୁ ଲୁଚାଇ ଦିଆଯାଉଥିଲା। ସମ୍ଭବତଃ ପ୍ରଥମ ରାମଚନ୍ଦ୍ର ଦେବଙ୍କ ଶାସନ କାଳରେ ସାମନ୍ତ ଭଟ୍ଟ ମିଶ୍ର ଓ ପରିଛାମାନଙ୍କ ସହ ଆଲୋଚନା କରି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ଅନେକ ଥର ମୂଳ ବିଗ୍ରହମାନଙ୍କୁ ରକ୍ଷା କରାଯାଇଥିଲା। କିନ୍ତୁ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ଶ୍ରୀବିଗ୍ରହମାନଙ୍କୁ ଗଙ୍ଗା ନଦୀ କୂଳ ପର୍ଯ୍ୟନ୍ତ ନେଇ ଅଗ୍ନି ସଂଯୋଗ କରିଥିଲା। ଅଗ୍ନି ଜାଳିବା ମାତ୍ରେ ପଠାଣର ଦେହ ମଧ୍ୟ ଖଣ୍ଡ ଖଣ୍ଡ ହୋଇ ଫାଟିବାରୁ ଅର୍ଦ୍ଧ ଦଗ୍ଧ ବିଗ୍ରହମାନଙ୍କୁ ଗଙ୍ଗlରେ ବିସର୍ଜନ କରିଥିଲା।
ସେତେବେଳେ ବିଶର ମହାନ୍ତି ବ୍ରହ୍ମ ଗୁଡିକ ସଂଗ୍ରହ କରି ନିଜ ଢୋଲ ମଧ୍ୟରେ ରଖି କୁଜଙ୍ଗ ଗଡ଼ ନେଇ ଆସିଥିଲେ। ପରେ ୧୫୭୬ ଖ୍ରୀଷ୍ଟାବ୍ଦ ରେ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇ ରତ୍ନ ସିଂହାସନରେ ପୂଜା ପାଇଲେ। ତାହା ପୂର୍ବରୁ ୧୫୭୫ ଖ୍ରୀଷ୍ଟାବ୍ଦରୁ ଏହି ବ୍ରହ୍ମ ବଟ ଜଗନ୍ନାଥଙ୍କ ନିକଟରେ ରହିଥିଲେ ଓ ସମସ୍ତ ରୀତିନୀତି ସହ ପୂଜିତ ହେଉଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ପ୍ରଥା ପ୍ରଚଳିତ ଅଛି। ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ସହ ଏହି ବଟ ପତିତପାବନଙ୍କ ଅଣସର ମଧ୍ୟ ଅନୁଷ୍ଠିତ ହେଉଛି।ଏଥିପାଇଁ ଆବଶ୍ୟକ ଖଡ଼ି, ଫୁଲୁରୀ ତେଲ, ବନକ, ପଇତା ଇତ୍ୟାଦି ବଡ଼ ଓଡ଼ିଆ ମଠ ପ୍ରଦାନ କରିଥାନ୍ତି। ସବୁଠାରୁ ମୂଖ୍ୟ କଥା ହେଲା ଏହି ଦାରୁ ବିଗ୍ରହଙ୍କର ନବକଳେବର ମଧ୍ୟ ହୋଇଥାଏ।
ଏହାଙ୍କ ଦୈନଦିନ ନୀତି ପାଇଁ କୋଠରୁ କାକରା ୨ ଟି, କୋରା6ଟି ଓ ଖଇ ଏକ ଓଳି ଖଞ୍ଜା ଅଛି। ଦେଉଳ କରଣ ପ୍ରତ୍ୟେକ ଶିବ ରାତ୍ର ଦିନ ଏଠାରେ ସ୍ୱତନ୍ତ୍ର ଭୋଗ ବାଣ୍ଟିଥାନ୍ତି ଓ ଏହି ମନ୍ଦିରର ସମସ୍ତ କାର୍ଯ୍ୟ ତଦାରଖ କରିଥାନ୍ତି। ଇତିହାସ କହେ କବି ଜଗନ୍ନାଥ ଦାସ ତାଙ୍କର ଶ୍ରେଷ୍ଠ କୃତି ଓଡ଼ିଆ ଭାଗବତ ଏହିଠାରେ ରଚନା କରିଥିଲେ। ଏଥିପାଇଁ ସେ ବଟ ପତିତପାବନଙ୍କୁ “ଭାଗବତ କାଳିଆ “ବୋଲି ଶ୍ରଦ୍ଧା ରେ ନାମକରଣ କରିଥିଲେ ଏବଂ ଭକ୍ତ ଚନ୍ଦନ ହଜୁରୀ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରି ତାଙ୍କୁ ବ୍ରହ୍ମ ସ୍ୱରୂପରେ ଦର୍ଶନ କରିଥିଲେ। ଆସନ୍ତୁ ଆମେ ସେହି ବ୍ରହ୍ମ ସ୍ୱରୂପଙ୍କୁ ଆରାଧନା କରିବା ଓ ଭାଗବତ ପଠନ କରିବା।
ଆଦି ଗଣନା ସତ୍ୟ ଯୁଗେ
ସେ ବ୍ରହ୍ମ ହୋଇ ବେନି ଭାଗେ ।
ପ୍ରକୃତି ରୂପେ ଏକ ଅଂଶ
ଦ୍ଵିତୀୟେ ପୁରୁଷ ପ୍ରକାଶ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.