Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବାଳମୁକୁନ୍ଦ ରୂପ ଦର୍ଶନ କରିବା। ବଟ ଜଗନ୍ନାଥଙ୍କ ସମ୍ମୁଖରେ ଓ ବାଟମଙ୍ଗଳାଙ୍କ ଦକ୍ଷିଣ କୋଣରେ ଅବସ୍ଥିତ ଏକ ମନ୍ଦିରରେ ଶ୍ରୀ ବାଳମୁକୁନ୍ଦ ବିରାଜମାନ କରିଛନ୍ତି।

ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଏହା ପ୍ଲଟ ନମ୍ବର ୯୮ ରେ ଅବସ୍ଥିତ ଏକ କ୍ଷୁଦ୍ର ମନ୍ଦିର ଅଟେ.ଏହି ମନ୍ଦିରରେ ପ୍ରାୟ ଏକ ଫୁଟ ଲମ୍ବ ବିଶିଷ୍ଟ କଳା ମୁଗୁନି ପ୍ରସ୍ତର ନିର୍ମିତ୍ତ ବାଲମୁକୁନ୍ଦ ବିଗ୍ରହ ପୂଜା ପାଉଛନ୍ତି.ଏହି ମୂର୍ତ୍ତି ଦକ୍ଷିଣ ଦିଗକୁ ମସ୍ତକ ରଖି ଚିତ୍ ହୋଇ ପ୍ରସ୍ତର ନିର୍ମିତ୍ତ ଏକ ବଟ ପତ୍ରରେ ଶୋଇଛନ୍ତି ଅତ୍ୟନ୍ତ କମନୀୟ
ରୂପ ଧାରଣ କରି ଅର୍ଥାତ ଏକ ଅପରୂପ ସୁନ୍ଦର ବାଳକ ରୂପରେ ନିଜର ପାଦର ବୃଦ୍ଧାଙ୍ଗୁଳିକୁ ନିଜ ମୁଖରେ ପ୍ରବେଶ କରାଇ ହସ୍ତରେ ଧାରଣ କରିଛନ୍ତି। ଏହାଙ୍କ ରୂପର ସାମଞ୍ଜସ୍ୟ ବାଳ କୃଷ୍ଣଙ୍କ ସହ ମିଶୁଥିବାରୁ ଭୁଲରେ ଏହାଙ୍କୁ କେହି କେହି ବଟକୃଷ୍ଣ ବୋଲି ଅଭିହିତ କରିଥାନ୍ତି। କିନ୍ତୁ ଶ୍ରୀ ବାଲମୁକୁନ୍ଦ ଓ ବଟକୃଷ୍ଣ ଦୁଇଟି ଭିନ୍ନ ବିଗ୍ରହ ଅଟନ୍ତି। ଅବଶ୍ୟ ଶ୍ରୀମନ୍ଦିର ଭିତରେ ଉଭୟ ଠାକୁର ପ୍ରତିଦିନ ପ୍ରତିହାରୀ ସେବକ ବା ନିଯୋଗଙ୍କ ତତ୍ୱାବଧାନ ରେ ପୂଜା ନୀତି ଅନୁଷ୍ଠିତ ହେଉଛି।
ବାଲମୁକୁନ୍ଦଙ୍କ ଦୈନିକ ନୀତି ନିମନ୍ତେ କୋଠରୁ ସାନ କାକରା ୧ ଗୋଟି ପ୍ରଦାନ କରାଯାଏ। କିନ୍ତୁ ପ୍ରତିହାରୀ ନିଯୋଗ ପକ୍ଷରୁ ଜାଗର (ଶିବ ରାତ୍ରି ), କୃଷ୍ଣ ଜନ୍ମ (ଜନ୍ମାଷ୍ଟମୀ )ଓ ପଣା ସଂକ୍ରାନ୍ତି ପୂଜା ସ୍ୱତନ୍ତ୍ର ଭାବେ ପାଳିତ ହୁଏ। ନିଯୋଗ ତରଫରୁ ଏହି ସବୁ ପୂଜା ପାଇଁ ଜଣେ ସେବକଙ୍କୁ ବାର୍ଷିକ ଇଜରା ସୂତ୍ରରେ ସତ୍ତ୍ୱ ଦିଆଯାଇଥାଏ।

ସ୍କନ୍ଦ ପୁରାଣ ଅନୁଯାୟୀ ମହା ପ୍ରଳୟ କାଳରେ ସ୍ୱୟଂ ଭଗବାନ ବଟ ପତ୍ରରେ ଛୋଟ ଶିଶୁ ଭାବରେ ମାର୍କଣ୍ଡ ଋଷିଙ୍କୁ ଦର୍ଶନ ଦେଇଥିଲେ। କେବଳ ଦର୍ଶନ ଦେଇନଥିଲେ, ମାର୍କଣ୍ଡେୟ ଋଷି ପ୍ରଳୟ ଜଳରେ ଭାସି ଯାଉଥିବା ସମୟରେ, ତାଙ୍କୁ ନିଜ ଗର୍ଭରେ ଆଶ୍ରୟ ଦେଇଥିଲେ। ସେହି ଉଦର ମଧ୍ୟରେ ସମଗ୍ର ବ୍ରହ୍ମlଣ୍ଡ କୁ ଦର୍ଶନ କରି ମାର୍କଣ୍ଡେୟ ଋଷି ଜାଣିପାରିଲେ ଏହି ବାଳମୁକୁନ୍ଦ ହେଉଛନ୍ତି ସ୍ୱୟଂ ବ୍ରହ୍ମlଣ୍ଡ ଠାକୁର ଶ୍ରୀ ବିଷ୍ଣୁ। ସେଥିପାଇଁ ସେ ଏହି କ୍ଷେତ୍ରରେ ବାସ କରିବାର ଇଚ୍ଛା ପ୍ରକଟ କରି, ଶ୍ରୀକ୍ଷେତ୍ରର ମାର୍କଣ୍ଡ ପୁଷ୍କରିଣୀ ତଟରେ ବାସ କଲେ। ଇତିହାସ କହେ ଗଜପତି ବୀରକିଶୋର ଦେବଙ୍କ ଜଣେ ପାରିଷଦ ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ନିର୍ମିତ୍ତ ଏହି ମନ୍ଦିର ନିର୍ମାଣ କରି, ଏହିଠାରେ ଶ୍ରୀବାଳମୁକୁନ୍ଦଙ୍କୁ ସ୍ଥାପନ କରିଥିଲେ। ଆସନ୍ତୁ ଏହି ବାଳ ମୁକୁନ୍ଦଙ୍କୁ ଆରାଧନା କରିବା ।

“କରାରବିନ୍ଦେନ ପଦାରବିନ୍ଦଂ
ମୁଖାରବିନ୍ଦେ ନିବେଶୟନ୍ତମ୍
ବଟସ୍ୟ ପତ୍ରସ୍ୟ ପୁଟେ ଶୟlନଂ
ବାଳମୁକୁନ୍ଦଂ ମନସା ସ୍ମରମି ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.