Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ଇନ୍ଦ୍ରାଣୀଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଶ୍ରୀମନ୍ଦିରର ବା ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ଶ୍ରୀକ୍ଷେତ୍ରପାଳ ଶିବଙ୍କ ସେ ହେଉଛନ୍ତି ଶକ୍ତି ସ୍ୱରୂପା । ଅବଶ୍ୟ ଶ୍ରୀମନ୍ଦିର ମଧ୍ୟରେ ମାହା ବ୍ରଜେଶ୍ବରୀ ଦେବୀ ହିସାବରେ ସେ ଖ୍ୟାତ ଅଟନ୍ତି । କଳ୍ପବଟ ନିକଟରେ ଶ୍ରୀ ମାର୍କଣ୍ଡେଶ୍ୱର ମନ୍ଦିର ସାମ୍ନାରେ ମଜଣା ମଣ୍ଡପ ଆଡ଼କୁ ଯିବା ବାଟରେ ଡାହାଣ ପାର୍ଶ୍ଵରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ଦକ୍ଷିଣ ମୁଖା। ଏହି ମନ୍ଦିର ମଧ୍ୟ ଭାଗରେ ଦେବୀ ଇନ୍ଦ୍ରାଣୀ ଏକ ସିଂହାସନ ଉପରେ ବିରାଜମାନ କରିଛନ୍ତି। ସେହି ସିଂହାସନର ନିମ୍ନ ଭାଗରେ ଶିବ ଲିଙ୍ଗ ଦୃଶ୍ୟମାନ ହୁଅନ୍ତିଯାହାଙ୍କୁ ଶ୍ରୀ ବଟେଶ୍ୱର ମହାଦେବ ବୋଲି କୁହାଯାଏ। ଏହି ଶିବଲିଙ୍ଗଙ୍କ ସମ୍ମୁଖ୍ୟରେ ଛୋଟ ବୃଷଭ ଓ ପାର୍ଶ୍ଵରେ ସିଦ୍ଧି ଗଣେଶ ମୂର୍ତ୍ତି ମଧ୍ୟ ରହିଛନ୍ତି। ପ୍ରଚଳିତ ଲୋକ କଥା ମୁତାବକ ପ୍ରଥମେ ମା ଇନ୍ଦ୍ରାଣୀଙ୍କ ମନ୍ଦିର ଏହା ନଥିଲା । ମା ଇନ୍ଦ୍ରାଣୀ ରୋଷଘର ପାର୍ଶ୍ଵରେ ଥିଲେ। ସେଠାରେ ରୋଷରୁ ନିର୍ଗତ ଧୂଆଁରେ ଆକ୍ରାନ୍ତ ହୋଇ ମା ନିଜେ ସ୍ୱପ୍ନାଦେଶ କରି, ଶ୍ରୀ ବଟେଶ୍ୱରଙ୍କ ବର୍ତ୍ତମାନର ମନ୍ଦିରକୁ ଆସିଥିଲେ। କିନ୍ତୁ କାଳକ୍ରମେ ଶ୍ରୀବଟେଶ୍ୱରଙ୍କ ନାମ ଲୁଚିଯାଇ ମନ୍ଦିରଟି ମା ଇନ୍ଦ୍ରାଣୀଙ୍କ ନାମରେ ନାମିତ ହୋଇଗଲା। ମା ଇନ୍ଦ୍ରାଣୀଙ୍କ କଳା ମୁଗୁନି ପ୍ରସ୍ତରରେ ନିର୍ମିତ୍ତ ଦୁଇ ଭୁଜ ବିଶିଷ୍ଟ ସୁନ୍ଦର ବିଗ୍ରହ ଏଠାରେ ପୂଜିତ ଅଟନ୍ତି। ଶ୍ରୀମନ୍ଦିର ପୂଜା ପଣ୍ଡା ଗୋଷ୍ଠୀର ସେବକ ଜଣେ ଏହାଙ୍କୁ ସେବା ପୂଜା କରନ୍ତି। ପ୍ରତିଦିନ ବଲ୍ଳଭ ଭୋଗରେ ଏହାଙ୍କୁ ମରିଚି ଲଡ଼ୁ ପୂଜା କରାଯାଏ ଶ୍ରୀଜୀଉମାନଙ୍କ ପ୍ରତ୍ୟେକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ ପରେ ସମ୍ପୃକ୍ତ ସୁପକାର ସେବକ ଏହି ମା ଇନ୍ଦ୍ରାଣୀଙ୍କ ସମ୍ମୁଖ ଦେଇ ଆନନ୍ଦ ବଜାରକୁ ଯିବାବେଳେ ମାଙ୍କୁ ମଧ୍ୟ ସମର୍ପଣ କରନ୍ତି। ଶାରଦୀୟ ପୂଜା ସମୟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୂତନ ଶାଢୀ ଓ ମୁଆଁ ଭୋଗ ଲାଗି ହୁଏ। ଆସନ୍ତୁ ମା ଇନ୍ଦ୍ରାଣୀଙ୍କୁ ଆରାଧନା କରିବା ।

ବ୍ରଜେଶ୍ବରୀଂ ମହାଦେବୀଂ ରକ୍ଷକାଂ ଚ ବିଦ୍ୟୁତ ପ୍ରଭାମ୍, ଐରାବତ ସମାରୁଢାଂ ନମାମି ବଜ୍ର ଧlରଣୀମ୍ ।

ଅର୍ଥାତ ହେ ବ୍ରଜେଶ୍ବରୀ, ତୁମେ ମହାଦେଵୀ, ତୁମେ ରକ୍ଷାକାରିଣୀ, ତୁମେ ବିଦ୍ୟୁତ ପ୍ରଭା, ତୁମେ ଐରlବତହସ୍ତୀ ଉପରେ ବସିଛ, ତୁମେ ବଜ୍ର ଧାରଣ କରିଛ, ତୁମକୁ ଆମେ ପ୍ରଣିପାତ କରୁଛୁ।

ଜୟ ମା’

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.