Latest Odisha News

ଭାଷା ଭାଗବତ : ଭକ୍ତି ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପ୍ରଭୁ-ନିର୍ଭରଶୀଳ ଭକ୍ତ
ପ୍ରଭୁଂକୁ କରଂତି ସଂପୃକ୍ତ
ପ୍ରତ୍ୟେକ କାର୍ଯର ସହିତ
ହୁଅଂତି ନିଜେ ଆତ୍ମତୃପ୍ତ

ଯାହା ମୂଳତଃ ଆଧ୍ୟାତ୍ମିକ
ଏଠାରେ ପ୍ରଭୁପ୍ରାଣ ଲୋକ
ତାକୁ ହିଁ କରଂତି ଭୌତିକ
ତେଣୁ ଦିଶେନି ଜ୍ଞାନାଲୋକ

ଏପରି ଭକ୍ତି ପରଂପରା
ଚଳିଲେ ସୁଦ୍ଧା ବିଶ୍ବସାରା
ମିଳୁନି ସୁଖ କିଂବା ଶାଂତି
ଅଯଥା ବଢ଼ୁଛି ବିଭ୍ରାଂତି

ବାସ୍ତବ ଭକତିର ଶକ୍ତି
ଅନେକେ ମୋଟେ ନ ଜାଣଂତି
ଜଣକୁ ଦେଖି ଆଉ ଜଣେ
ନିଜକୁ ଭକ୍ତ ବୋଲି ମଣେ

କରେ ସେ ଭକ୍ତି ପ୍ରଦର୍ଶନ
ଅବୋଧ୍ୟ ଶବ୍ଦ ଉଚ୍ଚାରଣ
ବିବିଧ ଅଂଗ ସଂଚାଳନ
ସ୍ଥିର ହୁଏନି କେବେ ମନ

ଯେ ହୁଏନାହିଁ ଅଳ୍ପଭାଷୀ
କେବେ ତ ହୁଏନି ସାହସୀ
ହେଲେ ହେଁ ଦର୍ଶନାଭିଳାଷୀ
ପ୍ରଭୁଭକ୍ତିକୁ ଦିଏ ନାଶି

ଭକ୍ତି ଓ ଭାଷାର ସଂପର୍କ
ମୂଖ୍ୟତଃ ଅଟେ ସାଂକେତିକ
ବୁଝିଲେ ତା’ର ସରଳାର୍ଥ
ଭକ୍ତି ହୁଏନି ତିଳେ ବ୍ୟର୍ଥ

ପ୍ରତୀକରୂପୀ ମହାପ୍ରଭୁ
କରିବେ ଆମ କାମ ସବୁ
ଏପରି ଯଦି ଭାବୁଁ ଆମେ
ଲାଗିପାରୁଁନି ନିଜ କାମେ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.