ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମୁକ୍ତିମଣ୍ଡପର ପଶ୍ଚିମକୁ ଶ୍ରୀନୃସିଂହ ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ପୂର୍ବ ଦିଗକୁ ମୁଖ କରି ରହିଛି। ମନ୍ଦିର ମଧ୍ୟରେ ଏକ ପ୍ରସ୍ତର ସିଂହାସନ ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚାର ନୃସିଂହ ବିଗ୍ରହ ବିରାଜିତ ଅଛନ୍ତି। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରୁ ଜଣାଯାଏ ବର୍ତ୍ତମାନ ପରିଦୃଶ୍ୟମାନ ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଏହି ପ୍ରାଙ୍ଗଣ ମଧ୍ୟରେ କଳ୍ପବଟ, ରୋହିଣୀକୁଣ୍ଡ,ମା ବିମଳାଙ୍କ ଆସ୍ଥାନ, ଐଶାନେଶ୍ୱର ଓ ପ୍ରଭୂ ନୃସିଂହ ବିରାଜମାନ କରୁଥିଲେ। ମହାରାଜ ଚୋଡ଼ଗଙ୍ଗ ଦେବ ପ୍ରଥମେ ଯଜ୍ଞ ନୃସିଂହ ବା ମୁକ୍ତ ନୃସିଂହ ପ୍ରତିଷ୍ଠା କରିଥିଲେ। ମୁକ୍ତି ମଣ୍ଡପର ଅଧିକାର ପ୍ରାପ୍ତ ବ୍ରାହ୍ମଣମାନେ ଏହି ମୁକ୍ତ ନୃସିଂହ ଙ୍କୁ ନିଜର ଆରାଧ୍ୟ ବୋଲି ବିବେଚନା କରନ୍ତି। କାରଣ ସମଗ୍ର ଭାରତ ବର୍ଷରେ ଅନୁସୃତ ନୃସିଂହ ଉପାସନା ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ନୃସିଂହ ଉପାସନା ପ୍ରଧାନ ଓ ସ୍ୱତନ୍ତ୍ର ଅଟେ। ଏହି ପରମ ପାବନ ଶ୍ରୀକ୍ଷେତ୍ରର ପ୍ରଥମ ପ୍ରତିଷ୍ଠିତ ଓ ଆରାଧିତ ଦେବତା ହେଲେ ଶ୍ରୀନୃସିଂହ । ତେଣୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ବିଶେଷ ଯାନିଯାତ୍ରା ରଥଯାତ୍ରା ଓ ନବକଳେବର ସମୟରେ ନୃସିଂହ ମନ୍ତ୍ରର ପ୍ରୟୋଗ ପ୍ରଚଳିତ ଅଛି। ବିଶେଷତଃ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ସମସ୍ତ କାର୍ଯ୍ୟକ୍ରମ ଯଥା ଦାରୁଚୟନ, ଦାରୁଛେଦନ, ପ୍ରାଣପ୍ରତିଷ୍ଠା ପ୍ରଯ୍ୟନ୍ତ ସମସ୍ତ ଗୁପ୍ତ କର୍ମରେ ମଧ୍ୟ ଶ୍ରୀ ନୃସିଂହ ମନ୍ତ୍ରର ପ୍ରୟୋଗ ହିଁ ହୋଇଥାଏ । କଥିତ ଅଛି ମହାରାଜ ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଆରମ୍ଭ ପୂର୍ବରୁ ଏହି ଯଜ୍ଞ ନୃସିଂହ ଙ୍କୁ ପ୍ରତିଷ୍ଠା କରିଥିଲେ। ସେହି ହିସାବରେ ଶ୍ରୀନୃସିଂହ ହେଉଛନ୍ତି ଶ୍ରୀକ୍ଷେତ୍ରର ପ୍ରଥମ ଓ ପ୍ରାଚୀନ ଦେବତା। କାରଣ ସ୍ୱୟଂ ନୀଳ ମାଧବଙ୍କ ଅଦୃଶ୍ୟ ହେବା ପରେ ଶ୍ରୀକ୍ଷେତ୍ରରେ ପରଂବ୍ରହ୍ମଙ୍କ ପ୍ରଥମ ରୂପ ହେଉଛି ଶ୍ରୀ ନୃସିଂହ। ବର୍ତ୍ତମାନ ଉପଲବ୍ଧ କିଛି ଶିଳାଲେଖା ଯାହା କି ବିଶିଷ୍ଠ ଗବେଷକ ଡ଼କ୍ଟର ସତ୍ୟନାରାୟଣ ରାଜଗୁରୁ ପାଠୋଦ୍ଧାର କରିଥିଲେ ମଧ୍ୟ ସେହି ପ୍ରମାଣ ଦିଏ। ଆହୁରି ମଧ୍ୟ ଜଣାଯାଏ ତ୍ରିମୁର୍ତ୍ତି ଉପାସନା ଆଦିମ କାଳରୁ ଥିଲା ଏବଂ ଏହି ନୃସିଂହ ମନ୍ଦିରରେ ବଳଭଦ୍ର, ସୁଭଦ୍ରା ଓ ପୁରୁଷୋତ୍ତମ ନାମରେ ତିନି କ୍ଷୁଦ୍ର ମୂର୍ତ୍ତି ପୂଜିତ ହେଉଥିଲା। ଆଗାମୀ ଅଧ୍ୟାୟରେ ଏସବୁ ବିଷୟରେ ଅଧିକ ଜାଣିବା, ଶ୍ରୀନୃସିଂହଙ୍କ ପୂଜା ବିଧି ମଧ୍ୟ ଜାଣିବା। ବର୍ତ୍ତମାନ ଆରାଧନା ଓ ଭlଗବତ ପଠନ।
“ତୁ ବ୍ରହ୍ମ ଜ୍ଞାନ ଗୁରୁ ଦାତା
ତୋ ତହୁଁ ନାହିଁ ନା ବକତା ।
ନାନା ପ୍ରପଞ୍ଚ ବେଦ ବାଦେ
କେ ଅଛି ସୁର ସଭା ମଧ୍ୟେ ।
ବ୍ରହ୍ମlଦି ଯେତେ ଦେହ ବନ୍ତ
ତୋହର ମାୟାରେ ମୋହିତ ।
ଜୟ ଜଗନ୍ନାଥ ( ଦ. ତ୍ରି. ଉବାଚ )
Comments are closed.