ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାମ କରିଲେ ଦେଇ ଧ୍ୟାନ
ଅବଶ୍ଯ ହୁଏ ତା ସଂପନ୍ନ
ହାରିବା ପାଇଁ ଥିଲେ ଭୟ
ଲଗାଇ ହୁଏନାହିଁ ଲୟ
ମନରେ ଥିଲେ ଦ୍ବିଧା ଭାବ
ହୋଇଲେ ଧୈର୍ଯର ଅଭାବ
କିଛି ବି ହୁଏନାହିଁ କରି
ଭାବି ସମୟ ଯାଏ ସରି
କଲେ ଅଯଥା କାଳ କ୍ଷୟ
ମିଳେନି କେବେ ବି ବିଜୟ
ଯାହା ଲେଖିବା ପାଇଁ ମନ
ତାହା ହିଁ କରିଲେ ଲିଖନ
ଘଟେ ଭାଷାର ଉନ୍ନୟନ
ଭାବ ଓ ଜ୍ଞାନର ଉତ୍ଥାନ
ମନକୁ ପ୍ରଥମେ ଆୟତ୍ତ
କରି ରହିଲେ କର୍ମରତ
ଭାଷାରେ ସଂଭବ ସୁକୃତି
ସହିତ ଉନ୍ନତି, ପ୍ରଗତି
ଏତିକି ବୁଝେ ଯଦି ବ୍ୟକ୍ତି
ହୁଏନି କେବେ ତା’ର କ୍ଷତି
କେବଳ ନାମ, ଯଶ ପାଇଁ
ଅଥବା ଧନଲୋଭୀ ହୋଇ
କରିଲେ ଯାହା ବି ଲିଖନ
ଭାଷାର ହୁଏ ଅପମାନ
ଏ ସବୁ ମନ ମଧ୍ୟେ ରଖି
ଯେ ପାରେ ଭାବ, ଜ୍ଞାନ ଲେଖି
ସେ ହୁଏ ପଠିତ, ଆଦୃତ
ଭାଷା ବି ହୁଏ ସମୁନ୍ନତ