ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ବେଢା ବୁଲା କରୁ କରୁ ଆଜି ଆଲୋଚନା କରିବା ମହାପ୍ରଭୁ ସାକ୍ଷୀଗୋପାଳଙ୍କ ବିଷୟରେ। ଶ୍ରୀ ସାକ୍ଷୀଗୋପାଳଙ୍କ କଥା ମନକୁ ଆସିଲେ, ସଙ୍ଗେ ସଙ୍ଗେ ମନେ ପଡନ୍ତି ଶ୍ରୀକ୍ଷେତ୍ରଠାରୁ ପ୍ରାୟ ୨୦/୨୫ କି. ମି ଦୁରରେ ଅବସ୍ଥିତ ସତ୍ୟବାଦୀ ସହରର ଶ୍ରୀ ସାକ୍ଷୀ ଗୋପାଳଙ୍କ କଥା। ଅବଶ୍ୟ ଉଭୟଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ଅଛି। କିମ୍ବଦନ୍ତୀ ଅନୁସାରେ ଗଜପତି ପୁରୁଷୋତମ ଦେବ କାଞ୍ଚି ବିଜୟ ପରେ ଅନେକ ଦେବା ଦେବୀ ମୂର୍ତ୍ତି ସେଠାରୁ ଆଣିଥିଲେ, ସେମାନଙ୍କ ମଧ୍ୟରେ ଶ୍ରୀସାକ୍ଷୀଗୋପାଳ ଅନ୍ୟତମ ପ୍ରଥମେ ଶ୍ରୀମନ୍ଦିର ଭିତରେ ସ୍ଥାପନା କରାଯାଇଥିଲା, ପରେ ସେହି ବିଗ୍ରହ ସତ୍ୟବାଦୀର ସ୍ୱତନ୍ତ୍ର ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି ଓ ବର୍ତ୍ତମାନ ଶ୍ରୀମନ୍ଦିର ମଧ୍ୟରେ ନୂତନ ବିଗ୍ରହ ସ୍ଥାପିତ ହୋଇଛି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୬୬ ରେ ଏହି ମନ୍ଦିର ଅବସ୍ଥିତ। ସଠିକ ଭାବରେ କହିଲେ ଶ୍ରୀମନ୍ଦିର ଭିତର ବେଢାରେ ପଶ୍ଚିମ ପାର୍ଶ୍ଵରେ ଥିବା ମଣ୍ଡଣି ଘରକୁ ଲାଗି ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ଅବସ୍ଥିତ । ଏଠାରେ ଉଭୟ ରାଧା କୃଷ୍ଣଙ୍କର ଯୁଗଳ ମୂର୍ତ୍ତି ପୂଜା ପାଉଛନ୍ତି। ଗୋଟିଏ କୋଠରୀ ବିଶିଷ୍ଟ ଏହି ମନ୍ଦିରରେ ପ୍ରାୟ ୪ ଫୁଟ ଉଞ୍ଚାର କଳା ମୁଗୁନି ପ୍ରସ୍ତରରେ ନିର୍ମିତ ରାଧା କୃଷ୍ଣ ଅତ୍ୟନ୍ତ ରାମଣୀୟ ଓ କମନୀୟ ଶୈଳୀରେ ଏକ ପିଣ୍ଡି ଉପରେ ଦଣ୍ଡାୟମାନ ହୋଇଛନ୍ତି। ପ୍ରଭୂ ସାକ୍ଷୀଗୋପାଳ (କୃଷ୍ଣ )ଦୁଇ ହସ୍ତରେ ସ୍ୱତନ୍ତ୍ର ଭଙ୍ଗୀରେ ବଂଶୀ ଧାରଣ କରିଛନ୍ତି। ଆଗାମୀ ଅଧ୍ୟାୟରେ ଶ୍ରୀ ସାକ୍ଷୀଗୋପାଳଙ୍କ ପୂଜା ବିଧି, ଯାନିଯାତ୍ରା ବିଷୟରେ ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ।
“କୃଷ୍ଣlୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ, ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ “(ମୁକ୍ତି ଚିନ୍ତାମଣି )। ଅର୍ଥାତ ହେ ସାକ୍ଷୀଗୋପାଳ!ତୁମେ ସାକ୍ଷାତ କୃଷ୍ଣ ତୁମେ ବାସୁଦେବ, ତୁମେ ଦେବକୀ ନନ୍ଦନ, ତୁମେ ନନ୍ଦକୁମାର, ତୁମେ ଗୋବିନ୍ଦ, ତୁମଙ୍କୁ ପ୍ରଣାମ କରୁଛି।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)
Comments are closed.