Latest Odisha News

BREAKING NEWS

ଜଗା ପ୍ରେମରେ ଉବୁଟୁବୁ ଗୀତିକାର ବିଜୟ କୁମାର ମିଶ୍ର

ପୁରୀର ବିଜୟ କୁମାର ମିଶ୍ରଙ୍କୁ କିଏ ବା ନ ଜାଣେ । ଗୀତ, କବିତା, ଭଜନ, ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ସେ ଜଗାଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ଭୁଲ ହେବନି । ଗୀତ, କବିତା ଲେଖି ଆସୁଥିଲେ ମଧ୍ୟ ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଜଗା ପ୍ରେମରେ ପଡି ଯାଇଥିଲେ । ଆଉ ଯାହା ମନକୁ ଆସିଲା ଭକ୍ତି ଭାବରେ ଗାରେଇ ଚାଲିଲେ । ଦେଖୁ ଦେଖୁ ଶହ ଶହ କବିତା, ଭଜନ ସେ ଲେଖିଦେଲେ । କରୋନାର ବ୍ୟତୀବ୍ୟସ୍ତ ଓ ଭୟର ବାତାବରଣ ତାଙ୍କୁ ଆହୁରି ସ୍ଥିତପ୍ରଜ୍ଞ କରି ଦେଇଥିଲା । ୧୬ଟି ଜଗନ୍ନାଥ ଭଜନକୁ ଲେଖିବା ସହ ଏଥିରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ପାତ୍ର ହୋଇ ପଡିଛନ୍ତି । ଅନ୍ୟ ଦେବ ଦେବୀଙ୍କ ଉପରେ ମଧ୍ୟ ଅନେକ ଭିଡିଓ ସେ କରିଛନ୍ତି । ନନ୍ଦପୁଅ କଳା କହ୍ନେଇ, ହେ ହନୁମାନ, ଶ୍ରୀଲକ୍ଷ୍ମୀ ମହାଲକ୍ଷ୍ମୀ, ଆମ କାଳିଆକୁ ସବୁ ଜଣା, ମହାବାହୁ ମହାବାହୁ ସରି ସରି ଯିବ ଦିନ ବେଶ ମନଛୁଆଁ ହୋଇପାରିଛି । ଏବେ ବି ତାଙ୍କ ଡାଏରୀରେ ଅନେକ ଭଜନ କୈଦ ହୋଇ ପଡିଛନ୍ତି । ନିଜ ପ୍ରଚେଷ୍ଟାରେ ସେ ବାରମ୍ବାର ହାତରୁ ଅର୍ଥ ଖର୍ଚ୍ଚ କରି ଉଦ୍ୟମ ଜାରୀ ରଖିଛନ୍ତି । ତାଙ୍କର ଅତ୍ୟଧିକ ଭାବପ୍ରବଣତା ନେଇ ପରିବାର ଲୋକେ ତାଙ୍କ ପାଇଁ ମନଦୁଃଖ କରନ୍ତି । ତାଙ୍କର ଭଜନ ତରଙ୍ଗ, ପ୍ରାର୍ଥନା ଓ ମଞ୍ଜରୀରେ ପ୍ରଦର୍ଶିତ ହେଉଛି । ୟୁ ଟ୍ୟୁବରେ ରୁକ୍ମଣୀ ପ୍ରଡକ୍ସନ ନାମକ ଏକ ଚ୍ୟାନେଲ ଖୋଲି ସେଥିରେ ମଧ୍ୟ ଏହାକୁ ପ୍ରସାରିତ କରୁଛନ୍ତି ।

ସେ ଶ୍ରୀଜଗନ୍ନାଥ ସେବାସଦନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚ୍ୟାରିଟେବୁଲ ଟ୍ରଷ୍ଟ ଖୋର୍ଦ୍ଧା ତରଫରୁ ଜଗନ୍ନାଥ ସେବା ସମ୍ମାନ, ଶ୍ରୀଶୀ ଜଗତମୋହନ ଦେବ ପାଲା ସଂସଦ ତରଫରୁ ଭଜନ ଗୀତିକାର ସମ୍ମାନ, ବୀଣାପାଣି କଳାନିକେତନ ଅନୁଷ୍ଠାତ ଆନନ୍ଦପୁର ପକ୍ଷରୁ ବୀଣାପାଣୀ ସମ୍ମାନ, ରୋଟାରୀ କ୍ଲବ ଚିଲିକା ତରଫରୁ ଗୀତିକାର ଓ କବି ପ୍ରତିଭା ସମ୍ମାନ ଏବଂ ଗୋପୀନାଥ ସେବା ସଦନ ଏବଂ ଗୋପବନ୍ଧୁ ଦାଶ ସମ୍ମାନ ପାଇଛନ୍ତି । ଏବେ ନିକଟରେ ନିଜ ରଚିତ ମନଛୁଆଁ ଭଜନର ୨ଟି ଭାଗ ସେ ଯଥାକ୍ରମେ ୨୦୨୧ ଓ ୨୦୨୨ରେ ଲୋକାର୍ପଣ କରିଛନ୍ତି । କୁମୁଟି ପାଟଣା, ସେନାପତି ବଗିଚା ନିକଟରେ ରହୁଥିବା ବିଜୟ ଶେଷ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଇଁ ଭଜନ ଲେଖି ଚାଲିଥିବି ବୋଲି ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.