ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବ ମନ୍ଦିର ପରିଦର୍ଶନ ଅବସରରେ ଏକ ବିଚିତ୍ର ଓ ସ୍ୱତନ୍ତ୍ର ସ୍ଥାପତ୍ୟ ଦେଖିବାକୁ ମିଳିଛି। ଯଥା ଏଠାରେ ବାହାନ ଗରୁଡ଼ଙ୍କ ସ୍ଥାନରେ ସ୍ୱୟଂ ବିଶ୍ୱାବସୁ ଶବର। ଉପବେଶନ କରି ଦୁଇ ହସ୍ତରେ ପକ୍ୱ ଫଳ ମୂଳ ପ୍ରଦାନ କରୁଛନ୍ତି। କିମ୍ବଦନ୍ତୀ, ତଥା ପୁରାଣ ବର୍ଣ୍ଣନା କରେ ଶବର ରାଜା ବିଶ୍ୱାବସୁ କେବଳ ନରଦେହରେ ଥାଇ ଶ୍ରୀ ନୀଳମାଧବଙ୍କ ସେବା ପୂଜା କରିବାର ଅଧିକାର ଲାଭ କରିଥିଲେ। ଯେହେତୁ ପରଂବ୍ରହ୍ମ ଶ୍ରୀ ନୀଳମାଧବ, ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ଦେହବସାନ ପରେ ପରେ କଳିଯୁଗର ପ୍ରାରମ୍ଭରେ ନୀଳକାନ୍ତମଣି ସଦୃଶ୍ୟ ଶରୀର ଧାରଣ କରି ନୀଳାଚଳର ନୀଳଗିରି ପର୍ବତର ଏକ ନିଭୃତ ଗୁମ୍ଫାରେ ପ୍ରକଟ ହୋଇଥିଲେ। ତେଣୁ ଅତ୍ୟନ୍ତ ଗୁପ୍ତ ଭାବରେ କେବଳ ସ୍ବର୍ଗର ଦେବତାମାନଙ୍କୁ ଦର୍ଶନ ଓ ପୂଜା କରିବାର ଅଧିକାର ଥିଲା। ଦ୍ୱାପରର ଜରାଶବରଙ୍କ ବିକଳ ଅନୁରୋଧ ରକ୍ଷା କରି ସେହି ବଂଶର ଶବର ରାଜା ବିଶ୍ୱାବସୁଙ୍କୁ ନରଦେହରେ ମଧ୍ୟ ସେବା ପୂଜା କରିବାର ଅନୁମତି ଦେଇଥିଲେ। ପରେ ବିଧି ନିର୍ଦ୍ଦେଶ ଅନୁସାରେ ଅବନ୍ତୀ ରାଜପୁରୋହିତଙ୍କ ସାନ ଭାଇ ପଣ୍ଡିତ ବିଦ୍ୟାପତିଙ୍କୁ ଦର୍ଶନ ଦେଇଥିଲେ। କିନ୍ତୁ ପରମ ବୈଷ୍ଣବ ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନୀଳାଚଳ ପ୍ରବେଶ କରିବା ପରେ ସ୍ଵର୍ଣ୍ଣାଭ ବାଲୁକା ମଧ୍ୟରେ ଲୁଚି ଗଲେ। ତେଣୁ ଅପ୍ରାକୃତ ନୀଳମାଧବଙ୍କ ବିଗ୍ରହ ପରିବର୍ତ୍ତେ, ଶ୍ରୀଜୀଉମାନଙ୍କ ପ୍ରତିଷ୍ଠା ପରେ ପରେ ସ୍ୱତନ୍ତ୍ର ଶ୍ରୀ ନୀଳମାଧବ ମୂର୍ତ୍ତି ନିର୍ମାଣ କରି ପୂଜା କରିଲେ ଓ ତାଙ୍କର ପ୍ରଥମ ସେବକ ବିଶ୍ୱାବସୁଙ୍କୁ ଗରୁଡ଼ଙ୍କ ସ୍ଥାନରେ ଅବସ୍ଥାପିତ କରିଥିଲେ । ଅନ୍ୟ କିଛି ମତ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜୀଉମାନଙ୍କ ପ୍ରତିଷ୍ଠା ପାଇଁ ନାରଦଙ୍କ ଉପଦେଶ ଅନୁସାରେ ବ୍ରହ୍ମ ଲୋକ ଯାତ୍ରା କଲେ ସ୍ୱୟଂ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବା ପାଇଁ। ଏପଟେ ମର୍ତ୍ତ୍ୟରେ ରାଜା ଗାଳମାଧବ ବାଲିରେ ପୋତି ହୋଇ ଥିବା ମନ୍ଦିର ଉଦ୍ଧାର କରି ସେଥିରେ ଏହି ନୀଳମାଧବଙ୍କୁ ସ୍ଥାପିତ କରି ପୂଜା କରିଲେ। ସ୍କନ୍ଦ ପୁରାଣ ଅନୁସାରେ ରୋହିଣୀ କୁଣ୍ଡର ପୂର୍ବ ଦିଗରେ ଶ୍ରୀନୀଳମାଧବ ଅବସ୍ଥାନ କରୁଥିବାର ବର୍ଣନା ମିଳେ। ପରବର୍ତ୍ତୀ ସମୟରେ ଏହି ମୂର୍ତ୍ତି ଉତ୍ତର ପଶ୍ଚିମ କୋଣରେ ନିର୍ମିତ୍ତ ମନ୍ଦିରକୁ ସ୍ଥାନାନ୍ତରିତ ହୋଇଛି। କେହି କେହି ଗବେଷକଙ୍କ ମତରେ ଏହି ନୀଳ-ମା-ଧବ ନାମ ମଧ୍ୟରେ ତିନି ମୂର୍ତ୍ତି ତତ୍ତ୍ୱ ନିହିତ ଅଛି। ଏହାର ବିଷଦ ଆଲୋଚନା କରିବା ପରବର୍ତ୍ତୀ ଅଧ୍ୟାୟରେ। ବର୍ତ୍ତମାନ ଆରାଧନାର ସମୟ “ରୋହିଣୀକୁଣ୍ଡ ସମ୍ଭୁତ ଜଳେ ସ୍ନାତା ଦିନେ ଦିନେ, ମାଧବଂ ଦୃଷ୍ଟବାନ୍ବିତାଂ ଭୁକ୍ତି ମୁକ୍ତି ପ୍ରଦାୟକଂ ତତ୍ର ନୀଳାଚଳେ ରାମ୍ୟେ ମାଧବ ନୀଳସୁନ୍ଦର ,ଦେବୈ ସମଛିତଶ୍ଚାସ୍ତେ ତତ୍ସମୀପେ ମହାବଟ। “(ନୀଳାଦ୍ରି ମହୋଦୟ,)
ହେ ନୀଳମାଧବ ! ତୁମେ ଭକ୍ତି ମୁକ୍ତି ପ୍ରଦାୟକ, ତୁମକୁ ହୃଦୟରୁ ପ୍ରଣାମ କରୁଛୁ ।
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )
Comments are closed.