Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ମା’ଲଷ୍ମୀଙ୍କ ଜଗମୋହନ ବା ଅଚିନ୍ତା ମଣ୍ଡପରେ ଟିକିଏ ବିଶ୍ରାମ ନେଇଛେ। ଏଠି କିନ୍ତୁ ଆଖି ପଡୁଛି ଟିକିଏ ଉଚ୍ଚରେ ରହିଥିବା ଗୋଟିଏ ମନ୍ଦିର ଉପରେ “ନବଗ୍ରହ ଙ୍କ “ମନ୍ଦିର ଠିକ ଶ୍ରୀମହାଲଷ୍ମୀଙ୍କ ମନ୍ଦିର ଉତ୍ତର ପାର୍ଶ୍ଵରେ ଏହା ଅବସ୍ଥିତ। ଭୂମିଠାରୁ ପ୍ରାୟ ଚାରି ଫୁଟ ଉପରେ ନବଗ୍ରହ କାନ୍ଥ ସଲଗ୍ନ ହୋଇ ବିରାଜିତ ଅଟନ୍ତି ।
ଏହି ମନ୍ଦିରର ବିଶେଷତ୍ୱ ହେଲା, ଏଠାରେ ନବଗ୍ରହ (ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରlହୁ ଓ କେତୁ )ବିପରୀତ କ୍ରମରେ ବିରାଜିତ। କାରଣ ଅନ୍ୟତ୍ର ସାଧାରଣତଃ ନବଗ୍ରହଙ୍କ କ୍ରମ ହେଲା ବାମରୁ ଦକ୍ଷିଣ କିନ୍ତୁ ଏଠାରେ ଦକ୍ଷିଣରୁ ବାମକୁ ପ୍ରତିଷ୍ଠିତ ଓ ପୂଜିତ ଅର୍ଥାତ ଉପରେ ଥିବା କ୍ରମ ଅନୁସାରେ ଦକ୍ଷିଣରେ ରବି ଓ ଶେଷରେ (ବାମରେ )କେତୁଙ୍କ ବିଗ୍ରହ ସ୍ଥାପିତ ପୂଜିତ ହେଉଛନ୍ତି। ଏହି ବିଗ୍ରହମାନଙ୍କ ବ୍ୟତୀତ ସମଲେଶ୍ୱରୀ, ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ମଧ୍ୟ ଅଛନ୍ତି। ନବଗ୍ରହ ଏହିଠାରେ ପୂର୍ବାଭିମୁଖୀ ହୋଇ ରହିଛନ୍ତି । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ମନ୍ଦିରର ସେବକ ହେଉଛନ୍ତି ନବ ମୁଦିରସ୍ତ ଓ ହାତୀ ମୁଦିରସ୍ତଙ୍କ ବଂଶଧର। ପ୍ରାଚୀନ କାଳରେ ବାର୍ଷିକ ୯୦ ଟଙ୍କା ସୋନପୁର ରାଜାଙ୍କ ଦ୍ୱାରା ଏହି ସେବକ ମାନଙ୍କୁ ପ୍ରଦତ୍ତ ହେଉଥିଲା। କିନ୍ତୁ ବର୍ତ୍ତମାନ ସେବକ ମାନେ ନିଜ ହାତରୁ ଖର୍ଚ୍ଚ କରି ସେବା ପୂଜା କରୁଛନ୍ତି। କୁହାଯାଏ ଷ୍ଟେଟ ମିଶ୍ରଣ ପରେ ଏହି ଅନୁଦାନ ଟଙ୍କା ସୋନପୁର ରାଜା ପ୍ରତ୍ୟାହାର କରିଛନ୍ତି ।

ପ୍ରାୟ ୧୯୪୭ ପର୍ଯ୍ୟନ୍ତ କିନ୍ତୁ ଏହି ସାହାଯ୍ୟ ମିଳୁଥିଲା। ତେଣୁ ସମ୍ପ୍ରତି କେବଳ ଭକ୍ତଙ୍କ ଦାନ ଦକ୍ଷିଣାରେ ସେବକ ମାନେ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଏଠାରେ ହେଉଥିବା ପୂଜା ଓ ରୀତିନୀତି ବିଷୟରେ। ଏବେ କିନ୍ତୁ କରିବା ଆରାଧନା, ଏଠାରେ ପ୍ରତ୍ୟେକ ଗ୍ରହଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ର ବ୍ୟବହାର କରାଯାଏ। କିନ୍ତୁ ଗ୍ରହ ଦୋଷରୁ ମୁକ୍ତି ପାଇଁ ଆମେ ଗାଇବା ।

“ନବଗ୍ରହାଣlମାଖ୍ୟାତଂ ଗ୍ରହକୁମ୍ଭେନ ସେବିତମ୍, ଗ୍ରହଣାଂ ଦୋଷନାଶୟ ସ୍ୱାସ୍ଥ୍ୟସ୍ୟାପି ବିବୃଦ୍ଧୟେ ।” ଅର୍ଥାତ ହେ ନବଗ୍ରହ ! ତୁମେ ନଅ ସଂଖ୍ୟାରେ ପରିଗଣିତ, ତୁମେ ଗ୍ରହକୁମ୍ଭରେ ପୂଜିତ, ଗ୍ରହ ଦୋଷ ଖଣ୍ଡନ ପାଇଁ ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ତୁମଙ୍କୁ ପ୍ରଣାମ କରୁଛୁ। ଜୟ ନବଗ୍ରହ। ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )

Comments are closed.