ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଆସି ପହଞ୍ଚି ଯାଇଛୁ, ଏମିତି ଏକ ମନ୍ଦିର ପାଖରେ, ଯେଉଁ ମନ୍ଦିରରେ ପିଠି ରଖି ଭକ୍ତଟିଏ ଚାହିଁ ଦିଏ ନୀଳଚକ୍ରକୁ, ହାତଯୋଡି ମୁଣ୍ଡିଆମାରେ ଚକ୍ରନାରାୟଣଙ୍କୁ ପ୍ରାୟ ଅଧିକାଂଶ ଭକ୍ତ ଏହା ପରେ ପ୍ରବେଶ କରିଥାନ୍ତି ଶ୍ରୀଜଗନ୍ନାଥଙ୍କ ଶ୍ରୀବତ୍ସଖଣ୍ଡଶାଳରେ। କିନ୍ତୁ ପରିକ୍ରମାର ନିୟମ ଜାଣିଥିବା ଭକ୍ତଟିଏ ଯାଇଥାଏ ଦେବଯାନ ଦର୍ଶନ ପାଇଁ ଆଉ ବିଧି ମୁତାବକ “ଦେବଯାନ ” ଦର୍ଶନ ଆରମ୍ଭ ହୁଏ ପ୍ରଭୁ ଶ୍ରୀ ପାତlଳେଶ୍ୱର ମହାଦେବଙ୍କ ଦର୍ଶନ ପରେ। ଏହି ମନ୍ଦିରକୁ କେହି କେହି ବଳି ପାତାଳ ମନ୍ଦିର କହନ୍ତି।
ଭିତର ବେଢା ପତନଠାରୁ ତଳକୁ ଏହି ମନ୍ଦିରର ଅର୍ଦ୍ଧ ଅଂଶ ପୋତି ହୋଇ ରହିଲା ଭଳି ଅନୁମାନ ହୁଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୪୧ ରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି କେବଳ ଗୋଟିଏ ବିମାନ ସମ୍ବଳିତ। ମୋଟ ୨୨ ଗୋଟି ପାବଛ ଅତିକ୍ରମ କରି ପ୍ରାୟ ୨୦ ଫୁଟ ତଳକୁ ଗଲେ ପ୍ରଭୁ ପାତାଳେଶ୍ୱରଙ୍କ ଦର୍ଶନ ମିଳେ। ଅନେକ ଗବେଷକଙ୍କ ମତରେ ତୃତୀୟ ଅନଙ୍ଗଭୀମ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରରେ କିଛି ଶିଳାଲେଖା ମଧ୍ୟ ରହିଛି, ପାଠୋଦ୍ଧlର ହୋଇ ଥିବା ଶିଳା ଲେଖାର ବିବରଣୀ ବିଷୟରେ ଆଗାମୀ ଅଧ୍ୟାୟରେ ଜାଣିବା। ଆସନ୍ତୁ ପ୍ରଥମେ ପ୍ରଭୁ ପାତାଳେଶ୍ୱରଙ୍କ ଦର୍ଶନ କରିବା, ୬ /୬ ଫୁଟର ଗର୍ଭଗୃହ ମଧ୍ୟରେ ଅଢେଇ ଫୁଟ ବ୍ୟାସ ବିଶିଷ୍ଟ ଲିଙ୍ଗ ଶକ୍ତି ଓ ଶକ୍ତି ଉପରେ ପାଞ୍ଚଟି ତମ୍ବା ନିର୍ମିତ୍ତ ସର୍ପ ସ୍ଥାପନା ହୋଇ ପ୍ରଭୁ ପାତାଳେଶ୍ୱର ବିରାଜମାନ କରିଛନ୍ତି । ଉକ୍ତ ଗମ୍ଭୀରାର ପଶ୍ଚିମ କାନ୍ଥ ସଂଲଗ୍ନ ହୋଇ ତିନି ଫୁଟ ଉଚ୍ଚତାର ବଳି ମହାରାଜ, ଦୁଇ ଫୁଟ ଉଚ୍ଚା କାଳୀୟ ଦଳନ ମୂର୍ତ୍ତି ଓ ଦେଢ଼ ଫୁଟ ଉଚ୍ଚା ଶ୍ରୀ ଗଣେଶଙ୍କ ମୂର୍ତ୍ତି ରହିଛନ୍ତି। ମୁଖ୍ୟ ମନ୍ଦିର ପୂର୍ବାଭିମୁଖୀ ହୋଇଥିବାରୁ ଏହି ସବୁ ଦେବତା ଠିକ ମୂଖ୍ୟ ଦେବତାଙ୍କ ପଛ ଭାଗରେ ଦୃଷ୍ଟିଗୋଚର ହୁଅନ୍ତି। ବିମଳା ମାଙ୍କ ପାଳିଆ ସେବକ ମଧ୍ୟ ଶ୍ରୀ ପାତାଳେଶ୍ୱରଙ୍କ ସେବାପୂଜା କରିଥାନ୍ତି। ଏଭଳି ଏକ ଅପୂର୍ବ ମନ୍ଦିର ଓ ଶିଳାଲେଖା ବିଷୟରେ ଆଲୋଚନା ନିଶ୍ଚୟ ଜାରିରହିବ। କିନ୍ତୁ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
“ଏ ଜୀବ ବହେ ଅହଂକାର
ବୋଲଇ ଏ ଦେହ ମୋହର ।
ରଜୋ ଗୁଣରୁ ଏ ପ୍ରକାଶ
ହୁଅନ୍ତେ ବୁଦ୍ଧି କରେ ଭ୍ରଂଶ ।
ସଂକଳ୍ପ ବିକଳ୍ପ ଏ ବେନି
ନାନା ବିକାର ମନେ ଘେନି ।
ବେନି ସଂଯୋଗେ ମୋହ ଜଡ଼େ
ନାନା ପ୍ରକାରେ କାମ ବଢେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.