Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ ଦେବଯାନ ଦର୍ଶନ ଆରମ୍ଭ କରିଛେ। ପ୍ରଥମେ ପ୍ରଣାମ କରିବା ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ। କୂର୍ମ ବେଢାର ଉତ୍ତର ଦିଗ ଭିତର ଗୁମୁଟରେ ଏହି ମନ୍ଦିର ଅବସ୍ଥିତ। ଏହାରି ପାର୍ଶ୍ଵରେ ଉତ୍ତର ଦ୍ୱାର ହସ୍ତୀ ମୂର୍ତ୍ତି ବିଦ୍ୟମାନ। ଉତ୍ତର ଦିଗରେ ଏକ ମାତ୍ର ଦ୍ୱାର ବା ପ୍ରବେଶ ପଥ ଦେଇ ଗଲେ ଐଶାନେଶ୍ୱରଙ୍କ ଦର୍ଶନ ମିଳେ । ଜନସାଧାରଣ ପ୍ରାୟତଃ ଏହାଙ୍କୁ ଶ୍ରୀ ଈଶାନେଶ୍ଵର ମହାଦେବ ବୋଲି କହିଥାନ୍ତି। କିନ୍ତୁ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଏହି ମହାଦେବ ବିରାଜମାନ କରିଥିବାରୁ, ଏହାଙ୍କ ନାମ ଶ୍ରୀ ଐଶାନେଶ୍ୱର ମହାଦେବ ହୋଇଛି। ଶ୍ରୀମନ୍ଦିର ମଧ୍ୟରେ ଥିବା ଅନ୍ୟାନ୍ୟ ଶିବ ମନ୍ଦିର ଅପେକ୍ଷା। ଏହି ମନ୍ଦିର ଅତ୍ୟନ୍ତ ପ୍ରାଚୀନ ବୋଲି ବିବେଚିତ ହୁଏ। ମାଦଳା ପାଞ୍ଜି ଅନୁସାରେ ଏହି ମନ୍ଦିର ଉତ୍କଳ ର ରାଜା ଧ୍ରୁବ କେଶରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି। କିମ୍ବଦନ୍ତୀ । କୁହେ ଏହି ଐଶାନେଶ୍ୱର ମହାଦେବ ହେଉଛନ୍ତି ଶ୍ରୀଜଗନ୍ନାଥ ଙ୍କ ଗୁରୁ ବା ଈଶାଣ, ତେଣୁ ଶ୍ରୀମନ୍ଦିର ନିର୍ମାଣର ଅନେକ ପୂର୍ବରୁ ଏହି ମନ୍ଦିର ନିର୍ମିତ୍ତ ହୋଇଥିବାର ଅନୁମାନ କରାଯାଏ। କେତେକ ଗବେଷକଙ୍କ ମତରେ ପ୍ରାଚୀନ କାଳରେ ବୌଦ୍ଧ ଧର୍ମର ବ୍ୟାପକ ପ୍ରସାର ପାଇଁ ଅନେକ ବୌଦ୍ଧ ସ୍ତୁପ ନିର୍ମିତ୍ତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ କେଶରୀ ବଂଶର ଶାସନ ସମୟରେ ଏହି ବୌଦ୍ଧ ସ୍ତୁପଗୁଡିକୁ ମନ୍ଦିରରେ ପରିବର୍ତ୍ତନ କରାଯାଇଛି ଓ ସେଥିରେ ଶ୍ରୀ ମହାଦେବଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। କାରଣ ଶୈବଧର୍ମ ସେତେବେଳେ ରାଜ ଧର୍ମ ଭାବରେ ବିବେଚନା କରାଯାଉଥିଲା। ସେହି ପର୍ଯାୟରେ ଶ୍ରୀ ଐଶାନେଶ୍ୱର ମହାଦେବଙ୍କ ସ୍ଥାପନା ଶ୍ରୀମନ୍ଦିର ନିର୍ମାଣର ଅନେକ ପୂର୍ବରୁ ହୋଇ ଥିବାରୁ ଏହାଙ୍କୁ ଶ୍ରୀଜଗନ୍ନାଥଙ୍କ ଈଶାଣ ବା ଗୁରୁ ଭାବରେ ବିବେଚନା କରି ଉଭୟ ଶୈବ ଓ ବୈଷ୍ଣବ ଚେତନାର ମିଳନ କରାଯାଇଛି।

ଶ୍ରୀ ମନ୍ଦିର ସତ୍ୱଲିପି ଅନୁସାରେ ଏହି ମନ୍ଦିର ଟି ପ୍ଲଟ ନମ୍ବର ୧୩୬ ରେ ଅବସ୍ଥିତ। ମନ୍ଦିର ବେଢାଠାରୁ ପ୍ରାୟ ୨୫ ଫୁଟ ତଳେ ଏହି ମହାଦେବଙ୍କ ଶକ୍ତି ପ୍ରତିଷ୍ଠା ହୋଇଛନ୍ତି। ମନ୍ଦିରର ସମ୍ପୂର୍ଣ ବିବରଣୀ ସହ ସେବା ପୂଜା ଇତ୍ୟାଦି ବିଷୟରେ ଜାଣିବା ଆଗାମୀ ଅଧ୍ୟlୟମାନଙ୍କରେ, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।

ମୋର ଅମୃତ କଥା ସାର
ଶ୍ରବଣେ ଶ୍ରଦ୍ଧା ନିତ୍ୟ ଯାର।
ମୋ ରୂପ ଧ୍ୟାନେ ଦୃଢ ମତି
ସକଳ ମୋତେ ସମର୍ପନ୍ତି ।
ସେବକ ଭାବେ ଆତ୍ମା ମନ
ମୋ ପଦେ କରେ ନିବେଦନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.