ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ମା ବିମଳାଙ୍କ ବିଷୟରେ ଆଲୋଚନା ଜାରି ରହିଛି, ଶାରଦୀୟ ପୂଜା ସମୟରେ ଏଠାରେ ବଳି ପ୍ରୋକ୍ଷଣ ଓ ଆମିଷ ଭୋଗ ଅର୍ପଣ କିପରି ହୋଇଥାଏ ତାହା ଆମେ ଆଲୋଚନା ପ୍ରସଙ୍ଗରେ ଜାଣିଲେ। ଏହା ମଧ୍ୟ ଜାଣିଲେ ଯେ ମା ବିମଳା ପରମ ସାତ୍ଵିକ ଓ ଶୁଦ୍ଧ। ଏତେ ସବୁ ଆଲୋଚନା ପରେ ମନରେ ସ୍ୱତଃ ଦେବୀଙ୍କ ଦର୍ଶନ ଇଚ୍ଛା ଜାଗ୍ରତ ହେଉଛି। ଆସନ୍ତୁ ତେବେ ପ୍ରବେଶ କରିବା ମୁଖ୍ୟ ମନ୍ଦିର ବା ଗର୍ଭଗୃହ ମଧ୍ୟରେ ଏହାରି ମଧ୍ୟ ଭାଗରେ ଏକ ଶକ୍ତି ପୀଠ ଉପରେ ବିରାଜମାନ କରିଛନ୍ତି ମା ବିମଳା। ଏହି ବିଗ୍ରହ ମଧ୍ୟ ଦଣ୍ଡାୟମାନ ଅବସ୍ଥାରେ ଏକ ପ୍ରସ୍ଫୁଟିତ ଶ୍ୱେତପଦ୍ମ ଉପରେ ଉଭା ହୋଇଛନ୍ତି। କମନୀୟ ମଣିମୟ ବିଗ୍ରହ ଦେବୀଙ୍କର ରହିଛି ଚାରି ହସ୍ତ ଓ ତ୍ରିନୟନ। ସିଂହାସନ ସହ ସମ୍ପୂର୍ଣ ବିଗ୍ରହଙ୍କ ଉଚ୍ଚତା ପ୍ରାୟ ଛଅ ଫୁଟ। କେବଳ ବିଗ୍ରହଙ୍କ ଉଚ୍ଚତା ପ୍ରାୟ ପାଞ୍ଚ ଫୁଟ ହେବ। ଦେବୀଙ୍କ ବିଗ୍ରହ ଦୁଇ ପାର୍ଶ୍ଵରେ ଯଥା ଦକ୍ଷିଣ ପାର୍ଶ୍ଵରେ ମାୟା ଓ ବାମ ପାର୍ଶ୍ଵରେ ଛାୟା ଦେବୀ ବିରାଜମାନ କରିଛନ୍ତି । ନାନା ଅଳଙ୍କାର ବିମଣ୍ଡିତ ହୋଇ ଦେବୀ ଅପୂର୍ବ ଶୋଭା ଧାରଣ କରିଛନ୍ତି. ଦେବୀଙ୍କ ଉପର ଦୁଇ ହସ୍ତରେ ଅକ୍ଷମାଳ ଓ ପାଶ, ତଥା ତଳ ଦୁଇ ହସ୍ତରେ ସୁଧାକଳସ ଓ ଅଭୟ ମୁଦ୍ରା ସୁଶୋଭିତ ଅଟେ। କେତେ ଗବେଷକ ମତ ଦିଅନ୍ତି ଦେବୀ କିଛି ଆୟୁଧ ଧାରଣ କରିଛନ୍ତି ଯଥା ବର, ପାଶ, ଅଙ୍କୁଶ ଓ ଅଭୟ ମୁଦ୍ରା ବୋଲି ବିବେଚନା କରାଯାଏ। ବିଗ୍ରହ ଅତ୍ୟନ୍ତ ପ୍ରାଚୀନ ହୋଇଥିବାରୁ ସଠିକ ଅନୁମାନ କରି ହେଉନଥିବା ବୋଲି ମତ ଆସିଛି। ମନ୍ଦିର ବିମାନର ଦ୍ୱାର ବନ୍ଧ ଉପରେ ତୋରଣ ଲଷ୍ମୀ ଓ ନିମ୍ନ ଦେଶରେ ଦ୍ୱାରପାଳ ଭାବରେ ଚଣ୍ଡ ଓ ପ୍ରଚଣ୍ଡ ନାମକ ଦୁଇ ଭୈରବ ଉପସ୍ଥିତ ଅଛନ୍ତି। ପାର୍ଶ୍ଵ ଦେବା ଦେବୀ ହିସାବରେ ଦଶ ମହାବିଦ୍ୟାଙ୍କ ଚିତ୍ର ପ୍ରତିମା ସହ ଗଣେଷ ଓ କାର୍ତ୍ତିକେୟ ବିରାଜିତ। ଆସନ୍ତୁ ଏପରି ଅପରୂପ ଦେବୀଙ୍କୁ କରିବା ଆରାଧନା।
“ରଜତ ଗିରି ପ୍ରକାଶା ଚକ୍ରମୌଳି ପରେଶୀ, ମଣିମୟ ମୁକୁଟାଢ୍ୟl ସ୍ମିତହାସ୍ୟା ସୁକେଶୀ, କନକଖଚିତ ବାସl ରତ୍ନ ମୋୖକ୍ତେୟହାରା ପରିହିତ ଗଳଦେଶେ ଦୀପ୍ତ ନକ୍ଷେତ୍ର ମାଳା, ଧୃତକର ମନୁଜେଂକ ବ୍ୟାଳଛନ୍ଦଂ ଦଧାନା, ପିୟୁଷ କଳଶ ଦିବ୍ୟଂ ମାଳିକା ଢ୍ୟଂ କରାବଜୈ ଧବଳ କମଳ ପୀଠ ରୂଢକୈବଲ୍ୟ ଦାତ୍ରୀ, ପଦ ସରସ୍ବିଜ ବନ୍ଦେ ବିମଳେତ୍ୱାଂ ନମାମି ।”
ଜୟ ମା ବିମଳା ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )
Comments are closed.