ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତଥା ଶଙ୍ଖକ୍ଷେତ୍ର ମଧ୍ୟରେ ସର୍ବ ପୁରାତନ ସ୍ଥାନ ହିସାବରେ ଯେଉଁ କେତୋଟି ସ୍ଥାନ କଥା ମନକୁ ଆସେ, ତା ମଧ୍ୟରେ ଅନାଦି କାଳରୁ ଏହି କ୍ଷେତ୍ରର ମହତ୍ୱ ବର୍ଦ୍ଧନ କରିଥିବା ଚାରି ଆଶ୍ରମ କଥା ସର୍ବାଗ୍ରେ ଚିନ୍ତାର ପରିସର ମଧ୍ୟକୁ ଆସୁଛି । କଥିତ ଅଛି ଦେବତାମାନଙ୍କ ପରି, ପୁରାଣ ପ୍ରସିଦ୍ଧ ଋଷିମାନେ ମଧ୍ୟ ପ୍ରାଚୀନ କାଳରେ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ଆସୁଥିଲେ । ଏହି କ୍ଷେତ୍ରର ପବିତ୍ରତା ଓ ସବୁଦିନ ମହାପ୍ରଭୁଙ୍କ ଦର୍ଶନ ଓ ଅର୍ଚ୍ଚନ ପାଇଁ ଅଙ୍ଗିରା, କଣ୍ଡୁ, ଭୃଗୁ ଓ ମାର୍କଣ୍ଡେୟ ଶ୍ରୀମନ୍ଦିର ଚାରି ଦିଗରେ ନିଜର ଆଶ୍ରମ ପ୍ରତିଷ୍ଠା କରି ରହିଥିଲେ। ଏହା ହିଁ ଶ୍ରୀକ୍ଷେତ୍ରର ପବିତ୍ର ଚାରି ଆଶ୍ରମ। ଏହାର ପ୍ରାଚୀନତା କଥା ଚିନ୍ତା କରିବା ବାହୁଲ୍ୟ ମାତ୍ର । କାରଣ ଏହି କ୍ଷେତ୍ର ଏତେ ପ୍ରାଚୀନ ଯେ, ଏଠାରେ କେଉଁ ଋଷି କେଉଁ ସମୟରେ ଆସି ଆଶ୍ରମ ସ୍ଥାପନା କଲେ ତାହାର ପ୍ରକୃତ ଇତିହାସ ଖୋଜିବା ଅତ୍ୟନ୍ତ କଷ୍ଟକର। ଚାରି ଆଶ୍ରମ ବିଷୟରେ ପୃଥକ ପୃଥକ ଆଲୋଚନା ସମୟରେ କିଛିଟା ଆଲୋକପାତ କରିବାକୁ ଚେଷ୍ଟା କରାଯାଇପାରେ। ପାବନ ଶ୍ରୀକ୍ଷେତ୍ରର ପ୍ରାଚୀନତା ବାବଦରେ ସ୍କନ୍ଦ ପୁରାଣ କହେ “ବୈବସ୍ୱତେଅନ୍ତରେ ସପ୍ତବିଂଶ ଚୈଵ ଚତୁଯୁଗେ, ଦ୍ୱାପରାନ୍ତେ ସମାୟାତୌ, ତଦା କୃଷ୍ଣଅର୍ଜୁନାବୁଭୌ ତ୍ରିଦିନାନି ସ୍ଥିତାବ୍ରତ6ସ୍ଥl ମଧୁସୂଦନମ୍ଭ କ୍ତ୍ୟl ସଂପୂଜ୍ୟ ତଂ ସ୍ତୁତ୍ୱl ଜଗ୍ମତୁଃ ଦ୍ଵାରକାଂ ପୁନଃ। ଅର୍ଥାତ ବୈବସ୍ୱତ ମନୁଙ୍କ ସପ୍ତବିଂଶତି ଯୁଗ ବା ଦ୍ୱାପର ଯୁଗର ଶେଷଭାଗରେ ସ୍ୱୟଂ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କ ସହ ଏହି ଶ୍ରୀକ୍ଷେତ୍ରକୁ ଆସି ତିନିଦିନ ଏଠାରେ ଅବସ୍ଥାନ କରିଥିଲେ। ମହାପ୍ରଭୁଙ୍କ ପୂଜା, ଅର୍ଚ୍ଚନା କରିବା ପରେ ଦ୍ଵାରକା ଫେରିଥିଲେ। ତେଣୁ କେଉଁ ଋଷି କେଉଁ ସମୟରେ ଆସି ଆଶ୍ରମ ସ୍ଥାପନ କଲେ ତାହା ନିଶ୍ଚୟ ଗବେଷଣା ସାପେକ୍ଷ।ଏହି ଯେମିତି ଆମେ ଶୁଣିଛେ ପ୍ରଳୟ କାଳରେ ପ୍ରଳୟ ଜଳରେ ଭାସି ଆସି ପରଂବ୍ରହ୍ମ ବାଳମୁକୁନ୍ଦ ଙ୍କ ଆଶ୍ରୟରେ ଋଷି ମାର୍କଣ୍ଡେୟ ଏହି କ୍ଷେତ୍ରରେ ଆଶ୍ରମ କରିଥିଲେ। ଆଗାମୀ ଅଧ୍ୟାୟରେ ତାହା ଆଲୋଚନା କରିବା ଏବେ ଆରାଧନା ଓ ଭାଗବତ ପଠନ ସମୟ।
ଆରତ ଜନ ପ୍ରାଣୀଙ୍କର
ମୁଁ ଯେହ୍ନେ ଶରଣ ପଞ୍ଜର।
ପରଲୋକର ପାଇଁ ଜନ
ଯେହ୍ନେ ଭରସା କରେ ଧର୍ମ ।
ସନ୍ଥ ଚରଣ ସେହିମତେ
ନିସ୍ତାର ହେତୁ ଏ ଜଗତେ।
ଜୟ ଜଗନ୍ନାଥ (ଦ. ତ୍ରି.ଉବାଚ )
Comments are closed.