Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୪

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁବ୍ରହ୍ମ ଜଗନ୍ନାଥଙ୍କ ନୟନ ସଦା ଉନ୍ମୁକ୍ତ। ଏଥିରେ ଭ୍ରୂଲତା ବା “ଲୋମପତା “ନାହିଁ। ତେଣୁ କୁହାଯାଏ ସେ ଚିରଜାଗ୍ରତ। ଏଣେ କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁ ସ୍ୱରୂପ ବିବେଚନା କରି ତାଙ୍କର କ୍ଷୀରାଣ୍ଣବ ଶାୟୀ ଶୟନ ବିଗ୍ରହ ଚିନ୍ତା କଲେ ଜଣାଯାଏ। “ଯୋଗନିଦ୍ରା “ଙ୍କ ପ୍ରଭାବରେ ପରଂବ୍ରହ୍ମ ବିଷ୍ଣୁ ନିଦ୍ରାଭିଭୂତ ଅବସ୍ଥାରେ ଅନନ୍ତ ନାଗ ଶଯ୍ୟାରେ ବିରାଜମାନ ଥାନ୍ତି। କିନ୍ତୁ ଏହି ଶୟନ ଅବସ୍ଥାରେ ସୃଷ୍ଟି ପାଳନ ଉଦେଶ୍ୟରେ ନିଜ ନାଭି କମଳରୁ “ବ୍ରହ୍ମl “ଙ୍କୁ ଉତ୍ପନ କରିଥାନ୍ତି । ସେହି ଯୋଗନିଦ୍ରା, ପୁରୁଷୋତ୍ତମ କ୍ଷେତ୍ରରେ “ତlମସୀ ମାୟା “ସ୍ୱରୂପରେ ଚକାନୟନରେ ଆଶ୍ରୟ ନେଇଛନ୍ତି। ତାଙ୍କରି ପ୍ରଭାବରେ ଚିରଜାଗ୍ରତ ଦାରୁବ୍ରହ୍ମଙ୍କୁ ଦର୍ଶନ ମାତ୍ରେ ଭକ୍ତ ସବୁକିଛି ଭୁଲି ଯାଏ । ବିମୋହିତ ହୋଇ ପ୍ରଭୁଙ୍କୁ ଚାହିଁ ରହେ। ଏହା ମଧ୍ୟ ଭକ୍ତ ମୁଖରେ ଶୁଣାଯାଏ ଯେ କିଛି ଦୁଃଖ ଜଣେଇବାର ଥିଲେ । ପ୍ରଥମେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ ଜଣାଯାଇଥାଏ। ସେ ଯାହା ହେଉ ଯୋଗନିଦ୍ରାଭିଭୂତ ବିଷ୍ଣୁଙ୍କ ପରି ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଶୟନମୁଦ୍ରାରେ ଥିବା ସ୍ଵର୍ଣ ନିର୍ମିତ୍ତ “ଶୟନମୂର୍ତ୍ତି “ବା ଶୟନପ୍ରତିମା “ଉପାସିତ ହୁଅନ୍ତି। ବିଷ୍ଣୁଙ୍କ ଶୟନ ଅବସ୍ଥାରେ । ଅର୍ଥାତ ସୂର୍ଯ୍ୟ ଦକ୍ଷିଣାୟନ ହେଲେ, ହରିଶୟନ ଏକାଦଶୀଠାରୁ ଏହି ଶୟନ ପ୍ରତିମା ଉପାସିତ ହୁଅନ୍ତି। ଶାସ୍ତ୍ର କହେ ବିଷ୍ଣୁଙ୍କର ଏହି ଶୟନ ଅବସ୍ଥାରେ ରାକ୍ଷସ “ମଧୁକୈଟଭ “ଙ୍କ ଭୟରେ ଯୋଗମାୟାଙ୍କୁ ସ୍ତୁତି କରି ପ୍ରଭୁଙ୍କୁ ଯୋଗନିଦ୍ରାରୁ ବିବୋଧନ କଲେ। ଏହାର ବର୍ଣ୍ଣନା ସପ୍ତଚଣ୍ଡୀରେ ମିଳେ ।

“ତୁଷ୍ଟାବ ଯୋଗନିଦ୍ରାଂ ତମେକାଗ୍ର ହୃଦୟସ୍ଥିତଃ, ଵିବୋଧନାର୍ଥାୟ ହରେହ୍ରରି ନେତ୍ର କୃତାଳୟାମ ।

ବିଶେଶ୍ୱରୀଂ ଜଗତଧାତ୍ରୀଂ ସ୍ଥିତି ସଂହାର କରିଣୀୟା । ବ୍ରହ୍ମାଙ୍କର ଏପରି ସ୍ତୁତି ପରେ ଦେବୀ ଯୋଗନିଦ୍ରା ସ୍ୱରୂପିଣୀ ଯୋଗମାୟା ବିଷ୍ଣୁଙ୍କର ନେତ୍ର, ମୁଖ, ନାସା, ବାହୁ, ହୃଦୟ ଓ ବକ୍ଷସ୍ଥଳ ରୁ ଅପସରି ଯାଇଥିଲେ। ଯୋଗନିଦ୍ରା କବଳରୁ ମୁକ୍ତ ହୋଇ ବିଷ୍ଣୁ (ଶ୍ରୀଜଗନ୍ନାଥ )କ୍ଷୀର ସମୁଦ୍ରରେ ଅନନ୍ତ ଶୟନରୁ ଉଠି ପାଞ୍ଚସହସ୍ର ବର୍ଷ ରଣ କରି ଅସୁରଦ୍ବୟଙ୍କୁ ନିଧନ କରି ପୁନଶ୍ଚ ସୃଷ୍ଟି ସର୍ଜନା କଲେ। କାଳିକା ପୁରାଣ ଏହି ଯୋଗନିଦ୍ରା ଯୋଗମାୟାଙ୍କୁ ବାସୁଦେବଙ୍କ ନାୟିକା ମା ବିମଳା ବୋଲି ବର୍ଣ୍ଣନା ଦିଏ। ଯଥା “ପୂଜ୍ୟତେ କର୍ଣ୍ଣିକା ମଧ୍ୟେ ବାସୁଦେବସ୍ତୁ ନାୟକମ
ବିମଳା ନାୟିକା ତସ୍ୟ ବାସୁଦେବସ୍ୟ କୀର୍ତ୍ତିତା “(କାଳିକା ପୁରାଣ )।

ସେ ଯାହା ହେଉ ଦେବୀ ଯୋଗନିଦ୍ରା, ବିମଳା ସ୍ୱରୂପିଣୀ, ତଥା ଭଗବତୀ ଭଦ୍ରା ଅଟନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷ୍ଣୁ ରୁପ ଶୟନ ପ୍ରତିମା ବ୍ୟତୀତ ଶ୍ରୀମନ୍ଦିରରେ ପୂଜା ପାଉଥିବା ଏକ ଦକ୍ଷିଣାବ୍ରତ ଶଙ୍ଖ। ଯାହା ମଧ୍ୟରୁ ଅହରହ ବିଷ୍ଣୁସହସ୍ର ନାମ ଉଚ୍ଚାରଣ କାନ ପାଖରେ ରଖିଲେ ଶୁଣାଯାଏ ତାହା ବି ବିଷ୍ଣୁ ଉପାସନାର ଏକ ବଳିଷ୍ଠ ପ୍ରମାଣ। ଆଗାମୀ ସମୟରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ମହାବିଷ୍ଣୁ )ଙ୍କ ମନ୍ଦିରରେ ପଞ୍ଚକୋଶ, ଯମଶିଳା, ଦର୍ପଣଶିଳାର ବିଶେଷତ୍ୱ ଜାଣିବା। ବର୍ତ୍ତମାନ ଆରାଧନା କରିବା “ଏ ଦାରୁବ୍ରହ୍ମ ଜଗନ୍ନାଥ, ନାମ ବ୍ରହ୍ମ ଖ୍ୟାତ ଜଗତ ଏହାଙ୍କ ଉପାସନା କର, ତରିବ ସଂସାର ସାଗର। ”

ଜୟ ଜଗନ୍ନାଥ
(ଦ. ତ୍ରୀ. ଉବାଚ )

Comments are closed.