Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ ବିଷୟରେ ଆଲୋଚନା କରିବା ସମୟରେ ଆମେ କିଛି ବର୍ତ୍ତମାନ ପ୍ରଚଳିତ ସେବା ଓ କିଛି ଆଗରୁ ପ୍ରଚଳିତ ଥିବା ଓ ବର୍ତ୍ତମାନ ବନ୍ଦ ହୋଇ ଯାଇଥିବା ସେବା ବିଷୟରେ ଆଲୋଚନା କଲେ । ଆଜି ମଧ୍ଯ ଆଲୋଚନା କରିବା ସେହିପରି ଗୋଟିଏ ପ୍ରଚଳିତ ସେବା ଓ ଗୋଟିଏ ବନ୍ଦ ହୋଇଯାଇଥିବା ସେବା ବିଷୟରେ। ପ୍ରଥମେ ଜାଣିବା ପର୍ବଯାତ୍ରା ଯୋଗାଣିଆ ସେବା ।

ଏଭଳି ଏକ ଅଜବ ନାମକରଣରୁ ଅନୁମାନ ହୁଏ ଏମାନେ କେବଳ ପର୍ବ ପର୍ବାଣୀ ଓ ଯାନିଯାତ୍ରା ସମୟରେ କିଛି ଯୋଗାଉଥିବେ। ନା ଏହା ସମ୍ପୂର୍ଣ ଅମୁଲକ ଅନୁମାନ, ପ୍ରକୃତରେ ଏମାନେ ବ୍ରlହ୍ମଣ ସେବକ କିନ୍ତୁ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। ତଥାପି ଏହାଙ୍କ ସେବା ବଂଶାନୁକ୍ରମିକ ଭାବେ ଚାଲିଥାଏ। ମୁଖ୍ୟତଃ ଏମାନେ ପ୍ରତିଦିନ କୋଠ ଭୋଗ ଛଡା ସବୁ ପର୍ବ ପର୍ବାଣୀରେ (କୋଠ ଭୋଗ ଯୋଗାଣିଆଙ୍କ କାର୍ଯ୍ୟ ବାଦ ଯାଇ ) କୋଠଭୋଗ ଜିନିଷମାନ ଗୋଦାମରୁ ଆଣି ରୋଷଆଡେ ମହାସୁଆରଙ୍କୁ ଜିମା ଦେଇଥାନ୍ତି। ପୂଜା ନିମନ୍ତେ ଆବଶ୍ୟକ ଦୁବ, ବରକୋଳି ପତ୍ର, ସିନ୍ଦୁର, କଦଳୀ ପତ୍ର, ବାଲି, ରାଶି, ପଇତା, ଆମ୍ବଡାଳ, ଗଙ୍ଗାଜଳ ଇତ୍ୟାଦି ସଂଗ୍ରହ କରି ଯୋଗାଇଥାନ୍ତି । ସବୁଠାରୁ ନିଆରା ସେବା ହିସାବରେ ଏହି ସେବକମାନେ କିଛି ନିର୍ଦ୍ଧିଷ୍ଟ ଫୁଲ ସିଞ୍ଚନ କରିବାର ଅଧିକାର ପାଇଥାନ୍ତି । ସେଥିମଧ୍ୟରେ ତାଳଧ୍ୱଜ ରଥରେ ଶୁକ୍ଳ ସୁବାସିତ ଫୁଲ ସିଞ୍ଚିବା କାର୍ଯ୍ୟ ଓ ବଡ଼ ଚାପରେ (ବାହାର ଚନ୍ଦନ ସମୟରେ) ବିଜେ ରାମକୃଷ୍ଣ ବିଜେ ପ୍ରତିମାଙ୍କ ଉପରେ ନିଜେ ସଂଗ୍ରହ କରିଥିବା ଶୁକ୍ଳ ସୁବାସିତ ଫୁଲ ଆଣି ସିଞ୍ଚନ କରନ୍ତି। ଏହାକୁ ଆମେ ସେବା କହିବା ବା ନିଜର ଭାବ ପ୍ରକଟ କରିବା କହିବା ତାହା ଆପଣ ବିଚାର କରିବେ। କିନ୍ତୁ ପ୍ରଭୁଙ୍କର ସେବକ ତାଲିକାରେ ଏହି ସେବକଙ୍କ ନାମ ଜଡିତ ହୋଇ ରହିଛି।

ଏବେ ଜାଣିବା ସେହି ସେବା ବିଷୟରେ ଯାହା ଆଗରୁ ପ୍ରଚଳିତ ଥିଲା କିନ୍ତୁ ବର୍ତ୍ତମାନ ବନ୍ଦ ହୋଇଛି ତାହା ହେଉଛି ଶଙ୍ଖୁଆ ସେବା । ଠିକ କାହାଳିଆ ସେବା ପରି ଏହି ସେବକମାନେ ଦୈନିକ ସକାଳ ଧୂପ ପଟୁଆର ବେଳେ ଜଗମୋହନରେ ଶଙ୍ଖ ଧ୍ୱନି କରୁଥିଲେ। ଏହାଛଡା ସମସ୍ତ ବିଜେ, ଯାନିଯାତ୍ରା, ତଥା ବିବାହ ନୀତିରେ ଶୁଭ ଶଙ୍ଖ ବଜାଉଥିଲେ, ଏମାନେ ଶୁଦ୍ର ସେବକ ବିନା ଶାଢ଼ୀବନ୍ଧା, ତଥା ସେବାଟି ବଂଶlନୁକ୍ରମିକ ନଥିବାରୁ ବର୍ତ୍ତମାନ ବନ୍ଦ ହୋଇ ଯାଇଛି। ବନ୍ଦ ହେବାର ପ୍ରକୃତ କାରଣ ଜଣା ନାହିଁ। କିନ୍ତୁ ସାମ୍ପ୍ରତିକ ସମୟରେ ଏପରି ସେବକଙ୍କ ଅଭାବ ହିଁ ଏହାର ବନ୍ଦ ହେବାର ମୂଖ୍ୟ କାରଣ। ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ଏମିତି ବିଶେଷ ସେବା ଓ ସେବକଙ୍କ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ପ୍ରଭୁଙ୍କର ଆରାଧନା ଓ ଭାଗବତ ପଠନର ଧାରା ଜାରିରଖିବା ।

କ୍ଷଣେ ଆୟୁଷ ଭାରତରେ
ମନ ଯାହାର କୃଷ୍ଣ ଠାରେ ।
ସେ ପ୍ରାଣୀ ସର୍ବ ଶ୍ରେଷ୍ଠ ହୋଇ
ତାହାର ସମ କେହି ନାହିଁ ।
ମହତେ ଯାହା ଆଚରିବେ
ଇତରେ ତାହା ହିଁ କରିବେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.