Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି କ୍ରମରେ ଆମେ ଆଜି ଜାଣିବା କିଛି ଏମିତି ସେବକଙ୍କ ବିଷୟରେ ଯେଉଁମାନେ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ସେବା ନକରିଲେ ମଧ୍ଯ ପରୋକ୍ଷ ସେବାରେ ଏହାଙ୍କ ଯୋଗଦାନ ନିହାତି ଆବଶ୍ୟକ ହୋଇଥାଏ । ଯେମିତି କରତିଆ, ରଥଭୋଇ ଓ କଳାବେଠିଆ ସେଵା ଯାହା ନିୟମିତ ନୁହେଁ କିନ୍ତୁ ଦରକାରୀ ।
ପ୍ରଥମେ ଆଲୋଚନା କରିବା କରତିଆ : ଏହାର ନାମକରଣରୁ ଜଣା ପଡୁଛି ଏମାନେ କାଠ କାଟିବା କାର୍ଯ୍ୟ କରୁଥିବେ। ପରମ୍ପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରା ପାଇଁ ଯେଉଁ ତିନୋଟି ରଥ ନିର୍ମିତ୍ତ ହୁଏ । ତାହା ନୂଆ କାଠରେ ହୋଇଥାଏ । ତେଣୁ ପଣାସଂକ୍ରାନ୍ତିଠାରୁ ଅନୁକୂଳ ହୋଇ ଏହି ରଥକାଠ କାଟିବା କାର୍ଯ୍ୟ ଏହିମାନେ କରିଥାନ୍ତି। ଏହି ସେବା ବଂଶାନୁକ୍ରମିକ ଭାବେ କରୁଥିଲେ ମଧ୍ଯ ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି ।

ରଥଭୋଇ : ନିଶ୍ଚିତ ଭାବରେ ଏହି ସେବକ ଗୋଷ୍ଠୀ ରଥ ସହ ଜଡିତ ଏହା ନାମକରଣରୁ ସ୍ପଷ୍ଟ ହୁଏ । ଏହା ମଧ୍ଯ ବଂଶାନୁକ୍ରମିକ ସେବା ଓ ଏମାନେ ମଧ୍ଯ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। ଏମାନଙ୍କ ମଧ୍ୟରେ ଜଣେ ସର୍ଦ୍ଦାର ଥାନ୍ତି। ଏହି ସର୍ଦ୍ଦାର ଭୋଇ ନିଜେ କାମ କରିବା ସହ ଅନ୍ୟ ମୁଲିଆ ଲଗାଇ ରଥ କାମ କରାନ୍ତି। ସେହିପରି ଚନ୍ଦନ ସମୟରେ ରଥ ନିର୍ମାଣ ସମୟରେ ଯେତେ ଛାମୁଣ୍ଡିଆ ଦରକାର ହୁଏ ତାହା ଏହିମାନେ ନିର୍ମାଣ କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ରହିଥିବା ଚାପ ଡ଼ଙ୍ଗା ଉଠାଇ ପୁଣି ଚନ୍ଦନ ଯାତ୍ରା ଶେଷ ପରେ ପୁଣି ପାଣିରେ ବୁଡାଇ ରଖନ୍ତି । ସେହିପରି ରଥଯାତ୍ରା ସମ୍ପୂର୍ଣ ହେବା ପରେ ପୁରୁଣା ରଥ ଗୁଡିକୁ ଭାଙ୍ଗି ଦିଅନ୍ତି ଓ ଚକ କାଠ ଇତ୍ୟାଦି ଅଲଗା ଅଲଗା ରଖନ୍ତି। କାଳୀୟ ଦଳନ ନୀତିରେ ମାର୍କଣ୍ଡ ପୋଖରୀରେ ଭାଡ଼ି ତିଆରି କରନ୍ତି। ସ୍ନାନ ବେଦୀରେ ଓ ରଥଯାତ୍ରା ସମୟରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟ କରିଥାନ୍ତି।

କଳାବେଠିଆ : ଏହି ନାମ କରଣରୁ ସ୍ପଷ୍ଟ ଯେ ଏମାନେ ପରୋକ୍ଷ ସେବକ ଓ ଆବଶ୍ୟକ ସମୟରେ ଯଥା ଶ୍ରୀଗୁଣ୍ଡିଚା ଓ ବାହୁଡ଼ାଯାତ୍ରାରେ ରଥ ଟଣାରେ ସାହାଯ୍ୟ କରନ୍ତି। କିନ୍ତୁ ପ୍ରତିବର୍ଷ ହେରା ପଞ୍ଚମୀ ବାସିଦିନ ତିନି ରଥର ଦକ୍ଷିଣ ମୋଡ଼ କରନ୍ତି। ସାଧାରଣତଃ ଏମାନେ ବାଟଗାଁ, ସମଗରା (ପୂରୀ ସଦର ), କପିଳେଶ୍ଵରପୁରର ମଙ୍ଗରାଜପୁର ଗାଁ ମାନଙ୍କର ପ୍ରଜା ଅଟନ୍ତି ଓ ନିଃଶୁଳକ ସେବା ଯୋଗାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ପୁଣି କିଛି ଏହିପରି ସେବକଙ୍କ ବିଷୟରେ। ଏବେ କରିବା ଆରାଧନା ଓ ଭାଗବତ ପଠନ ।

ସେ ଧର୍ମ ଗୂଢ଼ତତ୍ତ୍ୱ ଜାଣି
କେ ତାହା କହୁ ପରିମାଣି ।
ତୁ ସର୍ବ ଧର୍ମ ଜ୍ଞାନ ଦାତା
ତୁ ସର୍ବ କର୍ତ୍ତା ବକ୍ତା ପିତା ।
ଭକ୍ତି ଲକ୍ଷଣ ଧର୍ମ ଯେତେ
ଭୋ ନାଥ କହ ମୋ ଅଗ୍ରତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.