Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ଯେତିକି ରହସ୍ୟମୟ, ତାଙ୍କର ସେବକ ଗୋଷ୍ଠୀ ମଧ୍ଯ ସେହିପରି ବ୍ୟାପକ। ଆମେ ପ୍ରତିଦିନ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ଭାବରେ ନିୟୋଜିତ କିଛି କିଛି ସେବକଙ୍କ ବିଷୟରେ ଆଲୋଚନା କରି ସାରିଛେ। ସେହି କ୍ରମରେ ଆଜି ଆସନ୍ତୁ ଜାଣିବା ତିନୋଟି ସେବା ବଷୟରେ ।
୧. ଚକ୍ର ଦିହୁଡିଆ ୨ . ବlଣୁଆ ୩. ଓଝା ମହାରଣା

ପ୍ରଥମେ ଜାଣିବା ଏକ ନିଆରା ସେବକ ଚକ୍ର ଦିହୁଡିଆଙ୍କ ବିଷୟରେ। ଏମାନେ ଶୁଦ୍ର ଜାତିର ସେବକ। ବଂଶାନୁକ୍ରମିକ ଭାବରେ ସେବା ଯୋଗାଇ ଦେଉଛନ୍ତି । କିନ୍ତୁ ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। ମୁଖ୍ୟତଃ ଏକ ଚକ୍ରାକୃତି ଦିହୁଡି ଧରୁଥିବାରୁ ଏମାନେ ଚକ୍ର ଦିହୁଡିଆ ଭାବେ ପରିଚିତ। ମଧ୍ୟାହ୍ନ ଧୂପରେ ଦିଅଁଙ୍କର ଯେତେବେଳେ ବିଜେ ହେବ, ଏମାନେ ଚକ୍ର ଦିହୁଡି ଧରି ଚାଲିବେ । ସ୍ନାନଯାତ୍ରା, ରଥଯାତ୍ରାର ପହଣ୍ଡି, ବାହୁଡା଼ ପରେ ନୀଳାଦ୍ରି ବିଜେ ପହଣ୍ଡି, ସେହିପରି ଦୟଣା ଚୋରି, ଚନ୍ଦନଯାତ୍ରାର ଚାପରେ ବୁଲିବା ସମୟରେ, ଦୋଳ ଯାତରେ, ରୁକ୍ମିଣୀ ହରଣ, ବିବାହ ଇତ୍ୟାଦିରେ ଦିହୁଡି ଜାଳିବା କାମ ଏହି ସେବକମାନେ କରିଥାନ୍ତି। ଏହାଙ୍କ ଆଉ ଏକ ସେବା ହେଲା “ଅଣସର ଚୁନା ସେବା “. ଏହି ସେବା କରିବା ସମୟରେ ସମ୍ପୂର୍ଣ ଶୁଦ୍ଧ ଭାବରେ ରହି, ହବିଷ ସେବନ କରି ଅଣସର ଖଳି ଲାଗି ପାଇଁ ଆବଶ୍ୟକ ଗହମ ଲଷ୍ମୀଙ୍କ ଜଗମୋହନରେ ଚୁରି ଦିଅନ୍ତି।

ଏବେ ଆଲୋଚନା କରିବା ଓଝା ମହାରଣାଙ୍କ ବିଷୟରେ। ସାଧାରଣ ଭାବରେ ଏମାନେ କମାର ସେବକ ଅଟନ୍ତି। ତେଣୁ ମନ୍ଦିରର ସମସ୍ତ ଲୁହା କାମ ନିଜେ ବା ଅନ୍ୟ କାରିଗରଙ୍କ ସାହାଯ୍ୟ ନେଇ କରିଥାନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ ସେବା ହେଲା ଯେ ବିମଳା ଠାକୁରାଣୀଙ୍କ ଷୋଳ ପୂଜା ସମୟରେ ମହା ଅଷ୍ଟମୀ ରାତ୍ରିରେ ପ୍ରଦତ୍ତ ବଳି ଭୋଗ କାର୍ଯ୍ୟ ଏହି ସେବକ କରିଥାନ୍ତି। ଏହି ସେବା ବଂଶାନୁକ୍ରମିକ ଓ ଏହି ସେବକମାନେ ଶାଢ଼ୀ ବନ୍ଧା ସେବକ ଅଟନ୍ତି।

ବlଣୁଆ ସେବକ, ନାମରୁ ଜଣା ଯାଉଛି ବାଣ ପ୍ରସ୍ତୁତିରେ ଏମାନେ ଲିପ୍ତ ଥିବା ସେବକ। ଶ୍ରୀଜୀଉମାନଙ୍କ ମହାଦୀପ ଉଠିବା ସମୟରେ, ଚନ୍ଦନଯାତ୍ରାର ଚାପ ବେଳେ, ବିବାହ ଉତ୍ସବ ଦିନମାନଙ୍କରେ ଯାହା ବାଣ ଫୁଟା ଯାଏ ସେହିଗୁଡିକ ମନ୍ଦିର ପ୍ରଶାସନଠାରୁ ମୂଲ୍ୟ ନେଇ ଯୋଗାଇ ଦିଅନ୍ତି। ବର୍ତ୍ତମାନ କୌଣସି କାରଣ ବଶତଃ ଏହି ସେବା ବନ୍ଦ ହୋଇଛି। ଆଗାମୀ ଅଧ୍ୟାୟରେ ଜାଣିବା ପୁଣି କିଛି ସେବା ବିଷୟରେ।

ଏବେ କରିବା ଆରାଧନା ଓ ସବୁଦିନ ପରି ଭାଗବତ ପଠନ।

ନାନା ପ୍ରକାର ସେବା ଯେତେ
ଭାବେ କରିବ ଶୁଦ୍ଧ ଚିତ୍ତେ ।
ମୋର ଅମୃତ କଥା ସାର
ଶ୍ରବଣେ ଶ୍ରଦ୍ଧା ନିତ୍ୟ ଯାର ।
ମୋ ରୂପ ଧ୍ୟାନେ ଦୃଢ଼ମତି
ସକଳ ମୋତେ ସମର୍ପନ୍ତି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.