Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନାର ଶେଷ ପର୍ଯ୍ୟାୟରେ ଆଉ ଦୁଇଟି କରଣ ସେବା ଆଲୋଚିତ ହେବ ପ୍ରଥମେ ବେହେରା କରଣ ଓ ଦ୍ଵିତୀୟ ରେ ଚାଉଳବଛା କରଣ। ଏହି ବେହେରା କରଣ ସେବାଟି ମଧ୍ୟ ଏକ ପ୍ରକାର ବ୍ୟକ୍ତିଗତ ସେବା । ପ୍ରାଚୀନ କାଳରେ ଏହି ସେବାଟି ପ୍ରଚଳିତ ଥିଲା କିନ୍ତୁ କୌଣସି କାରଣ ବଶତଃ ଏହା ମଝିରେ ବନ୍ଦ ହୋଇ ପୁନଃ ୧୯୮୮ ମସିହାରୁ ଶ୍ରୀମନ୍ଦିର ସତ୍ୱଲିପି ସଂଶୋଧିତ ହୋଇ ଚଳିଆସୁଛି। ଏହି ସେବା ମଧ୍ଯ ବଂଶାନୁକ୍ରମିକ ଓ ଶାଢ଼ୀ ବନ୍ଧା ସେବା ରୂପେ ସ୍ୱୀକୃତି ପାଇଛି।

ଏମାନେ ଶ୍ରୀମନ୍ଦିର ଓ ଶ୍ରୀନଅର ସହ ସମ୍ପୃକ୍ତ କରଣ ସେବକ ଅଟନ୍ତି। ଏହି ସେବକଙ୍କ ମୂଖ୍ୟ ଦାୟିତ୍ୱ ହେଲା ଦୈନିକ ନୀତି କିପରି ହେଲା ତାହା ଶ୍ରୀମନ୍ଦିର ପ୍ରଶାସକଙ୍କୁ ଜଣାଇବେ ସମ୍ପୂର୍ଣ ୪୨ ଦିନ ଚନ୍ଦନ ଲାଗି ସମୟରେ ଦକ୍ଷିଣ ଦ୍ୱାର(ବେହରଣ ଦ୍ୱାର )ଉପରେ ପାଳିଆ ପ୍ରତିହାରୀଙ୍କ ସହିତ ଉପସ୍ଥିତ ରହି ଭିତର ଗାହାଣୀଙ୍କୁ ତଦାରଖ କରନ୍ତି। ଚନ୍ଦନ ଅର୍ଗଳିଠାରେ ରାମକୃଷ୍ଣଙ୍କ ଚାପ ଉପରେ ଓ ରଥ ଉପରେ ଚାମର ସେବା ଖଟନ୍ତି। ରାମକୃଷ୍ଣଙ୍କ ଚାପରେ ସେବକମାନଙ୍କ ସେବା ତନଖି କରନ୍ତି। କୁହାଯାଏ ଶ୍ରୀ ଶ୍ୟାମସୁନ୍ଦର ଚ୍ୟାଉ ପଟ୍ଟନାୟକ ଙ୍କ ବଂଶଧରମାନେ ଏହି ସେବା ସମ୍ପ୍ରତି କରୁଛନ୍ତି। ସେହିପରି ଚାଉଳ ବଛା କରଣ ସେବକମାନେ ମଧ୍ଯ ଶାଢ଼ୀ ବନ୍ଧା କରଣ ସେବକ ଓ ଏହି ସେବା ବଂଶାନୁକ୍ରମିକ ଅଟେ। ମୁଖ୍ୟତଃ ଏହି ସେବା ନାମକରଣରୁ ଜଣାଯାଏ ଯେ ଏମାନେ ଭୋଗ ପ୍ରସ୍ତୁତି ପାଇଁ ବ୍ୟବହୃତ ଚାଉଳକୁ ବାଛି ସଫା କରନ୍ତି । କୁହାଯାଏ ଦୈନିକ ସକାଳ ଓ ମଧ୍ୟାହ୍ନ ଧୂପ ନିମନ୍ତେ ଚାଉଳ ଓ ମୁଗ ଏମାନେ ନିଜେ ବା ଲୋକ ଲଗାଇ ବାଛି ସଫା କରି ଯୋଗାଇଥାନ୍ତି । ମୁଗ ଭାଙ୍ଗି ଚୋପା କାଢି ସଫା କରିଥାନ୍ତି ନଡପ ଘିଅ ଗୋଦାମରୁ ପୂର୍ବ ରାତିରୁ ସିଲ ହୋଇ ଆସି ଏହାଙ୍କ ପାଖରେ ରହେ। ପ୍ରଭୁଙ୍କର ଅନ୍ନବ୍ରହ୍ମଙ୍କ ସୁନ୍ଦର ସ୍ୱରୂପ ଏହାଙ୍କ ସେବା ଉପରେ ନିର୍ଭର କରିଥାଏ। ତେଣୁ ଆଗାମୀ ଅଧ୍ୟାୟରେ ଜାଣିବା ଏହିଭଳି ଛୋଟ ଛୋଟ ସେବା ବିଷୟରେ ଯାହା ଆଗରୁ ପ୍ରଚଳିତ ଥିଲା ଓ ସମ୍ପ୍ରତି ବନ୍ଦ ହୋଇଛି। ଏବେ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନ।

ଆତ୍ମାକ୍ରୀଡ଼ନେ ନରହରି
ପୂର୍ବେ ଅନେକ ସୃଷ୍ଟି କରି ।
ସଂସାରେ ଖେଳି ନାନାମତେ
ସନ୍ତୋଷ ନ ଲଭିଲା ଚିତ୍ତେ ।
ତେଣୁ ମାନବ ସୃଷ୍ଟି କଲା
ଯହିଁ ବିଶ୍ରାମ ସର୍ବ ଲୀଳା ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.