Latest Odisha News

BREAKING NEWS

ଖୋର୍ଦ୍ଧାରେ ଗୁଳିମାଡ଼ ଘଟଣା, ବ୍ରାଉନସୁଗାର ମାଫିଆଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖୋର୍ଦ୍ଧା ସାମନ୍ତରାୟ ଛକରେ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନିଶା ବେପାରୀ ସୋମନାଥ। ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛି ତଦନ୍ତକାରୀ ଦଳ।

ନିଶା କାରବାରରୁ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିଲା ପୋଲିସ। ଠେଙ୍ଗାହାଟ ଦୋଳପଡ଼ିଆ ନିକଟରେ ସୋମନାଥଙ୍କୁ ୫ ରାଉଣ୍ଡ ଗୁଳି ଫୁଟାଇ ଘଟଣାସ୍ଥଳରୁ ଫେରାର ହୋଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଥାଉକି, ୨୦୨୧ରେ ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ନେତୃତ୍ବରେ ସୋମନାଥର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଥିଲା। ସୋମନାଥ ବିରୋଧରେ ବ୍ରାଉନ୍‌ସୁଗାର୍‌ କାରବାର, ବେଆଇନ ବନ୍ଧୁକ ରଖିବା, ଦୁଷ୍କର୍ମ ଆଦି ଅପରାଧରେ ପୁରୀରେ ୨ଟି ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୧୨ଟି ମାମଲା ଥିଲା। ଏଥିମଧ୍ୟରୁ ୫ଟି ମାମଲା ବର୍ତ୍ତମାନ ବିଚାରାଧୀନ ରହିଥିବା ବେଳେ ବଳକା ମାମଲାରେ ସେ ଜାମିନ ପାଇଥିଲେ।

Leave A Reply

Your email address will not be published.