Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା 

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ବେଶ ଓ ଅଳଙ୍କାର ବିଷୟରେ ଆଲୋଚନା କରି ସାରିଛେ । ଆଜି ଆଲୋଚନା କରିବା ଦୈନନ୍ଦିନ ରୀତିନୀତି ଓ ଭୋଗ କଥା, ବିମଳା ଦେବୀଙ୍କ ପାଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ କୋଠ ଭୋଗ ସର୍ବଦା ଲାଗି ହୁଏ । କିନ୍ତୁ ଶାରଦୀୟ ମହାପୂଜା ବେଳେ ସ୍ୱତନ୍ତ୍ର ଭାବେ ମାଙ୍କ ରୋଷରେ ନିର୍ମିତ୍ତ ହୁଏ ସ୍ୱତନ୍ତ୍ର ବିମଲେଇ ପିଠା, ଗଜାମଣ୍ଡା, ମୁଆଁ, ଓ ଥାଳି ଖେଚୁଡ଼ି ପ୍ରଭୃତି ମଣୋହି ଚଢା ଯାଇ ଷୋଡଶ ଉପଚାରରେ ପୂଜା ହୁଏ । ଏହି ଦିନମାନଙ୍କରେ ଶ୍ରୀଜୀଉମାନଙ୍କ ତିନି ବାଡ଼ରେ ଯାହା ଭୋଗ ଲାଗେ, ସେ ସବୁ ପୁଣି ମା ବିମଳାଙ୍କ ପାଖକୁ ଆସି ବେଲ ପତ୍ର ପଡି ପୁଣି ନୈବେଦ୍ୟ ହୋଇଥାଏ । ପାରମ୍ପରିକ ଭାବରେ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଛଡା ଲାଗି ହେଉଥିବା ଶୀତଳ ଭୋଗରେ ପ୍ରସ୍ତୁତ ହେଉଥିବା ଶଙ୍ଖୁଡି ଭୋଗ ହେଲା ଖେଚୁଡ଼ି ତିନି ହାଣ୍ଡି, କ୍ଷୀରି ଦୁଇ ହାଣ୍ଡି ପଖାଳ ଏକ ହାଣ୍ଡି, ଭଜା ଏକ ତାଡ଼ ଓ ମାଛ ବେସର ଏକ ତାଡ଼ ଭୋଗରେ କରାଯାଏ । ଶ୍ରୀଜୀଉମାନଙ୍କ ପହୁଡ଼ ପରେ ବିମଳା ଦେବୀ ପ୍ରସାଦ ଲାଗି ହୁଅନ୍ତି । ଏହି ପ୍ରସାଦକୁ କେତେକ ସେବକ ତଥା ବ୍ୟକ୍ତି ବିଶେଷ ଖେଇ ସ୍ୱରୂପ ପାଇଥାନ୍ତି । ଷୋଳପୂଜା ଅବସରରେ ମା ବିମଳାଙ୍କ କିଛି ବିଶେଷ ବେଶ ଅନୁଷ୍ଠିତ ହୁଏ । ଏଗୁଡିକ ହେଲା, ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ ବେଶ, ଶ୍ରୀ ବଗଳା ବେଶ, ଜୟଦୁର୍ଗା ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶ ଭୁଜା ବେଶ, ରାଜ ରାଜେଶ୍ୱରୀ ବେଶ, ହରଚଣ୍ଡୀ ବେଶ, ଓ ସିଂହବାହିନୀ ବେଶ ଅତ୍ୟନ୍ତ ମନ ଲୋଭା ହୋଇଥାଏ । ପୂର୍ବରୁ ବିଜୟା ଦଶମୀ ଦିନ ଉତ୍କଳର ଗଜପତି, ନିଜେ ଓ ପତ୍ର ମନ୍ତ୍ରୀତଥା ଅନୁଚରମାନଙ୍କୁ ସଙ୍ଗରେ ଧରି ମାଙ୍କ ସମ୍ମୁଖରେ ସମର କୌଶଳ ପଦର୍ଶନ ପାଇଁ ନିଜ ଅସ୍ତ୍ର ଶସ୍ତ୍ର ପୂଜା କରୁଥିଲେ । ପରମ ଶକ୍ତିର ଦେବୀ ହିସାବରେ ଦେବୀଙ୍କୁ ସ୍ୱୀକାର କରାଯାଇ କୌଣସି ସମର ଯାତ୍ରା ପୂର୍ବରୁ ଦେବୀଙ୍କ ସ୍ୱତନ୍ତ୍ର ଆରାଧନା ପୂର୍ବକ ଯାତ୍ରାର ଶୁଭ ଅନୁକୂଳ ହେଉଥିଲା । ପରମ୍ପରା କ୍ରମେ ଶ୍ରୀମନ୍ଦିରର କେତେକ ସୁଆରବଡୁ ସେବକ ଓ ଲୋକନାଥ ମନ୍ଦିରର ସେବକ ମା ବିମଳାଙ୍କ ପୂଜକ ହିସାବରେ ସ୍ୱୀକୃତି ଲାଭ କରିଛନ୍ତି । ଶ୍ରୀମନ୍ଦିରର ବେଢ଼ ପତ୍ର ଅନୁଯାୟୀ ଏହି ସେବକମାନେ ନିଜ ନିଜ ପାଳି ଖଟିଥାନ୍ତି । କେତେକ ପଣ୍ଡିତ, ବ୍ରlହ୍ମଣ ବର୍ଗ ମଧ୍ୟ ଉକ୍ତ ମନ୍ଦିରର ନାଟ ମଣ୍ଡପରେ ଅବା ପୂଜା ମଣ୍ଡପରେ ଚଣ୍ଡୀ ପାଠ କରିଥାନ୍ତି । ଆମେ କିନ୍ତୁ କରିବା ଆରାଧନା ।

” ଧ୍ୟlୟେତବିଦ୍ୟୁତ ସମପ୍ରଭାମୁଡ଼ଡୀୟାନ ପୁରେସ୍ୱରିମ ନୃମୁଣ୍ଡ କୁଣ୍ଡଳୀକୁମ୍ଭାନ ଦଧlନାଂ ପରମେଶ୍ୱରୀମ୍, ଅକ୍ଷମାଳାଧରାଂ ଦେବୀଂ ସର୍ବ ଶକ୍ତି ପ୍ରଦାୟିନୀମ ପଦ୍ମପାଦlମହଂ ବନ୍ଦେ ବିମଳା ବିମଳପ୍ରଦାମ “ଅର୍ଥାତ ହେ ବିମଳା !”

ଉଜ୍ୱଳ ବିଦ୍ୟୁତମାଳାର ଜ୍ୟୋତି ତୁମଠାରେ ପ୍ରକାଶିତ, ତୁମେ ଉଡିୟାନ ତନ୍ତ୍ରର ଅଧିଶ୍ବରୀ, ତୁମେ ନରମୁଣ୍ଡ ମାଳିନୀ, ତୁମେ ପରମେଶ୍ୱରୀ, ତୁମେ ଅକ୍ଷମାଳା ବହନକାରିଣୀ, ସମସ୍ତ ଶକ୍ତି ପ୍ରଦାନକାରିଣୀ ନାରାୟଣୀ, ତୁମେ ପଦ୍ମ ଉପରେ ଦଣ୍ଡାୟମାନ ହୋଇଛ । ତୁମେ ବିମଳ ପ୍ରଦା, ତୁମକୁ ପ୍ରଣାମ କରୁଛି ।

ଜୟ ମା ବିମଳା ଜୟ ଜଗନ୍ନାଥ (ଦ.ତ୍ରି.ଉବାଚ )

Comments are closed.