ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା କ୍ରମେ ଆମେ ପହଞ୍ଚି ଯାଇଛେ ମୂଖ୍ୟ ମନ୍ଦିର ନିକଟରେ, ଇତିହାସ କହେ ଓଡ଼ିଶାର ଗଙ୍ଗ ରାଜବଂଶର ଶ୍ରେଷ୍ଠ ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ (୧୦୭୮-୧୧୪୭ ଖ୍ରୀଷ୍ଟାବ୍ଦ ), ଏବର ପରିଦୃଶ୍ୟମାନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ପ୍ରଥମେ ସେ ଶୈବ ପରମ୍ପରାର ପୃଷ୍ଟପୋଷକ ଥିଲେ, କିନ୍ତୁ ବୈଷ୍ଣବ ଧର୍ମର ମୂଖ୍ୟ ପ୍ରବର୍ତ୍ତକ ଶ୍ରୀ ରାମାନୁଜଙ୍କ ପ୍ରଭାବରେ ସେ ବୈଷ୍ଣବ ଧର୍ମଧlରା ପ୍ରତି ଆକୃଷ୍ଠ ହୋଇ ତାର ପୃଷ୍ଠପୋଷକତା କରିଥିଲେ। ଅବଶ୍ୟ ତାଙ୍କ ପୂର୍ବରୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଏକ ବିଶିଷ୍ଟ ଧର୍ମ କ୍ଷେତ୍ର ଭାବରେ ପ୍ରତିଷ୍ଠା ଲାଭ କରି ଥିଲା ଓ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ପ୍ରତିଷ୍ଠା ହୋଇ ସାରିଥିଲା। କିନ୍ତୁ ବର୍ତ୍ତମାନ ଆମେ ଦେଖୁଥିବା ବିଶାଳ ଶ୍ରୀମନ୍ଦିରର ପ୍ରକୃତ ନିର୍ମାତା ହେଉଛନ୍ତି ରାଜା ଶ୍ରୀ ଚୋଡ଼ଗଙ୍ଗ ଦେବ। କୁହାଯାଏ ସେ କେବଳ ଶ୍ରୀକ୍ଷେତ୍ର ପୁରୀଠାରେ ଏହି ବିଶାଳ ମନ୍ଦିର ନିର୍ମାଣ କରି ନଥିଲେ, ତାଙ୍କ ସମୟରେ ଶ୍ରୀକାକୁଲମ ଓ ସିମାଞ୍ଚଳମ୍ ରେ ମଧ୍ୟ ବିଷ୍ଣୁ ମନ୍ଦିର ନିର୍ମିତ୍ତ ହୋଇ ବୈଷ୍ଣବ ଧର୍ମଧାରାର ବିଶେଷ ପ୍ରଚାର ଓ ପ୍ରସାର ହୋଇ ଥିଲା। ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ଏକ ଧାରାରେ ଥିଲେ ବ୍ରାହ୍ମଣ୍ୟ, ବୈଷ୍ଣବ ଓ ଶୈବ ପରମ୍ପରାର ଶ୍ରେଷ୍ଠ ପୃଷ୍ଟପୋଷକ। ସେଥିପାଇଁ ତାଙ୍କୁ ଏହି ସବୁ ଧାର୍ମିକ ପରମ୍ପରା ତରଫରୁ ବିଶେଷ ଉପାଧି, ଯଥା ପରମ ବ୍ରହ୍ମଣ୍ୟ, ପରମ ବୈଷ୍ଣବ ଓ ପରମ ମlହେଶ୍ୱର ପ୍ରଦାନ କରାଯାଇଥିଲା ରାଜା ଚୋଡ଼ଗଙ୍ଗ ଦେବଙ୍କ ସାମ୍ରାଜ୍ୟ ଦକ୍ଷିଣରେ ଗୋଦାବରୀ ନଦୀଠାରୁ ଉତ୍ତରରେ ଗଙ୍ଗା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପ୍ରଥମେ ଏହାର ରାଜଧାନୀ ଥିଲା ସମ୍ପ୍ରତି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ମୁଖଲିଙ୍ଗମଠାରେ। ସେଠାରୁ ସେ ଏହାକୁ ମହାନଦୀ କୂଳରେ ଥିବା ଯଯାତିନଗରକୁ ଘୁଞ୍ଚାଇ ଆଣିଲେ। ଆଗାମୀ ଅଧ୍ୟlୟରେ ଜାଣିବା ବିଭିନ୍ନ ଐତିହାସିକ ମାନଙ୍କ ସ୍ଵ ସ୍ଵ ମତ ଏହି ଶ୍ରୀମନ୍ଦିର ନିର୍ମାଣ ବାବଦରେ। କିନ୍ତୁ ଏହା ସ୍ୱୀକାର କରିବା ଯେ ସ୍କନ୍ଦ ପୁରାଣ ଅନୁସାରେ ଚତୃଦ୍ଧl ମୂର୍ତ୍ତିଙ୍କ ନିର୍ମାଣ ପରେ ଯେଉଁ ମନ୍ଦିରରେ ଶ୍ରୀଜୀଉମାନଙ୍କ ପ୍ରତିଷ୍ଠା ହୋଇଥିଲା ତାହା ବର୍ତ୍ତମାନ ଦୃଶ୍ୟମାନ ଶ୍ରୀମନ୍ଦିର ନୁହେଁ । ଆସନ୍ତୁ ତେଵେ ଇତିହାସ ଖୋଜିବା ସହ କରିବା ଆରାଧନା ।
ଦାରୁବ୍ରହ୍ମ ନିରାକାରଂ ନିର୍ଗୁଣଂ ନିର୍ବିକାରକମ, ନିଶ୍ଚେଷ୍ଟଂ ସର୍ବତୋବ୍ୟାପ୍ତଂ ଭାବାଭାବ ବିବର୍ଜିତମ୍ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.