Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ପ୍ରକାଶର ସ୍ୱରୂପ ଜାଣିବା ପାଇଁ ସମୟ ଉପସ୍ଥିତ ହୋଇଛି। କାରଣ ରାଜା ଇନ୍ଦ୍ରଦ୍ୟୁମ୍ନ ଆୟୋଜନ କରିଥିବା ଅଶ୍ୱମେଧ ଯଜ୍ଞ ପୂର୍ଣ୍ଣ ହେବାକୁ ଆଉ ଗୋଟିଏ ଦିନ ମାତ୍ର। ମନରେ ଉତ୍କଣ୍ଠା ନେଇ ନିଦ୍ରା ଯାଇଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ, ଆଉ ଦେଖୁଛନ୍ତି ଅପୂର୍ବ ସ୍ବପ୍ନ, ଯଜ୍ଞ ଆରମ୍ଭ ପୂର୍ବରୁ ସେ ସ୍ବପ୍ନରେ ଦର୍ଶନ କରିଥିଲେ ବିଷ୍ଣୁଙ୍କ ନୃସିଂହ ରୂପକୁ। ତେଣୁ ଯଜ୍ଞ ଦେବତା ରୂପେ ପ୍ରତିଷ୍ଠା କରିଥିଲେ ଆଦି ନୃସିଂହଙ୍କୁ ଠିକ ଯଜ୍ଞ ବେଦୀ ନିକଟରେ। ଆଉ ଆଜି ଦେଖୁଛନ୍ତି ବିଷ୍ଣୁଙ୍କ ଏକ ଅଦ୍ଭୁତ ରୂପ “ନୀଳ ସମୁଦ୍ର ର ବୁକୁରେ ଭାସୁଛି ଏକ ମହାଦାରୁ (ବ୍ରହ୍ମଦାରୁ )। ଆଉ ଶୁଭୁଛି ଗୁରୁଗମ୍ଭୀର ସ୍ବର “ହେ ରାଜନ ତୁମେ ବିଚଳିତ ନହୋଇ ମୋର ବ୍ରହ୍ମ ସ୍ୱରୂପ ଦାରୁଙ୍କୁ ଆନନ୍ଦରେ ଯଜ୍ଞ ବେଦୀକୁ ନେବ, ସେଠାରେ ମୋ ଦ୍ୱାରା ପ୍ରେରିତ ସ୍ୱୟଂ ବିଶ୍ୱକର୍ମା ନିର୍ମାଣ କରିବେ ମୋ ନୂତନ ସ୍ୱରୂପକୁ ।” କଟିଗଲା ତନ୍ଦ୍ରା ଶୁଭିଲା ପକ୍ଷୀର କାକଳି ରେ ପ୍ରଭାତୀ ସଂଗୀତ। ସତେଜ ହେଲେ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ନାନ ଶୌଚ ଶେଷ କରି ଧାଇଁଲେ ଯଜ୍ଞ ନିକଟକୁ ଆରମ୍ଭ ହେଲା ପୂର୍ଣ୍ଣାହୁତିର କାର୍ଯ୍ୟକ୍ରମ। ସ୍ବପ୍ନକୁ ପରୀକ୍ଷା କରିବା ପାଇଁ ମହୋଦଧି ତୀରରେ ଅନ୍ୱେଷଣ ପାଇଁ ପଠାଇଲେ ସୈନ୍ୟ। ସତକୁ ସତ ବିଶେଷ ଲକ୍ଷଣ ଯୁକ୍ତ ମହାଦାରୁ ସମୁଦ୍ର ବକ୍ଷରେ ଦୃଶ୍ୟମାନ ହେଲା। ରାଜା ମହା ଉତ୍ସବ ସହକାରେ ପବିତ୍ର ଦାରୁଙ୍କୁ ନେଇ ମହାବେଦୀ ଉପରେ ସ୍ଥାପନା କଲେ। ଅନେକ ଶିଳ୍ପୀ, ମହାରଣା ଉକ୍ତ ଦାରୁରେ ବିଗ୍ରହ ନିର୍ମାଣ କରିବାର ଇଚ୍ଛା ପ୍ରକଟ କଲେ। କିନ୍ତୁ ସମସ୍ତେ ହେଲେ ବିଫଳ, ସାମାନ୍ୟ ବକଳଟିଏ ବି ସେ ଦାରୁ ଦେହରୁ ଅଲଗା କରି ପାରିଲେନି କେହି। ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତିତ, ବିବ୍ରତ, ଆଉ ଠିକ ସେହି ସମୟରେ ପହଁଚିଲେ ଜଣେ ଅତ୍ୟନ୍ତ ବୃଦ୍ଧ ମହାରଣା। ନିଜର ପରିଚୟ “ଅନନ୍ତ ମହାରଣା “ବୋଲି କହି ନିଜର ବୃଦ୍ଧାଙ୍ଗୁଳି ନଖ ଦ୍ୱାରା ଦାରୁ ଦେହରେ ଥିବା ବକଳକୁ କାଢିବାରେ ସମର୍ଥ ହେଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ସ୍ବପ୍ନ କଥା ସ୍ମରଣ କରି ସେହି ବୃଦ୍ଧଙ୍କୁ ମହାରଣା ରୂପେ ବରଣ କଲେ। ତାପରେ ଅନନ୍ତ ମହାରଣା ରଖିଲେ ବିଚିତ୍ର ସର୍ତ୍ତ, କହିଲେ “ହେ ରାଜନ ମୁଁ ସମ୍ପୂର୍ଣ ୨୧ ଦିନ ଏକ ନିବୁଜ କୋଠରୀ ମଧ୍ୟରେ ରହି ମୂର୍ତ୍ତି ନିର୍ମାଣ କରିବି। ସେ ସମୟରେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିବି ନାହିଁ। ଆପଣ ଉକ୍ତ କୋଠରୀ ଚାରିପଟେ ସୈନ୍ୟ ମୁତୟନ କରିବେ ଓ କୌଣସି ପରିସ୍ଥିତିରେ ମଧ୍ୟ ଏକୋଇଶି ଦିନ ପୂର୍ବରୁ କବାଟ ଫିଟାଇବେ ନାହିଁ ସେଇଆ ହିଁ ହେଲା । ମହାଦାରୁ ଉପବେଶନ କରିଥିବା ମହାବେଦୀ ଚାରିପଟ ନିବୁଜକରି ନିର୍ମାଣ ହେଲା ଏକ କୋଠରୀ। ନିଜର ସାଜ ସରଞ୍ଜାମ ସହ ଅନନ୍ତ ମହାରଣା ସେହି କୋଠରୀ ମଧ୍ୟକୁ ପ୍ରବେଶ କରିବା ପରେ, ଏହାର ଦରଜାକୁ ବନ୍ଦ କରିଦିଆଗଲା । ସୈନ୍ୟ ମନେ ଜଗି ରହିଲେ ଏହି କୋଠରୀକି, ଭିତରେ ଆରମ୍ଭ ହେଲା ପ୍ରଭୁଙ୍କର ଅପୂର୍ବ ଲୀଳା, ବାହାରକୁ ଶୁଭିଲା କେବଳ ବିଗ୍ରହ ନିର୍ମାଣର ଠକ ଠକ ଶବ୍ଦ। ପ୍ରତିଦିନ ମହାରାଣୀ ଗୁଣ୍ଡିଚା ସେହି ଠକ ଠକ ଶବ୍ଦ ଶୁଣି ଆଶ୍ୱସ୍ତ ହୁଅନ୍ତି ଓ ବିଗ୍ରହ ନିର୍ମାଣର ଧାରା ଆଗେଇ ଚାଲୁ ଥିବାର ଅନୁମାନ କରି ପୁଲକିତ ହୁଅନ୍ତି। କିନ୍ତୁ ଠିକ ପନ୍ଦର ଦିନ ପରେ ସେ ଶବ୍ଦ ବନ୍ଦ, କିନ୍ତୁ ରାଣୀ ଗୁଣ୍ଡିଚାଙ୍କ ହୃଦୟର ସ୍ପନ୍ଦନ ଦୃତ ହେଲା। କିଛି ଅଘଟଣ ଆଶଙ୍କାରେ ମନ ହେଲା ବିଚଳିତ। ଧାଇଁଲେ ରାଜାଙ୍କ ନିକଟକୁ ଆଉ ଅଳି କଲେ ଫିଟାଇ ଦେବାକୁ କବାଟ। ରାଜା ଇନ୍ଦ୍ରଦ୍ୟୁମ୍ନ ନାଚାର ସେପଟେ ଅନନ୍ତ ମହାରଣାଙ୍କ ସର୍ତ୍ତ । ଏପଟେ ରାଣୀ ଗୁଣ୍ଡିଚାଙ୍କ ସହସ୍ର ଅନୁରୋଧ। କାହାର ବିଜୟ ହେଲା, କଣ ଘଟିଲା ସେଦିନ ଜାଣିବା ଆଗାମୀ ଅଧ୍ୟାୟରେ। ଏବେ କରିବା ଆରାଧନା ସେହି ଲୀଳାମୟ ପୁରୁଷଙ୍କୁ ।

“ଦାରୁ ବ୍ରହ୍ମ ନିରାକାରଂ ନିର୍ଗୁଣଂ ନିର୍ବିକାରକମ, ନିଶ୍ଚେଷ୍ଟଂ ସର୍ବତ୍ତୋବ୍ୟାପ୍ତଂ, ଭାବା ଭାବ ବିରାର୍ଜିତମ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.