Latest Odisha News

BREAKING NEWS

ନିର୍ମଳାଙ୍କ ‘ନା’ ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଜାଗିଲା ବିଜେଡି

ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଚତୁର୍ଦ୍ଦଶ ଅର୍ଥ କମିଶନ ସାଧାରଣ ରାଜ୍ୟ ଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ରଖିନଥିବାରୁ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ ନାହିଁ। ତେଲେଙ୍ଗାନାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବା ପଛରେ ଅଲଗା ସର୍ତ୍ତ ରହିଛି। ଯାହା ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ଥିଲା। ନିର୍ମଳାଙ୍କ ଏହି ବୟାନପରେ ଓଡ଼ିଶାର ଶାସକ ଦଳ ସକ୍ରିୟ ହୋଇ ଉଠିଛି।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, କେନ୍ଦ୍ର ସରକାର ଭଲ ଭାବରେ ଜାଣନ୍ତି, ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ସାଜିଥିବାରୁ ପ୍ରତିବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏହା ହାସଲ କରିବା ଲାଗି ବିଜୁ ଜନତା ଦଳ ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀ ଦିନରେ ତାକୁ ଆହୁରି ଶାଣିତ କରିବ।

ନିକଟରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ପୁରୀରେ ଆୟୋଜିତ ବିଶାଳ ସମାବେଶରେ ଦଳ ସୁପ୍ରିମୋ ଏହି ପ୍ରସଙ୍ଗ ଉଠାଇଥିଲେ। ପୂର୍ବରୁ କିନ୍ତୁ ଏ ପ୍ରସଙ୍ଗରେ ନିରବ ରହିଥିଲେ ନବୀନ ଏବଂ ତାଙ୍କ ନେତୃତ୍ୱାଧୀନ ଦଳ।

ବିଜେଡି ଏହି ପ୍ରସଙ୍ଗ ଦୀର୍ଘ ବର୍ଷ ହେବ ଉଠାଇ ଆସୁଛି। ୨୦୧୪ ନିର୍ବାଚନ ଏଜେଣ୍ଡାରେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କଥା ଦୋହରାଇଥିଲା। ହେଲେ ୨୦୧୯ ନିର୍ବାଚନ ବେଳକୁ ନିର୍ବାଚନ ଏଜେଣ୍ଡାରେ ଏବାବଦରେ ବିନ୍ଦୁ ବିସର୍ଗ ଉଲ୍ଲେଖ କରିନଥିଲା। ବରଂ ରାଜ୍ୟ ବିଜେପି କାହିିଁକି ୨୦୧୯ ସାଧାରଣ ନିର୍ବାଚନ ଇସ୍ତାହାରରୁ ଏହି ପ୍ରସଙ୍ଗ ବାଦ ଦେଇଥିଲା ସେ ନେଇ ଅଭିଯୋଗ ଆଣି ବିଜେଡି ଚୁପ୍ ବସିଯାଇଥିଲା।

କିନ୍ତୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ କେନ୍ଦ୍ର ମାର୍ଚ୍ଚ ୨୦୧୮ରେ ଆଭିମୁଖ୍ୟ ସ୍ପଷ୍ଚ କରି ସାରିଛି। ରାଜ୍ୟର ଶାସକ ଦଳ ବିଜେଡି ମଧ୍ୟ ଏହାର ଉତ୍ତର ଜାଣିଛି। ହେଲେ ଏହାପରେ ବି ବିଜେଡି ସମାନ ପ୍ରସଙ୍ଗ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ନା ବିରୋଧ କରିବା ଆଳରେ ଏକ ମୁଦ୍ଦା ଉଠାଇଛି ?

ପ୍ରଣବ ପ୍ରକାଶ ଦାସ ଏହି ପ୍ରସଙ୍ଗରେ ଆଉ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରିଛନ୍ତି, ବିଜେପି ୨୦୧୪ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି।

ଏହାପରେ ସେ ଓଡ଼ିଶା ବିଜେପିକୁ ଆହ୍ଵାନ କରି କହିଛନ୍ତି, ରାଜ୍ୟବାସୀ ଆପଣଙ୍କୁ ୮ଜଣ ସାଂସଦ ଦେଇଛନ୍ତି। ୩ଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ଲାଭ

ସ୍ୱତନ୍ତ୍ର ପାହ୍ୟା ବ୍ୟବସ୍ଥାରେ ଯୋଜନାଗୁଡ଼ିକ ପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରନ୍ତି। ହେଲେ ଏହି ମାନ୍ୟତା ମିଳିନଥିଲେ ଏହି ଅନୁପାତ ୬୦: ୪୦ ହିସାବ ହୁଏ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣର ୱାୟି. ଭି. ରେଡ୍ଡିଙ୍କ ନେତୃତ୍ୱରେ ଗଠିତ ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୫-୨୦ ପାଇଁ ଅଧିକରୁ ଅଧିକ ସ୍ୱତନ୍ତ୍ର ରାଜ୍ୟ ବ୍ୟବସ୍ଥା ଉଠାଇ କେନ୍ଦ୍ରୀୟ ପାଣ୍ଠିରୁ ରାଜ୍ୟଗୁଡିକୁ ୩୨% ସ୍ଥାନରେ ୪୨% ଅର୍ଥ ବାଣ୍ଟିବାକୁ ସୁପାରିଶ କରିଛନ୍ତି।

ଓଡ଼ିଶା ଭଳି ଆନ୍ଧ୍ର ସମାନ ଦାବି କରୁଛି

ତେବେ ଖାଲି ଓଡ଼ିଶା ନୁହେଁ ଆନ୍ଧ୍ର ପ୍ରଦେଶ ମଧ୍ୟ ସମାନ ଦାବି କରୁଛି। ହେଲେ ଏଯାଏ ସଫଳ ହୋଇନି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ଏନଡିଏରୁ ଓହରିଥିଲା। ହେଲେ ଏବେର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ କେନ୍ଦ୍ରର ଶାସକ ଦଳ ସହ ଉତ୍ତମ ବୁଝାମଣା ରଖିଥିବାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ବାବଦରେ ନିରବ ରହିଛି।

କ’ଣ କହିଥିଲେ ଅରୁଣ ଜେଟଲୀ?

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ମାର୍ଚ୍ଚ ୨୦୧୮ରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହଟାଇ ଦିଆଯାଇଛି। ଏହି ମାନ୍ୟତା କେବଳ ଉତ୍ତର ପୂର୍ବ ଏବଂ ପାହାଡିଆ ରାଜ୍ୟରେ ସୀମିତ ରହିଛି। ସାମ୍ୱିଧାନିକ ବ୍ୟବସ୍ଥାରେ ଏହି ବର୍ଗୀକରଣ ଉଚ୍ଛେଦ ହୋଇସାରିଛି। ତେବେ ଆନ୍ଧ୍ରପ୍ରଦେଶର ବିକାଶ ନିମନ୍ତେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାଇଁ ମିଳୁଥିବା ଟଙ୍କାର ବ୍ୟବସ୍ଥା କରିପାରିବେ ବୋଲି କହିଥିଲେ ଜେଟଲୀ।

 

Leave A Reply

Your email address will not be published.