Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ମାସ ଏହା ନିଶ୍ଚିତ ଭାବରେ ପରମ ପାପ ନାଶକ, ଆନନ୍ଦ ଦାୟକ ତଥା ଲୀଳା ପ୍ରକଟ କରିବାର ସମୟ। ତେଣୁ ପ୍ରଥମରୁ ଶ୍ରୀଜଗନ୍ନାଥ ହେଲେ କୃଷ୍ଣ ଓ ରାଧା ଭାବକୁ ସାଥି କରି ରଚିଲେ ରାଧା -ଦାମୋଦର ବେଶ। ଆଜି ରାଧା ଭାବର ପ୍ରକୃତ ସ୍ୱରୂପ ଦର୍ଶନର ସମୟ, ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆଜି ମାତୃ ସ୍ୱରୂପିଣୀ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବେ। ପରମ ପବିତ୍ର ଏ କାର୍ତ୍ତିକ ମାସରେ, ପରମ ପୁଣ୍ୟ ଅର୍ଜନ କରି ଗାଇବେ। ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ଳୋକ “ନ କାର୍ତ୍ତିକସମୋ ମାସୋ ନ କୃତେନ ସମ ଯୁଗମ୍, ନ ବେଦ ସଦୃଶ୍ୟଂ ଶାସ୍ତ୍ର ନ ତୀର୍ଥଂ ଗଙ୍ଗୟା ସମମ୍.”(ସ୍କନ୍ଦ /11) । ଶ୍ରୀମନ୍ଦିର ରୀତିନୀତିରେ ବିରାଟ ପରିବର୍ତ୍ତନ ଆସେ ଏହି କାର୍ତ୍ତିକ ମାସରେ। ସାଧାରଣ ଦୈନିକ ନୀତିଠାରୁ ସମୟ ନିର୍ଘଣ୍ଟରେ ଅନେକ ପରିବର୍ତ୍ତନ ହୋଇଥାଏ। ରାତ୍ର ଚାରି ଘଣ୍ଟାରେ ଦ୍ୱାର ଫିଟା ହୋଇ ସମସ୍ତ ଦେବ ନୀତି ଗୋଟିଏ ପରେ ଗୋଟିଏ ସମ୍ପାଦିତ ହୁଏ। ଶେଷରେ ପ୍ରାୟ ୧୨ .୩୦ ରାତ୍ରରେ ପହୁଡ଼ ହୁଏ । କ୍ରମନ୍ୱୟରେ ନୀତିଗୁଡିକ ଏହିପରି ହୋଇଥାଏ। ଦ୍ୱାରଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ ଓ ତଡପ ଲାଗି, ଅବକାଶ, ରାଧା -ଦାମୋଦର ବେଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଳଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ନ ଭୋଗ, ଦ୍ଵିତୀୟ ଭୋଗ (ଆବଶ୍ୟକ ହେଲେ )ମଇଲମ ଓ ବେଶ। ତାପରେ ଦିବା ପହୁଡ଼, ଦ୍ୱାର ଫିଟା, ସନ୍ଧ୍ୟା ଆରତୀ, ସlହଣ ମେଲା,, ପୁନଶ୍ଚ ମଇଲମ, ଓ ବେଶ, ସନ୍ଧ୍ୟା ଧୂପ ଓ ମଇଲମ, ଚନ୍ଦନ ଲାଗି ବଡ଼ ସିଂହାର ବେଶ। ଭୋଗ ପରେ ରାତ୍ର ପହୁଡ଼। ଏହା ଥିଲା ଦୈନଦିନର ନୀତି ନିର୍ଘଣ୍ଟ। କିନ୍ତୁ କାର୍ତ୍ତିକ ମାସରେ ଏକ ବିଶେଷ କାର୍ଯ୍ୟ ସମାପନ ହୁଏ। ତାହା ହେଉଛି ଅଖଣ୍ଡ ଦୀପ ପ୍ରଜ୍ବଳନ। ବଡ଼ ଓଡ଼ିଆ ମଠ ଓ ରାଧାକାନ୍ତ ମଠ ତରଫରୁ ମାସ ସାରା ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଦୁଇ ପାର୍ଶ୍ଵରେ ଅଖଣ୍ଡ ଦୀପ ଜଳାଯାଏ। ଏହି ଦୁଇ ମଠ ଛଡା ଏ ବିଶେଷ ସେବା ଅଧିକାର ଆଉ କାହାର ନାହିଁ। ଆଗକୁ ଜାଣିବା ଅନ୍ୟ ବିଶେଷ ବେଶ ଓ ରୀତିନୀତି କଥା। ଏବେ ଆରାଧନା ଓ ଭାଗବତ ପଠନ।

ଭୋ ନାଥ ବେଦ ତୋର ବାଣୀ
ଵିଧି ନିଷେଧ ମାର୍ଗେ ଭଣି ।
ସର୍ବ ବିଷୟ ସର୍ବ ଭେଦ
କହଇ ଗୁଣ ଦୋଷ ବାଦ।
ସ୍ୱର୍ଗ ନରକ ବେନି ମାର୍ଗ
ଵିଧି ନିଷେଧ କର୍ମ ଭୋଗ ।
କର୍ମ ସାଧିଲେ ବେନି ମତେ
ଅନ୍ତେ ଗମନ ଯଥା ପଥେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.