ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସମୟରେ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ । ସେଥି ମଧ୍ୟରେ କୃଷ୍ଣ ଲୀଳା ଉପରେ ଆଧାରିତ ଗୋଟିଏ ବେଶ (ବଣ ଭୋଜି ବେଶ )କଥା ଆଲୋଚନା ହୋଇ ସାରିଛି। ଆଜି ଜାଣିବା ସେହି କୃଷ୍ଣ ଲୀଳା ଆଧାରିତ ଆଉ ଏକ ବିଶେଷ ବେଶ ହେଉଛି “କାଳୀୟ ଦଳନ ବେଶ “। ଏହି ବେଶ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ସନ୍ଧ୍ୟା ଧୂପ ପୂର୍ବରୁ ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହୋଇଥାଏ। ରତ୍ନସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହେଉଥିବା ସମୟରେ, ଶ୍ରୀକ୍ଷେତ୍ରର ମାର୍କଣ୍ଡେୟ ପୁଷ୍କରିଣୀରେ ପ୍ରଭୁଙ୍କର ଲୀଳାକୁ ପ୍ରଦର୍ଶିତ କରାଯାଇଥାଏ। ରତ୍ନ ସିଂହାସନ ଉପରେ ଏକ ବିରାଟ କାନରେ ନିର୍ମିତ୍ତ କଳା ନାଗ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ଅଙ୍ଗକୁ ଆବୃତ କରି ରହିଥାଏ। ଏହି କଳା ନାଗର ମସ୍ତକ ଉପରେ ମହାପ୍ରଭୁଙ୍କ ଶ୍ରୀପୟର ଦୁଇଟି ରହିଥାଏ। ଏହି ବେଶ ବଢ଼ି ସନ୍ଧ୍ୟା ଧୂପ ପାଣି ପଡି ସlରିବାପରେ ଏକ ଅମୃତ ଲଡ଼ୁ ଶ୍ରୀହସ୍ତରେ ଲାଗି କାରାଯାଏ। ଏହି ବେଶ ସମୟରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପେ ବିବେଚନା କରାଯାଇ ଥାଏ। ବଡ଼ଠାକୁର ବଳରାମ ଓ ସୁଭଦ୍ରା କୃଷ୍ଣ, ବଳରାମଙ୍କ ଗେଲ୍ଲୀ ଭଉଣୀ ବେଶରେ ରହିଥାନ୍ତି। ରତ୍ନ ସିଂହାସନ ଯମୁନା ନଦୀ ପାଲଟେ। ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣ ସପ୍ତମୀଠାରୁ ଆରମ୍ଭ ହୋଇ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ପାଳିତ ହେଉ ଥିବା କୃଷ୍ଣ ଲୀଳାର ଏକ ବିଶେଷ ଅଙ୍ଗ ଏହି କାଳୀୟ ଦଳନ ବେଶ। ଆଗାମୀ ଅଧ୍ୟାୟମାନଙ୍କରେ ଏହି କୃଷ୍ଣ ଲୀଳା ଆଧାରିତ ଅନ୍ୟ ବେଶ ବିଷୟରେ ଜାଣିବା, ବର୍ତ୍ତମାନ କରିବା ଆରାଧନା ଓ ନିୟମିତ ଭାଗବତ ପଠନ।
“ଏ ମନ ସ୍ୱଭାବେ ଚଞ୍ଚଳ
କେବେହେଁ ନୁହଇ ନିଶ୍ଚଳ ।
ପବନ ଗତି ଅନୁରୋଧେ
ସମେ ସାଧନ ଦୃଢ଼ ବନ୍ଧେ ।
ପବନ ଦ୍ୱାରେ ମନ ଥୋଇ
ଆସନ ଦୃଢ଼ ବନ୍ଧେ ଦେଇ ।
ଅଭ୍ୟାସେ ବଶ ହୋନ୍ତି ତାର
ପ୍ରାଣ ଇନ୍ଦ୍ରିୟ ଅହଂକାର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.