Latest Odisha News

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଲୀଳା ମଧ୍ୟରେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା କୃଷ୍ଣ ଲୀଳା ସମୟରେ ହେଉଥିବା ବେଶ ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ଓ ତଥ୍ୟ ଭିତ୍ତିକ । କାରଣ ଏହି ବେଶ କେତେବେଳେ କେବଳ କୃଷ୍ଣଙ୍କ ଲୀଳା ଅଦ୍ଧାରିତ ତ ପୁଣି କେତେବେଳେ ବଳରାମଙ୍କ ଲୀଳା ଅଦ୍ଧାରିତ। ଆଜି କିନ୍ତୁ ଜାଣିବା ଏପରି ଏକ ବେଶ ଯାହା ଉଭୟ କୃଷ୍ଣ ଓ ବଳରାମଙ୍କ ଲୀଳା ପ୍ରକଟିତ କରୁଛି । ଅର୍ଥାତ” କୃଷ୍ଣ ବଳରାମ ବେଶ “। ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଏହି ବେଶ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୁଏ। ଅନ୍ୟ କୃଷ୍ଣ ଲୀଳା ଅଦ୍ଧାରିତ ବେଶ ଅପେକ୍ଷା ଏହା ସବୁଠାରୁ ନୂତନ ବା ପ୍ରାଚୀନ ବେଶ ନୁହେଁ। ସମ୍ପୂର୍ଣ୍ଣ ଐତିହାସିକ ତଥ୍ୟ ଉପଲବ୍ଧ ନଥିଲେ ମଧ୍ୟ ଏହା ୧୯୪୫ ମସିହାରେ ଆରମ୍ଭ ହୋଇଛି ବୋଲି ଲିଖିତ ପ୍ରମାଣ ଅଛି। କେହି କେହି କହନ୍ତି ପୁରାତନ କାଳର ଗିରି ଗୋବର୍ଧନ ବେଶ, ଯାହାକି ବଡ଼ ଓଡ଼ିଆ ମଠ ଆନୁମାନିକ ୧୫୨୪ ଖ୍ରୀଷ୍ଟାବ୍ଦ ରେ କରାଉଥିଲେ, ତାହା କୌଣସି କାରଣରୁ ବନ୍ଦ ହୋଇଯାଇଥିଲା ଓ ୧୯୪୫ ମସିହାରେ ଏହାକୁ ପୁନଃ ପ୍ରଚଳନ କରାଗଲା । ଏଥର କିନ୍ତୁ ନାମ ରଖାଗଲା “କୃଷ୍ଣ ବଳରାମ ବେଶ “। ଏହି ବେଶରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ବେଶ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ବେଶ କାରାଯାଏ, ମା ସୁଭଦ୍ରା ନିଜ ବେଶରେ ରହନ୍ତି। ପୁରାତନ “ଗିରି ଗୋବର୍ଧନ ବେଶ “ରେ ନାମ ଅନୁସାରେ ଗୋବର୍ଦ୍ଧନ ପର୍ବତ ରହୁଥିଲା, କିନ୍ତୁ ବର୍ତ୍ତମାନ “କୃଷ୍ଣ ବଳରାମ ବେଶ “ରେ ରହୁଛି ଏକ କଦମ୍ବ ବୃକ୍ଷ. ଏହା ଏକ ଯଜମlଣୀ ବେଶ, ତେଣୁ 1945ମସିହାରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଖଣ୍ଡସାହି ଗ୍ରାମର ଜମିଦାର ଚୌଧୁରୀ ଗୋପବନ୍ଧୁ ମିଶ୍ର ଏହି ବେଶ ନିଜ ଖର୍ଚ୍ଚରେ କରାଇ ଥିଲେ। ତାଙ୍କ ଦେହାନ୍ତ ପରେ ମଧ୍ୟ ତାଙ୍କ ଉତ୍ତରାଧିକାରୀମାନେ ଆଜି ପର୍ଯ୍ୟନ୍ତ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ପ୍ରଭୁଙ୍କର ଲୀଳା ପ୍ରଚାରର ଏକ ଅଭିନ୍ନ ଅଙ୍ଗ ଏହି ବେଶ ପରମ୍ପରା, ଆଗାମୀ ଅଧ୍ୟlୟରେ ଜାଣିବା ଆହୁରି ଅନେକ ବେଶ ବିଷୟରେ। ଆଜି କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।

“ଆକାଶ ପ୍ରାୟେ ସର୍ବଠାରେ
ବ୍ୟାପିଛି ଆତ୍ମା ନିର୍ବିକାରେ ।
ଦେହରେ ଥାଇ ସଙ୍ଗ ନୋହେ
ଘଟ ଆକାଶ ପ୍ରାୟ ରହେ ।
ମେଘ ଯେସନେ ଶୂନ୍ୟେ ଥାଇ
ଶରୀର ଆକାଶ ଢାଙ୍କଇ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.