Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଏତେ ବିସ୍ତୃତ ଯେ ତାହାର ସଠିକ ଉପସ୍ଥାପନା କରିବା ଅତ୍ୟନ୍ତ କଠିନ। ତଥାପି ଉଦ୍ୟମ ଜାରି ରଖି ଆମେ ଆଜି ଜାଣିବା ଦୁଇଟି ନିଆରା ସେବା ଓ ସେବକଙ୍କ ବିଷୟରେ। ପ୍ରଥମଟି ହେଉଛି “ଦତ୍ତ ମହାପାତ୍ର “ସେବା । ଏହା ଶାଢ଼ୀ ବନ୍ଧା ସେଵା ନୁହେଁ, କିନ୍ତୁ ଏହି ସେବା ବଂଶାନୁକ୍ରମିକ ଭାବରେ ହୋଇଥାଏ। ଏହି ସେବକଙ୍କ ମୂଖ୍ୟ ସେବା ହେଲା ପ୍ରତି ବୁଧବାର /ଗୁରୁବାର ଶ୍ରୀଜୀଉ ମାନଙ୍କ ଅଧରପୋଛା ଓ ବନକଲାଗି କାର୍ଯ୍ୟ ସମ୍ପାଦନ, ପ୍ରତି ରବିବାର ଦିନ ଅବକାଶ ପୂର୍ବରୁ କନା ଓ କର୍ପୁର ଜଳରେ ତିନି ଠାକୁର ଓ ନୀଳମାଧବଙ୍କ ଶ୍ରୀମୁଖ ପୋଛିବା ମଧ୍ୟ ଏହାଙ୍କ ପ୍ରମୁଖ ଦାୟିତ୍ୱ। ବିଶେଷ ଭାବରେ ଅଣସର ସମୟରେ ଖଡ଼ିଲାଗି ସହ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଇବା, ତତସହିତ ତ୍ରୟୋଦଶୀରୁ ନେତ୍ରୋତ୍ସବ ଯାଏଁ ଶ୍ରୀଜୀଉମାନଙ୍କଠାରେ ବନକଲାଗି କାର୍ଯ୍ୟ ଏହି ସେବକଙ୍କ ଦ୍ୱାରା ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ। ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ସେବା ନିଷ୍ଠା ଓ କାଷ୍ଠା ମଧ୍ୟରେ ସମ୍ପାଦିତ କରି ଧନ୍ୟ ଅଟନ୍ତି । ଦ୍ଵିତୀୟରେ ଆଲୋଚନା କରିବା ପୁଣି ଏକ ନିଆରା ସେଵା ଦେଉଥିବା “ବଲ୍ଲଭ ଯୋଗାଣିଆ “ସେବକଙ୍କ ବିଷୟରେ। ଏମାନେ ମଧ୍ୟ ଶାଢ଼ୀବନ୍ଧା ସେବକ ନୁହଁନ୍ତି, କିନ୍ତୁ ବ୍ରlହ୍ମଣ ସେବକ ଅଟନ୍ତି। ସେବା ବଂଶାନୁକ୍ରମିକ ଅଟେ। ପ୍ରଭୁଙ୍କର ଅତି ପ୍ରିୟ ଗୋପାଳବଲ୍ଳଭ ସାମଗ୍ରୀ ଯୋଗାଇ ଦେଉଥିବା ସେବକ ହେଲେ “ବଲ୍ଳଭ ଯୋଗାଣିଆ ରୋଷ ହୋମ ପରେ ଧୁକୁଡି ଦ୍ୱାରଠାରେ ସୁଧ ସୁଆରଙ୍କ ମାର୍ଫତରେ ଏ ଭୋଗ ସାମଗ୍ରୀ ପ୍ରତିଦିନ ଦେଇଥାନ୍ତି। ଏହାପରେ ଅନ୍ୟ ମନ୍ଦିରମାନଙ୍କରେ ଥିବା ଦେବାଦେବୀ ଓ ବିଭିନ୍ନ ପାର୍ଶ୍ଵ ଦେବାଦେବୀଙ୍କ ପାଇଁ ଖଞ୍ଜା ଥିବା ବଲ୍ଳଭ ପ୍ରସାଦ ସେହି ସେହି ସ୍ଥାନରେ ପହଞ୍ଚାଇଥାନ୍ତି। ସେହିପରି ଅଣସର ସମୟରେ ମଧ୍ୟ ଜୟ ବିଜୟ ଦ୍ୱାରଠାରେ ବଲ୍ଳଭ ଭୋଗ ଯୋଗାଇଥାନ୍ତି। ରଥ ଉପରକୁ ଓ ଗୁଣ୍ଡିଚାମନ୍ଦିରକୁ ମଧ୍ୟ ବଲ୍ଳଭ ଭୋଗ ଯୋଗାଇ ଦିଅନ୍ତି। ଏହି କାର୍ଯ୍ୟରେ ପ୍ରଧାନୀ ସେବକ ସାହାଯ୍ୟ କରିବାର ବିଧି ରହିଛି। ଆସନ୍ତୁ ଏବେ ଆମର ବିଧି ପାଳନ ପୂର୍ବକ କରିବା ଆରାଧନା ଓ ଭାଗବତ ପଠନ।

ସକଳ ଦେଖଇ ସମାନ
ଏଣୁ ନ କରେ ବସ୍ତୁ ଜ୍ଞାନ ।
ତୁ ଏବେ ସର୍ବପ୍ରାଣୀ ହିତେ
ନିରତେ ରହି ଶାନ୍ତ ଚିତ୍ତେ ।
ଜ୍ଞାନ ବିଜ୍ଞାନେ ମନ ଦେଇ
ନିଶ୍ଚଳେ ରଖ ମନ ତୁହି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.