Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାର ଏକ ମୂଖ୍ୟ ଅଂଶ ହେଲା ଷlଠିଏ ପଉଟି ଭୋଗ ରନ୍ଧନ ଓ ଛପନ ଭୋଗ ପ୍ରସ୍ତୁତି। ଆପଣ ଏଥିରୁ ଅନୁମାନ କରିପାରୁଥିବେ ଯେ ଯେଉଁ ସୁଆର ସେବକମାନେ ଏହି ପାକ ପ୍ରକ୍ରିୟାରେ ନିୟୋଜିତ ସେମାନଙ୍କ ସେବା କେତେ ମୂଲ୍ୟବାନ। ଆଜି ଆସନ୍ତୁ ଜାଣିବା ସେଭଳି ସେବାରେ ମନୋନିବେଶ କରିଥିବା ବଡୁ ସୁଆରମାନଙ୍କ ସମ୍ପର୍କରେ। ଏହି ସେବକମାନଙ୍କ ସେବା ଏତେ ଶୃଙ୍ଖଳିତ ଯେ ପ୍ରତ୍ୟେକ ରୋଷ କାର୍ଯ୍ୟ ପାଇଁ ଅଲଗା ଅଲଗା ସେବକ ନିୟୋଜିତ। ତେବେ ମୂଖ୍ୟ ଭାବରେ ଆଜି ପନ୍ତି ବଡୁ ଓ ବିଡୁଆ ପନ୍ତିବଡୁଙ୍କ କଥା ଆଲୋଚନା କରିବା।

ଏମାନେ ସୁପକାର ଶ୍ରେଣୀର ସେବକ ଓ ଏମାନଙ୍କ ସେବା ବଂଶାନୁକ୍ରମିକ ସକାଳ ଧୂପରେ ଥାଳି ସୁଆର ରାନ୍ଧି ବିଡୁଆ ପନ୍ତି ବଡୁଙ୍କୁ ମଣାଇଲେ ସେମାନେ ମୁର୍ତ୍ତୁମୂଳ କରନ୍ତି। ପାଳିଆ ପନ୍ତିବଡୁ ବିଡୁଆ ପନ୍ତି ବଡୁଙ୍କ ଠାରୁ ନେଇ ମହାସୁଆରଙ୍କ ସହ ଛେକ ନେଇ ଛାମୁରେ ଥାଳି ବlଢନ୍ତି। ପାଳିଆ ପନ୍ତିବଡୁ ଛଅ କୁଡୁଆ, ବିଡୁଆ ପନ୍ତି ବଡୁ ଚାରି କୁଡୁଆ ଓ ବେହେରା ପନ୍ତି ବଡୁ ଚାରି କୁଡୁଆ ଖେଚୁଡ଼ି ଯଥାକ୍ରମେ ବଲଭଦ୍ର, ସୁଭଦ୍ରା, ସୁଦର୍ଶନ ଓ ଶ୍ରୀଜଗନ୍ନାଥ ଙ୍କ ବlଡରେ ବlଢନ୍ତି। ପାଳିଆ ଅନ୍ୟ କୋଠ ଭୋଗ ଜିନିଷ ଥାଳି ସୁଆର ଓ ତୁଣ ସୁଆରଙ୍କଠାରୁ ନେଇ ଛାମୁରେ ଲଗାନ୍ତି। ଭୋଗ ପରେ ସମସ୍ତ ଭୋଗ ବାହାରକୁ ଆଣନ୍ତି। ଏହାପରେ ବିମଲାଙ୍କୁ ସମର୍ପଣ ପାଇଁ ପାଳିଆ ବଡ଼ ବାଡ଼ ଥାଳି ନିଅନ୍ତି। ସମର୍ପଣ ପରେ ଫେରାଇ ଆଣି ମୁକ୍ତି ମଣ୍ଡପ ବ୍ରlହ୍ମଣମାନଙ୍କୁ ବଣ୍ଟନ ପାଇଁ ପ୍ରଧାନୀଙ୍କୁ ଦିଅନ୍ତି। ସକାଳ ଧୂପ ପରି ମଧ୍ୟାହ୍ନ ଧୂପରେ ମଧ୍ୟ ପନ୍ତିବଡୁ, ବିଡୁଆ ପନ୍ତିବଡୁ, ପାଳିଆ ଓ ବେହେରା ସ୍ବ ସ୍ବ କାର୍ଯ୍ୟ କରନ୍ତି। ବିଡୁଆ ପନ୍ତିବଡୁ ଚାରି ବାଡ଼ର ଥାଳିମାନଙ୍କରେ ଘିଅ ପରସନ୍ତି। ପର୍ବ ଯାତ୍ରା ଶଙ୍ଖୁଡି ଭୋଗ, ଚନ୍ଦନ ଯାତ୍ରା, ଚାଚେରୀରେ ପାଳିଆ ପନ୍ତିବଡୁ ଖେଚୁଡ଼ି ଭୋଗ ପଖାଳ ଇତ୍ୟାଦି ତୋଳନ୍ତି । ବିଡୁଆ ପନ୍ତିବଡୁ ମକରରେ ଅନ୍ୟ ପନ୍ତିବଡୁଙ୍କ ସହ ମିଶି ମକର ଥାଳି ଧରି ବଡ଼ଦେଉଳକୁ ତିନିଥର ବେଢା ବୁଲନ୍ତି କିନ୍ତୁ ବଡ଼ସିଂହାର ଭୋଗ, ରଥ ଉପରେ ତଥା ଭୋଗ ମଣ୍ଡପରେ ଏମାନଙ୍କର କିଛି କାମ ନଥାଏ । ଆଗାମୀ ଅଧ୍ୟାୟରେ ଜାଣିବା ବିଭିନ୍ନ ପିଠା ପ୍ରସ୍ତୁତ କରୁଥିବା ବଡୁ ସୁଆରଙ୍କ କଥା । ଏବେ ଆରାଧନା ଓ ଭାଗବତ ପଠନ।

ଏକାଗ୍ର କରି ଦୃଢ଼ ମନ
ହରିର ପାଦେ ନିବେଦନ ।
ତେଣୁ ନିଶ୍ଚଳ ମୋର ଧ୍ୟାନ
ବଞ୍ଚଇ ଦୁଃଖ ସୁଖେ ଦିନ ।
ସ୍ଵଭାବେ ରଜ ଗୁଣ ଛାଡି
ସତ୍ୱ ସଂଯୋଗେ ତମ ଏଡି।
ସତ୍ୱ କୁ ଜିଣି ସତ୍ୱ ଗୁଣେ
ନିର୍ବାଣ ପରମ କାରଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.