ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେବା ଓ ସେବକଙ୍କ ବିଷୟରେ ଆମର ଆଲୋଚନା ଜାରି ରହିଛି ।ସୁଆର ମହାସୁଆର ନିଯୋଗର ବିଭିନ୍ନ ସେବକମାନଙ୍କ କଥା ଆମେ ଆଲୋଚନା କରୁଛେ। ଏହି ପରିପ୍ରେକ୍ଷୀରେ ଆଜି ଜାଣିବା ରୋଷ ପାଇକଙ୍କ ବିଷୟରେ । ନାମକରଣରୁ ଆମେ ଜାଣିପାରୁଛେ ନିଶ୍ଚିତ ଭାବରେ ଏହି ସେବକ ରୋଷଶାଳର ରକ୍ଷଣା ବେକ୍ଷଣ ଦାୟିତ୍ୱ ନିର୍ବାହ କରୁଥିବେ। ଅନୁମାନ ସମ୍ପୂର୍ଣ୍ଣ ସଠିକ। ରୋଷ ପାଇକମାନଙ୍କ ମୂଖ୍ୟ ଦାୟିତ୍ୱ ହେଲା ରୋଷ ଧୋପଖାଳ ଓ ଶୁଦ୍ଧ ହେବା ପରେ ଅମୋଣିଆ ପରିଛା ଓ ମହାସୁଆରଙ୍କୁ କହନ୍ତି । ହୋମ ବିଷୟରେ ଠିକ ଠାକ କହିଲେ ଭୋଗ ହୁଏ । କୋଠ ଭୋଗ ଯୋଗାଣିଆ କୋଠଭୋଗ ଜିନିଷ ଦେଲେ ଏମାନେ ଜଗିଆ ମହାସୁଆର ଜିମା ଦେଇ ରୋଷ ଦ୍ୱାର ଜଗନ୍ତି । ପତ୍ରିବଡୁ ଏହାଙ୍କ ପାଖରୁ ମଧୁପର୍କ ଗୁଡ଼ ନିଅନ୍ତି । ଏହି ସବୁ ଗୁରୁତ୍ୱପୂର୍ଣ କାର୍ଯ୍ୟ ସମ୍ପାଦନ କରିବା ସହ ରୋଷ ପାଇଁ ଆସୁଥିବା ସେବକମାନଙ୍କ ଶୁଦ୍ଧତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଦାଢ଼ି ରଖିଥିବା, ସିନ୍ଦୁର ଲଗାଇଥିବା, ମହାପ୍ରସାଦ ଧରିଥିବା, ତଥା ଅଶୁଦ୍ଧ ବ୍ୟକ୍ତି ମାନଙ୍କୁ ରୋଷ ଭିତରେ ପ୍ରବେଶ ବାରଣ କରନ୍ତି। କେବଳ ସେତିକି ନୁହେଁ ଛେକ ବୁହା ସମୟରେ ଏହି ସେବକମାନେ କୁଆ ପ୍ରଭୃତି ପକ୍ଷୀମାନଙ୍କୁ ଆଡେଇବା ପାଇଁ ଛେକ ଆଗରେ କାଠ ଖଣ୍ଡେ ଧରି ରୋଷଠାରୁ ଧୁକୁଡି ଦ୍ୱାର ପର୍ଯ୍ୟନ୍ତ ଯାଆନ୍ତି। ଆଗରୁ କହିଛି ଏମାନେ ସୁପକାର ଗୋଷ୍ଠୀର ସେବକ। ତେଣୁ ଯେଉଁ ରୋଷ କାର୍ଯ୍ୟ ବିନା ଅଗ୍ନିରେ ସମ୍ଭବ ନୁହେଁ, ସେହି ରୋଷ କାର୍ଯ୍ୟ ପାଇଁ ଏହି ସେବକମାନେ ରୋଷ ହୋମ ପରେ ବୈଷ୍ଣବାଗ୍ନି ପ୍ରଦାନ କରିଥାନ୍ତି। ଏହି ବର୍ଣ୍ଣନାରୁ ଆମେ ଅନୁମାନ କରି ପରିବା କେଉଁ ଆବାହମାନ କାଳରୁ ଆମର ପୂର୍ବପୁରୁଷମାନେ ରୋଷ କାର୍ଯ୍ୟରେ ଶୁଦ୍ଧତାର ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି। କେବଳ ଶୁଦ୍ଧତା ନୁହେଁ ଏଥିରେ ଈଶ୍ୱରୀୟ ଶକ୍ତିର ଆଶ୍ରା ମଧ୍ୟ ପରିଲିକ୍ଷିତ ହେଉଛି। ଆଉ ଏହି କାରଣରୁ ସାରା ଜଗତରେ ଶ୍ରୀଜଗନ୍ନାଥଙ୍କ ରୋଷ ଶାଳ ଏକ ପରମ ବିସ୍ମୟ ହୋଇ ରହିଛି ଓ ରହିଥିବ। ଆଗାମୀ ଅଧ୍ୟୟ ରେ ଜାଣିବା ଏହି ନିଯୋଗ ର ଅନ୍ୟାନ୍ୟ ସେବକ ମାନଙ୍କ କଥା, ଏବେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।
ତୁ ପରିପୂର୍ଣ୍ଣ ବ୍ରହ୍ମସାର
ସ୍ଵଭାବେ ପ୍ରକୃତିରୁ ପର ।
ଭକତ କରେ ତୋତେ ବଶ
ତାର ରକ୍ଷଣେ ତୋ ପ୍ରକାଶ ।
ଭକତ ହିତେ ତୋର ତନୁ
ଏଣୁ ଭକତ ବାକ୍ୟ ମାନୁ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.