Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନା ନିଶ୍ଚିତ ଭାବରେ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି। କିଛି ସେଵା ବନ୍ଦ ହୋଇ ଗଲାଣି ତଥାପି ସେଗୁଡିକ ବିଷୟରେ ଜାଣିଲେ, ଲାଗୁଛି ପ୍ରତ୍ୟେକ ସେବା ଯେପରି ପ୍ରଭୁଙ୍କର ନିଜସ୍ୱ ଇଚ୍ଛାରେ ହିଁ ପରିଚାଳିତ ହେଉଥିଲା। ଆଜି ସେହିପରି ଏକ ସେବକ ଗୋଷ୍ଠୀ ବିଷୟରେ ଆଲୋଚନା କରିବା। ସମ୍ଫଦ୍ରା ନିଯୋଗ ଏହି ସେବିକା ଗୋଷ୍ଠୀଟି ଭିତର ଗାଆଣୀ ଦେବଦାସୀମାନଙ୍କୁ ନେଇ ଗଠିତ ହୋଇଥିଲା। ଏମାନେ ସମସ୍ତେ ଶାଢ଼ୀ ବନ୍ଧା ଦେବଦାସୀ ସେବିକା ଥିଲେ। ୧୯୯୩ ମସିହାରେ କୋକିଳ ପ୍ରଭା ଦେବଦାସୀଙ୍କ ଦେହାନ୍ତ ପରେ ଭିତର ଗାଆଣୀ ସେବା ବନ୍ଦ ହୋଇଯାଇଥିଲା । ସଂପ୍ରଦା ନିଯୋଗର ସର୍ବଶେଷ ଦେବଦାସୀ ଶଶୀମଣୀ କେବଳ ଯଶୋଦା ସେବା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ କରୁଥିଲେ। ଏହି ସେବିକା ଗୋଷ୍ଠୀର ରୁକ୍ମିଣୀ ହରଣ ଦିନ ଲଷ୍ମୀଙ୍କ ଦାସୀ ଭାବରେ ବିପ୍ର ବ୍ରlହ୍ମଣଙ୍କ ସହ ଯିବା, ହେରା ପଞ୍ଚମୀ ଦିନ ଦଣ୍ଡ ମଣ୍ଡ ଓ ରଥକାଠ ଭାଙ୍ଗିବା, କୃଷ୍ଣ ଜନ୍ମରେ ରୋହିଣୀ ଯଶୋଦା ସେବା ଏହି ତିନି ସେବା ସଂପ୍ରଦା ନିଯୋଗର ଏକାଏକ ସେବା ଭାବରେ ପରିଗଣିତ ହୁଏ। ଭିତର ଗାଆଣୀ ଦେବଦାସୀ ଓ ସଂପ୍ରଦା ନିଯୋଗ ଦେବଦାସୀ ନିଜର ଏକାଏକ କାମ ଛଡା ଅନ୍ୟ ସବୁ କାମ ପରସ୍ପର ପାଇଁ କରିପାରୁଥିଲେ। ସଂପ୍ରଦା ନିଯୋଗ ଦେବଦାସୀମାନଙ୍କ ସେବା ପ୍ରାୟତଃ ଭିତର ଗାଆଣୀ ଦେବଦାସୀଙ୍କ ସେବା ସହ ସମାନ। ତଥାପି ମୁଖ୍ୟତଃ ଵିଭିନ୍ନ ଯାନୀଯାତ୍ରାରେ ପଟୁଆର କରିବା ଯଥା ସ୍ନାନବେଦୀ ତଳେ ପଟୁଆର, ଗୁଣ୍ଡିଚା ମଦିରରେ ଦ୍ଵିତୀୟ ଦିନଠାରୁ ପଟୁଆର, ଝୁଲଣ ମଣ୍ଡପ ତଳେ ପଟୁଆର, ଷୋଳ ପୂଜାରେ ବିମଳା ମନ୍ଦିରରେ ପଟୁଆର, ଚନ୍ଦନ ଯାତ୍ରାରେ ଚନ୍ଦନ ଲାଗି ବେଳେ ଜଗମୋହନରେ ପଟୁଆର ଏହାଙ୍କ ମୂଖ୍ୟ କାର୍ଯ୍ୟ ଥିଲା। ସେହିପରି ରୁକ୍ମିଣୀ ବିବାହରେ ଚିଟାଉ ଲେଖା ବେଳେ ଗୀତ ବୋଲିବା ଓ ହୁଳହୁଳି ଦେବା, ବିମଳା ମନ୍ଦିରରେ ଲଷ୍ମୀଙ୍କ ବିଜେ କାଳରେ ଖଦି ଚାମର ପକାଇବା, ଚାହାଣି ମଣ୍ଡପରେ ଲଷ୍ମୀଙ୍କ ସାଙ୍ଗରେ ରହିବା, ହେରା ପଞ୍ଚମୀରେ ଲଷ୍ମୀଙ୍କ ସାଙ୍ଗରେ ରହି ରଥ କାଠ ଭାଙ୍ଗିବା, କୃଷ୍ଣ ଜନ୍ମ ରେ ଯଶୋଦା ଓ ରୋହିଣୀ ସେବା କରିବା ସକାଳ ଧୂପ ସମୟରେ ପ୍ରତିଦିନ ନୃତ୍ୟ ପ୍ରଦର୍ଶନ କରିବା ଏହି ସମ୍ପ୍ରଦାୟର ମୂଖ୍ୟ କାର୍ଯ୍ୟ ଥିଲା। ଆଜି କାଲି ଏହି କାର୍ଯ୍ୟଗୁଡିକରେ ଆଉ ପୂର୍ବର ଚମକ ନାହିଁ ଏବଂ ସମ୍ପ୍ରଦା ନିଯୋଗର ଅଭାବ ଅନୁଭୂତ ହେଉଛି । ଯୁଗ ବଦଳିବା ସହ ଏହି ସେବା ପାଇଁ ସେବିକାଙ୍କ ଅଭାବ ବର୍ତ୍ତମାନ କେବଳ ଚିନ୍ତାର ବିଷୟ ନୁହେଁ ପରମ୍ପରାକୁ ରକ୍ଷା କରିବା ମଧ୍ଯ କଷ୍ଟକର ବ୍ୟାପାର ହେଲାଣି। ସବୁ ସେହି ପ୍ରଭୁଙ୍କର ଇଚ୍ଛା ଭାବି ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ନୂଆ ନୂଆ ସେବା ଓ ସେବକଙ୍କ ବିଷୟରେ। ଏବେ କରିବା ଆରାଧନା ଓ ଭାଗବତ ପଠନ ।

ମୁହିଁ ମୋହର ଏ ଶରୀର
ସକଳ ସଂସାର ମୋହର ।
ମୋହେ ଜଡିତ ମୋର ଚିତ୍ତ
ଏଣୁ ମୁଁ କୈବଲ୍ୟ ବଞ୍ଚିତ ।
ଅସତ୍ୟ ସୁତ ଦାରା ଧନ
ମୋ ମନ କରେ ନିତ୍ୟ ଧ୍ୟାନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.