ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧିରେ ଆମେ ଭୋଗ ମଣ୍ଡପ ଭୋଗର ଆଲୋଚନା ଜାରି ରଖିଛେ। ଏହି ଭୋଗଟି ସମ୍ପୂର୍ଣ୍ଣ ଭାବେ ବରାଦିଆ ଓ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ସ୍ୱରୂପ ଓ ପରିମାଣରେ କୌଣସି ନିର୍ଦ୍ଧିଷ୍ଟତା ନଥାଏ। ଏହି ନୀତିରେ ମୁଖ୍ୟତଃ ସମ୍ପୃକ୍ତ ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ପାଳିଆ ମେକାପ, ଭୋଗ ମଣ୍ଡପ ପ୍ରତିହାରୀ, ସୁଆର ବଡୁ, ସୁଆର, ମହାସୁଆର, ଖୁଣ୍ଟିଆ, ପତ୍ରିବଡୁ, ଗରାବଡୁ ଓ ପୂଜାପଣ୍ଡା ଇତ୍ୟାଦି। ଏହି ଭୋଗ ମଣ୍ଡପ ପୂଜା ସମୟରେ ଦୁଇ କାଠ ଅର୍ଗଳି ଖସାଇ ଦିଆଯାଏ ଓ ଦର୍ଶକମାନେ ଶ୍ରୀମୁଖ ଛାଡି ଛିଡା ହୁଅନ୍ତି ଭୋଗ ମଣ୍ଡପ ପନ୍ତିରେ ବଢ଼ା ଯାଇଥିବା ଅନ୍ନ ବ୍ୟଞ୍ଜନମାନଙ୍କୁ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ଭୋଗ କରିଥାନ୍ତି। କେତେକ ପର୍ବ ଦିନମାନଙ୍କରେ ଭୋଗ ମଣ୍ଡପ ଭୋଗ ସକାଳ ଧୂପ ପରେ ନହୋଇ ଦ୍ବିପହର ଧୂପ ପରେ ହୁଏ। ସମୟ ସମୟରେ ଚାହିଦାକୁ ଆଖିଆଗରେ ରଖି ଦୁଇଥର ଅର୍ଥାତ ସକାଳ ଧୂପ ପରେ ଓ ଦ୍ବିପ୍ରହର ଧୂପ ପରେ ହୋଇଥାଏ। ଏମିତିକି ସନ୍ଧ୍ୟାଧୂପ ପରେ ବିଶେଷ ବରାଦକୁ ଆଖିରେ ରଖି ମଧ୍ଯ ଭୋଗ ମଣ୍ଡପ ଭୋଗ ହୋଇଥାଏ। ଏହି ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଯେଉଁ ଆବଶ୍ୟକତାକୁ ନେଇ ଏହି ଭୋଗ ମଣ୍ଡପ ସ୍ଥାପନା ହୋଇଥିଲା ତାହା ଠିକ କାର୍ଯ୍ୟକାରୀ ହେଉଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମ ସ୍ୱରୂପ ଏହି ଭୋଗ ମଣ୍ଡପ ସେବା ବିସ୍ତାରିତ ହୋଇଛି, ତେଣୁ ଶଙ୍କରାଚର୍ଯ୍ୟଙ୍କ ପୀଠକୁ ଭୋଗ ବର୍ଦ୍ଧନ ପୀଠ ବା ଅପଭ୍ରଂଶ ହୋଇ ଗୋବର୍ଦ୍ଧନ ପୀଠ ଭାବରେ ନାମିତ କରାଯାଇଛି। କଥିତ ଅଛି ଏହି ଭୋଗ ମଣ୍ଡପ ପାଇଁ ଶ୍ରୀମନ୍ଦିରରେ କୌଣସି ସମୟରେ ଅନ୍ନ ପ୍ରସାଦର ଅଭାବ ହୁଏ ନାହିଁ । ଆଗାମୀ ଅଧ୍ୟାୟରେ ଜାଣିବା ମଧ୍ୟାହ୍ନ ଭୋଗ ସମ୍ବନ୍ଧରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ଏଣୁ ସ୍ୱଧର୍ମେ ମୋର ପାଦେ
ଯେ ନର ଭଜେ ଅପ୍ରମାଦେ ।
ସେ ମୋତେ ଦେଖେ ସର୍ବଭୁତେ
ଯେ ରୂପେ ଅଛି ମୁଁ ଜଗତେ ।
ମୋର ଭକତି ବିନୁ ଆନେ
ସେ ନର କିଛି ହିଁ ନ ଜାଣେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.