Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଶେଷ ନୀତି ବିଷୟରେ ଜାଣିବା ପାଇଁ ଆମେ ଶ୍ରୀମନ୍ଦିର ସତ୍ୱଲିପିରେ ବର୍ଣ୍ଣିତ ନୈମିତିକ -ବିଧି ଗୁଡିକ ଅନୁଧ୍ୟାନ କରିବା। ଏହି ପ୍ରସଙ୍ଗରେ ଗୁରୁବାର (ମlଜଣା ଓ ଏକାନ୍ତ )ନୀତି ଆଲୋଚନା କରିସାରିଲେଣି। ଆଜି ଜାଣିବା ନକ୍ଷତ୍ର ବନ୍ଦାପନା ନୀତି :- ଶ୍ରୀଜୀଉମାନଙ୍କର ଜନ୍ମ ନକ୍ଷତ୍ର ଦିନ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ବନ୍ଦାପନା ହୋଇଥାଏ। ଏମିତି ପ୍ରତିଦିନ ଅବକାଶ ନୀତି ସମୟରେ ଜ୍ୟୋତିଷ ସେବକ ସେହି ଦିନର ତିଥି, ନକ୍ଷତ୍ର ଇତ୍ୟାଦି ବିଷୟରେ ପଢି ଶୁଣାଇଥାନ୍ତି । ସେହି ଭିତରେ ଯେଉଁ ଦିନ ଠାକୁରମାନଙ୍କର ଜନ୍ମ ନକ୍ଷତ୍ର ପଡେ, ସେହିଦିନ ବିଶେଷ ନକ୍ଷତ୍ର ବନ୍ଦାପନା ଅନୁଷ୍ଠିତ ହୋଇଥାଏ। ତେବେ ତିନି ଠାକୁରମାନଙ୍କ ଜନ୍ମ ନକ୍ଷତ୍ର ହେଲା ।

୧ . ଶ୍ରୀବଳଭଦ୍ର :-ଶ୍ରବଣl, ମକର
୨ . ଶ୍ରୀଜଗନ୍ନାଥ :-ରୋହିଣୀ, ବୃଷ
୩ . ମା ସୁଭଦ୍ରା :- ଜ୍ୟେଷ୍ଠl, ବିଛା

ତେଣୁ ଉପରୋକ୍ତ ନକ୍ଷତ୍ର ଓ ରାଶି ପଡୁଥିବା ଦିନମାନଙ୍କରେ ପ୍ରତ୍ୟେକ ଠାକୁରଙ୍କ ଗୋଟିଏ ଅଧିକ ବନ୍ଦାପନା ହୋଇଥାଏ। ଶ୍ରୀବଲଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନକ୍ଷତ୍ର ବନ୍ଦାପନା ରେ କେବଳ ସେମାନଙ୍କର ଅଧିକ ଗୋଟିଏ ବନ୍ଦାପନା ହୁଏ। କିନ୍ତୁ ମା’ ସୁଭଦ୍ରାଙ୍କ ଜନ୍ମନକ୍ଷତ୍ର ବନ୍ଦାପନା ଦିନ ସମସ୍ତ ତିନି ଠାକୁରଙ୍କଠାରେ ଗୋଟିଏ ଗୋଟିଏ ଅଧିକ ବନ୍ଦାପନା ହୋଇଥାଏ ।

ଏହି ବିଶେଷ ନୀତି ପାଳନ କରିବା ପାଇଁ ମଧ୍ୟାହ୍ନ ଧୂପ ପରେ ମଦନମୋହନଙ୍କୁ ଦକ୍ଷିଣ ଘରୁ ମହାଜନେ ଆଣି ଭିତରେ ବିଜେ କରାଇଥାନ୍ତି। ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କୁ, ପତି ମହାପାତ୍ରେ ଦେବୀ ସୁଭଦ୍ରାଙ୍କୁ ଓ ମୁଦିରସ୍ତ ଶ୍ରୀବଳଭଦ୍ରଙ୍କୁ କର୍ପୁର ଆଳତି ଓ ବିଶେଷ ବନ୍ଦାପନା କରନ୍ତି। ଆଗାମୀ ଅଧ୍ୟାୟରେ ଏହାର ସମ୍ପୂର୍ଣ ବିବରଣୀ ଜାଣିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ସ୍ଵଭାବେ ଜୀବ ନିର୍ବିକାର
ଦୋଷ ଅଦୋଷ ନାହିଁ ତାର ।
ଆପଣା ହସ୍ତେ ଜିହ୍ୱା ଛେଦି
ତାର କେ ଅଛି ପ୍ରତିବାଦୀ ।
ଦେବତା ବଶେ ସର୍ବଭୁତେ
ଇନ୍ଦ୍ରିୟେ ଅଭେଦ ସ୍ବରୁପେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.