Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବେଣ୍ଟ ବା ଶିକାର ନୀତି ( ୨ )

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନାରେ ଆଲୋଚିତ ବିଷୟ ହେଉଛି ବେଣ୍ଟ ବା ଶିକାର ନୀତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ନୀତି ପାଳନର ଯେଉଁ ପଦ୍ଧତି ବର୍ଣ୍ଣିତ ହୋଇଛି। ତାହା ହେଲା, ପୂର୍ବବର୍ତ୍ତୀ ଅଧ୍ୟାୟରେ ବର୍ଣ୍ଣିତ ଦିନମାନଙ୍କରେ ଦକ୍ଷିଣୀ ଘରୁ ମହାଜନମାନେ ଦୋଳଗୋବିନ୍ଦ ଠାକୁରଙ୍କୁ ନେଇ ରତ୍ନସିଂହାସନରେ ବିଜେ କରାନ୍ତି। ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଲାଗି ହୋଇଥିବା ଗୋଟିଏ ଆଜ୍ଞାମାଳ ଆଣି ଦୋଳଗୋବିନ୍ଦଙ୍କୁ ଦିଅନ୍ତି। ଏହାପରେ ମହାଜନମାନେ ଦୋଳଗୋବିନ୍ଦଙ୍କୁ ନେଇ ବଟଦ୍ୱାର ନିକଟରେ ରହିଥିବା ସଜ୍ଜିତ ପାଲିଙ୍କିରେ ବିଜେ କରାନ୍ତି। ଏହିଠାରୁ ଘଣ୍ଟ, ଛତା, କାହାଳି ସହ ଆଡମ୍ବରରେ ବିମାନବଡୁମାନେ ଜଗନ୍ନାଥ ବଲ୍ଳଭ ମଠକୁ ଯାଆନ୍ତି। ସେଠାରେ ପ୍ରଥମେ ଶୀତଳ ଭୋଗ ହୋଇଥାଏ। ଶୀତଳ ଭୋଗ ପରେ ଭିତରଛ ମହାପାତ୍ର ଯଥାରୀତି ଆଳତି ଓ ବନ୍ଦାପନା କରନ୍ତି। ଏହାପରେ ମଠ ପରିସରରେ ଥିବା ବେଣ୍ଟ ପୋଖରୀକୁ ମହାଜନମାନେ ଦୋଳଗୋବିନ୍ଦଙ୍କୁ ନେଇଥାନ୍ତି। ସେହି ବେଣ୍ଟ ପୋଖରୀ ନିକଟରେ ଭିତରଛ ମହାପାତ୍ର କାଣ୍ଡ ହେଙ୍ଗୁଡ଼ (ପାଞ୍ଚଟି ଲୁହାଶର ) ମହାପ୍ରଭୁଙ୍କ ପ୍ରତିନିଧି ସ୍ୱରୂପ ଠାକୁରଙ୍କ ଶ୍ରୀହସ୍ତ ଛୁଆଁଇ ଲେଙ୍କା ସେବକଙ୍କୁ ଦେଇଥାନ୍ତି। ଏଠାରେ ଲେଙ୍କା ସେବକ ଶିକାରୀ ସାଜି, ସେହି ପୋଖରୀ ତୁଠରେ ରଖାଯାଇଥିବା ପାଞ୍ଚ ଗୋଟି ପଇଡ଼, ଯାହାକି ଶିକାର ଭାବେ (ପାଞ୍ଚ ଗୋଟି ମୃଗ ର ପ୍ରତୀକ ଭାବେ )ରଖାଯାଇଥାଏ। ତାହାକୁ ଲେଙ୍କା ସେବକ ଶର ବିଦ୍ଧ କରିଥାନ୍ତି ।

ଆମେ ଆଗରୁ ମଧ୍ଯ ଜାଣିଛେ ଲାଖ ବିନ୍ଧା କଥା। ଏଠାରେ ମଧ୍ୟ ସେହିପରି ଲାଖ ବିନ୍ଧି ଲେଙ୍କା ସେବକ ଠାକୁରଙ୍କୁ ପ୍ରଣତି ଜଣlନ୍ତି। ଠାକୁରଙ୍କ ବେଣ୍ଟ ନୀତି ବା ଶିକାର ନୀତି ସମ୍ପୂର୍ଣ ଅହିଂସ ଭାବେ ଶେଷ ହୁଏ ଓ ଦୋଳଗୋବିନ୍ଦ ଠାକୁର ବିମାନବଡୁଙ୍କ ଦ୍ୱାରା ପାଲିଙ୍କିରେ ବାହୁଡା଼ ବିଜେ କରନ୍ତି। ଶ୍ରୀମନ୍ଦିର ପହଞ୍ଚିବା ପରେ, ଦୋଳଗୋବିନ୍ଦଙ୍କୁ ପୁଣି ଦକ୍ଷିଣୀ ଘରକୁ ନିଆଯାଏ। ଉକ୍ତ ଦିନର ବେଣ୍ଟ ନୀତି ଶେଷ ହୁଏ। ଏହି ନୀତି ସହ ସମ୍ପୃକ୍ତ ସେବକମାନେ ହେଲେ, ମହାଜନ, ପୂଜାପଣ୍ଡା, ହୋମ ପାଳିଆ, ଗରାବଡୁ, ବିମାନବଡୁ, ଘଣ୍ଟୁଆ, ଛତlର, କାହାଳିଆ, ଭିତରଛ ମହାପାତ୍ର ଓ ଲେଙ୍କା ସେବକ। ଆଗାମୀ ଅଧ୍ୟାୟରେ ଜାଣିବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ନୀତି। ଏବେ କିନ୍ତୁ ନିୟମିତ ସମୟ ଆରାଧନା ଓ ଭାଗବତ ପଠନ ।

ତୁ ଯେବେ ମନ ମୋର ଦେହେl
ଧରି ନପାରୁ ମାୟା ମୋହେ ।
ତେବେ ସକଳ କର୍ମ ମୋତେ
ସମର୍ପି ରହ ଦୃଢ଼ଚିତ୍ତେ ।
ସକଳ କର୍ମ ଏ ଜଗତେ
ଭାବେ କହିଲି ମୁହିଁ ତୋତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.