ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଆମେ ଜାଣିବା ଅଶୌଚ ବା ଦୁର୍ଘଟଣା ଜନିତ ବିଶେଷ ନୀତି ବିଷୟରେ। ପ୍ରଥମେ ଜାଣିବା ଅଶୌଚ କେତେବେଳେ ଶ୍ରୀମନ୍ଦିର ମଧ୍ୟରେ ହୋଇଥାଏ। ମୁଖ୍ୟତଃ ଶ୍ରୀମନ୍ଦିର ହତା ମଧ୍ୟରେ କୁକୁର ପ୍ରବେଶକୁ ଅଶୌଚ ଭାବେ ପରିଗଣିତ ହୋଇଥାଏ। ଦ୍ଵିତୀୟରେ ଯଦି କୌଣସି କାରଣରୁ ଶ୍ରୀମନ୍ଦିର ହତା ମଧ୍ଯରେ ପଶୁ ପକ୍ଷୀ /ମଣିଷ ଅସ୍ଥି ପଡିବା ଦେଖାଯାଏ।ସର୍ବୋପରି ଶବ ପଡିବା ଦେଖାଯାଏ ତେବେ ଏହା ଅଶୌଚ ରୂପେ ବିବେଚନା କରି ସଙ୍ଗେ ସଙ୍ଗେ ଦେବନୀତି ବନ୍ଦ ହୋଇଥାଏ ଏବଂ ଏହି ଦେବ ନୀତିରେ ବ୍ୟବହୃତ ଉପକରଣ ମାନ ବାହାରକୁ ବାହାର କାରାଯାଏ। ଏହା ପରେ ପରେ ଶବ ବା ଅସ୍ଥି ଉଠାଇ ଠାକୁରମାନଙ୍କ ମହାସ୍ନାନର ବ୍ୟବସ୍ଥା ହୋଇଥାଏ।
ପ୍ରଥମେ ଜୟ ବିଜୟ ଦ୍ୱାରଠାରୁ ଭିତର ପୋଖରୀଆ ପର୍ଯ୍ୟନ୍ତ ଭଲ ଭାବେ ଧୁଆ ହୋଇ ଚୂନ ପାଣି ପଡିଥାଏ। ପାଳିଆ ମେକାପ ରତ୍ନସିଂହାସନ ରେ ପୋଛା ମlରିଥାଏ । ଏହାପରେ ସିଂହାସନ ତଳେ ପୂଜା ଠା ହୋଇ ମହାସ୍ନାନ ହୋଇଥାଏ। ସେପଟେ ମହାସ୍ନାନ ପୂର୍ବରୁ ରୋଷରେ ସମ୍ପୂର୍ଣ୍ଣ ଧୋପଖାଳ ହୋଇଥାଏ। ରୋଷରେ ଥିବା ସମସ୍ତ ଭୋଗ, ପାଣି ପଶିଥିବା ସମସ୍ତ ରୋଷ ପଦାର୍ଥ, କଟା ବଟା ହୋଇଥିବା ପଦାର୍ଥ ପାଣିହାଣ୍ଡି, ଶିକା ବାଉଁଶ ଇତ୍ୟାଦି ମଧ୍ଯ ବାହାର କରିଦିଆଯାଏ। ପୁନର୍ବାର ରୋଷ ହୋମ ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଥାଏ। ରୋଷ ପ୍ରକ୍ରିୟା ସୁଚାରୁ ରୂପେ ଚାଲିବା ପରେ, ପୁନଶ୍ଚ ଦେବ ନୀତି ଆରମ୍ଭ ହୋଇଥାଏ, ଏହି ଦେବ ନୀତି ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ହୋଇଥାଏ। ଯଥା:- ଯେଉଁ ନୀତି ସମୟରେ ଅଶୌଚ ଦୃଷ୍ଟି ଗୋଚର ହୋଇଥାଏ ଠିକ ସେହି ନୀତିଠାରୁ ପୁଣି ନୀତିକାନ୍ତି ଆରମ୍ଭ ହୋଇଥାଏ ଓ ଗୋଟିଏ ପରେ ଗୋଟିଏ ନୀତି କ୍ରମlନ୍ୱୟରେ ପୁଣି ଆଗେଇ ଚାଲେ। ଏହି ଅଶୌଚ ସମୟରେ ବାହାର କରାଯାଇଥିବା ସମସ୍ତ ରନ୍ଧା ଭୋଗ, ପାଣିରେ ପଡ଼ିଥିବା ପଦାର୍ଥ କଟା ବଟା ପଦାର୍ଥ ସବୁ ନଷ୍ଟ କରିଦିଆଯାଏ। ଆଗାମୀ ଅଧ୍ୟାୟରେ ଦୁର୍ଘଟଣା ଜନିତ ବିଶେଷ ନୀତି କଥା ଆଲୋଚନା କରିବା ଏବେ ସମୟ ଆରାଧନା ଓ ଭାଗବତ ପଠନ ର, ଠିକ ସବୁଦିନ ପରି।
ଏ ଜୀବ ବହେ ଅହଂକାର
ବୋଲଇ ଏ ଦେହ ମୋହର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.