Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଶୌଚ ବା ଦୁର୍ଘଟଣା ନୀତି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ବେଳେ ଆମେ ଅଶୌଚ ଜନିତ ସମସ୍ତ ନୀତି ନିୟମ ପାଳନର ବ୍ୟାଖ୍ୟା କଲେ । ଆଜି ଜାଣିବା ମୁଖ୍ୟତଃ କେଉଁ ପରିସ୍ଥିତିରେ ଶ୍ରୀଜୀଉମାନଙ୍କ ଏହି ଦୁର୍ଘଟଣା ଜନିତ ରୀତିନୀତି ହୋଇଥାଏ । ପ୍ରଥମେ ଜାଣିବା ଏହି ଦୁର୍ଘଟଣା ଗୁଡିକ କଣ ।

ଭିତରକାଠ ପାଖରୁ ସିଂହାସନ ପପର୍ଯ୍ୟନ୍ତ ସ୍ଥାନରେ ଯଦି କେହି ମଳ ତ୍ୟାଗ କରେ କିମ୍ବା ପରିସ୍ରା କରିଦିଏ । ଏପରିକି ପାଟିର ଛେପ ପକାଇଦିଏ ତା’ହାଲେ ଏହାକୁ ଦୁର୍ଘଟଣା ବୋଲି ବିବେଚନା କରି ନୀତି ପାଳିତ ହୁଏ । ଦର୍ଶନ ସମୟରେ ଯଦି କେହି ହାତ ବଢ଼ାଇ ଶ୍ରୀଜୀଉମାନଙ୍କୁ ଛୁଇଁଦିଏ । ତେବେ ମଧ୍ଯ ମହାସ୍ନାନ ହୋଇଥାଏ କିନ୍ତୁ ଏହା ଦୁର୍ଘଟଣା ବୋଲି ସମ୍ପୂର୍ଣ୍ଣ ବିବେଚନା ନକରି ସେହି ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରି ମହାସ୍ନାନର ସମସ୍ତ ଖର୍ଚ୍ଚ ସେହି ବ୍ୟକ୍ତିଙ୍କଠାରୁ ଆଦାୟ ହୋଇଥାଏ । ମନ୍ଦିର ଭିତରକୁ ପରମ୍ପରା ଅନୁସାରେ ବିଧର୍ମୀ, ପଙ୍ଗୁ, କୁଷ୍ଠ ରୋଗୀ ଇତ୍ୟାଦିଙ୍କ ପ୍ରବେଶ ବାରଣ ହୋଇଛି । କେହି ଗଲେ ପୁଣି ମହାସ୍ନାନ ବିଧି ହୋଇଥାଏ । କେହି ବ୍ୟକ୍ତି ଜୋତା ମୋଜା ସହ ପ୍ରବେଶ କରନ୍ତି, ପୁଣି କେହି ବ୍ୟକ୍ତି ମୋବାଇଲ, ଚମଡା ଅଣ୍ଟାଫିତା, ଟଙ୍କା ବଟୁଆ, ଆଦି କିଛି ପଦାର୍ଥ ନିଷିଦ୍ଧ ହୋଇଥାଏ । ତେଣୁ ଏଠି ମଧ୍ଯ ମହାସ୍ନାନ ହୋଇଥାଏ ।

ବିଶେଷତଃ ଭୋଗ ପୂଜ ଚାଲୁଥିଲା ବେଳେ ଉପରୋକ୍ତ ଦୁର୍ଘଟଣା ଘଟିଲେ ଅମୂଣିଆ ପରିଛା/ ଭିତରଛ ମହାପାତ୍ର କହିବା ପରେ ପୂଜାପଣ୍ଡାମାନେ ପୂଜାରୁ ଉଠି ଆସନ୍ତି । ସୁଧ ସୁଆର ମାରା ହୋଇଥିବା ଭୋଗମାନ ବାହାର କରି ଆଣି ବେହରଣ ଜାଗାରେ ରଖିବେ ପରେ ସବୁ ଆଡ଼ ଧୋପଖାଳ କରି ଶ୍ରୀଜୀଉ ମାନଙ୍କ ମହାସ୍ନାନ କରନ୍ତି । ଏହି ସମୟରେ ମଧ୍ଯ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କ ମହାସ୍ନାନ ହୋଇଥାଏ । ଏହି ମହାସ୍ନାନର ସମସ୍ତ ଖର୍ଚ୍ଚ ପ୍ରଶାସନ (ମନ୍ଦିର କତୃପକ୍ଷ )ବହନ କରିଥାନ୍ତି । ମାରା ହୋଇଥିବା ସମସ୍ତ ଭୋଗ ମନ୍ଦିର କତ୍ତୃପକ୍ଷ ନେଇ ବାହାରେ ପୋତାଇ ଦିଅନ୍ତି । ପରେ ପରେ ଅନ୍ୟ ସମସ୍ତ ନୀତି ଅଶୌଚ ନୀତି ପରି ହୋଇଥାଏ । ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀଜୀଉ ମାନଙ୍କ ବନକ ଲାଗି ନୀତି ବିଷୟରେ । ଏବେ କରିବା ଆରାଧନା ଓ ଭାଗବତ ପଠନ ।

ସେ ଏକ ରୂପ ଭଗବାନ
ତା ତହୁଁ ସୃଷ୍ଟି ନୋହେ ଭିନ୍ନ ।
ସୂତ୍ରେ ପାଷାଣ ଗୁନ୍ଥି ଯେହ୍ନେ
ସୂତ୍ରେ ବସନ ଅନୁମାନେ ।
ଏ ରୂପେ ଜଗତ ଗ୍ରନ୍ଥନ
ଅନ୍ତର ବାହ୍ୟେ ଭଗବାନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Leave A Reply

Your email address will not be published.