ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ନୀତି ଯଥା ଦୈନିକ ନୀତି ବା ନିତ୍ୟ -ବିଧି ଓ ବିଶେଷ ନୀତି ବା ନୈମିତିକ-ବିଧି ବିଷୟରେ ଆଲୋଚନା କଲେ । ବର୍ତ୍ତମାନ ଆଲୋଚନା କରିବା ବିଶେଷ ନୀତି ତଥା ଶୀତ ଦିନର ନୀତି “ଘୋଡ ଲାଗି ନୀତି ବିଷୟରେ। ଏହି ନୀତି ଓଢଣ ଷଷ୍ଠୀଠାରୁ ଅର୍ଥାତ ମାର୍ଗଶିର ଶୁକ୍ଳ ଷଷ୍ଠୀଠାରୁ ବସନ୍ତପଞ୍ଚମୀ ଅର୍ଥାତ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଘୋଡ ଲାଗି ବା ଶୀତ ବସ୍ତ୍ର ଲାଗି ହୁଅନ୍ତି। ଏହି ଶୀତ ବସ୍ତ୍ର ସ୍ୱତନ୍ତ୍ର ଭାବରେ ଦରଜୀ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ।
ଏହା ସାଧାରଣତଃ ମଖମଲ ଓ ସୁତା କପଡାରେ ହୋଇଥାଏ। ଏହା ମଧ୍ୟ୍ୟ ଦୁଇପ୍ରକାର ଯଥା ପୂର୍ଣ୍ଣ ଘୋଡ ଓ ଜାମାଘୋଡ। ଓଢଣଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପୂର୍ଣ୍ଣ ଘୋଡ, ଏହା ପରେ ବସନ୍ତପଞ୍ଚମୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ଜାମା ଘୋଡ ଲାଗି ହୁଅନ୍ତି। ଆଗରୁ ବିଭିନ୍ନ ଓଷା ବା ପର୍ବ ପର୍ବାଣୀ ବର୍ଣ୍ଣନା ବେଳେ ଏହାର ସମ୍ପୂର୍ଣ ବିବରଣୀ ପ୍ରଦାନ କରାଯାଇଛି ।
ତେଣୁ ବର୍ତ୍ତମାନ କେବଳ ବାର ଅନୁସାରେ ଘୋଡ ଗୁଡିକର ରଙ୍ଗ କଣ ହୋଇଥାଏ ତାହା ପ୍ରଦାନ କରୁଛି ।
ରବିବାର :-ଲାଲରଙ୍ଗର ଘୋଡ
ସୋମବାର :-କଳାଛିଟ ମିଶା ଶୁକ୍ଳ
ମଙ୍ଗଳବାର :-ବାର ପଟିଆ ପାଞ୍ଚ ରଙ୍ଗ ମିଶା ଘୋଡ
ବୁଧବାର :-ନୀଳରଙ୍ଗ ର ଘୋଡ
ଗୁରୁବାର :- ବସନ୍ତ ରଙ୍ଗର ଘୋଡ
ଶୁକ୍ରବାର :- ଶୁକ୍ଳ ରଙ୍ଗର ଘୋଡ଼
ଶନିବାର :-କଳା ରଙ୍ଗର ଘୋଡ
ଶ୍ରୀଜୀଉମାନଙ୍କ ବସ୍ତ୍ର ସିଂହାର ମଧ୍ଯ ଏହି କ୍ରମରେ ହୋଇଥାଏ। ଘୋଡ ଲାଗିରେ ପୂଜାପଣ୍ଡାମାନେ ମଧ୍ୟାହ୍ନ ଧୂପ ଛଡା ଅନ୍ୟ ଧୂପ ମାନଙ୍କରେ ସିଂହାସନରେ ନବସି ତଳେ ବସି ପୂଜା କରିଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଠାକୁରମାନଙ୍କ ଉପାସନା ବିଧି ବିଷୟରେ। ଏବେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।
ଯେବେ ସକଳ ଭୁତେ ଏକେ
ମୁଁ ବସିଥିଲା ପ୍ରାୟ ଦେଖେ ।
କାମ ନ ରହେ ତାର ଦେହେ
ସଂସାରୁ ତରେ ଏ ଉପାୟେ ।
ସଂଶୟ ଗ୍ରନ୍ଥି ତାର ହୃଦେ
ମୁହିଁ ଛେଦଇ ଅପ୍ରମାଦେ ।
ଜୟ ଜଗନ୍ନାଥ (ଦ, ତ୍ରି. ଉବାଚ )
Comments are closed.