ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀମହାପ୍ରସାଦଙ୍କ ମହିମା ବା ମାହାତ୍ମ୍ୟ ବର୍ଣ୍ଣନା କରୁଥିଲେ ସରିବନି କାରଣ ସ୍ୱୟଂ ଶ୍ରୀଜଗନ୍ନାଥ ମଧ୍ଯ ଏହି ଅନ୍ନବ୍ରହ୍ମଙ୍କ ମହନୀୟତାକୁ ସ୍ୱୀକାର କରିଛନ୍ତି ଯାହା ଆମେ ପୂର୍ବରୁ ଆଲୋଚନା କରିଛେ। ତେଣୁ ଆଜି ଆମେ ଜାଣିବା ଶ୍ରୀଜୀଉମାନଙ୍କୁ ଅର୍ପିତ ହେଉଥିବା ପ୍ରସାଦ କିପରି ଦୁର୍ଲ୍ଲଭ ଶ୍ରୀମହାପ୍ରସାଦ ରେ ରୂପାନ୍ତର ହୋଇଥାଏ। ସାଧାରଣତଃ ଲୋକ ମୁଖରେ ଶୁଣିବାକୁ ମିଳେ ଯେ ଶ୍ରୀଜୀଉ ମାନଙ୍କୁ ପ୍ରସାଦ ସମର୍ପଣ ହୋଇସାରିବା ପରେ ମା ବିମଳାଙ୍କ ପାଖରେ ପୁନଃ ସମର୍ପିତ ହେଲେ ତାହା ମହାପ୍ରସାଦ ପାଲଟିଯାଏ। ଏହା ଆମ ମନର ଏକ ଆବେଗ ଜନିତ ଭାବରୁ ସୄଷ୍ଟ ଧାରଣାଟିଏ ମାତ୍ର, ତେବେ “ଶ୍ରୀମହାପ୍ରସାଦ ” ପାଲଟିବାର ପ୍ରକୃତ ରହସ୍ୟ କଣ?
ଏହା ଏକ ପରମ ପାବନ ଓ ଅଧ୍ୟାତ୍ମିକ ପ୍ରକ୍ରିୟା ଯଥା ପ୍ରସ୍ତୁତ ହେଉଥିବା ପ୍ରସାଦଙ୍କୁ ଷଡ଼ଙ୍ଗ ସଂସ୍କାର ଦ୍ୱାରା ଏହି ଅନ୍ନ ପ୍ରସାଦ ମଧ୍ୟରେ ଥିବା କେବଳ ଅନ୍ନତ୍ବର ପରିସମାପ୍ତି ଘଟାଇ ସେଥିରେ ଦିବ୍ୟ ବ୍ରହ୍ମତ୍ୱର ପରିପ୍ରକାଶ କରିବା ହିଁ ଶ୍ରୀମହାପ୍ରସାଦର ଜନ୍ମଜାତକ ପାଲଟେ। ତେବେ ଏହି ଷଡ଼ଙ୍ଗ ସଂସ୍କାର କଣ ଆସନ୍ତୁ ଜାଣିବା ।
୧ . ପ୍ରଥମ ସଂସ୍କାର ହେଲା ପ୍ରତିଦିନ ରୋଷ ହୋମ ଦ୍ୱାରା ବୈଷ୍ଣବାଗ୍ନି ପ୍ରଜ୍ବଳିତ କରି ସେଥିରେ ପାକ କରିବା ।
୨ . ପ୍ରସ୍ତୁତ ପ୍ରସାଦକୁ ଶ୍ରୀଯନ୍ତ୍ର ଉପରେ ଠାଆ ମୁରୁଜ କରି ଭୋଗ ପାଇଁ ବଢ଼ା ଯାଇଥାଏ ବା ପରିବେଷଣ କାରାଯାଏ ।
୩. ଏହି ପରିବେଷିତ ପ୍ରସାଦକୁ ପୂଜାପଣ୍ଡାଙ୍କ ଦ୍ୱାରା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ରରେ ନିବେଦନ କରିବା ।
୪ .ଅଷ୍ଟ ସତ୍ଵିକ ବୈଷ୍ଣବ ଙ୍କୁ ଅବଶେଷlନ୍ନ ବଳି ପ୍ରଦାନ କରିବା।
୫ .ପୁନଃ ଶ୍ରୀଭୈରବ ଯନ୍ତ୍ର ଉପରେ ସ୍ଥାପନ ପୂର୍ବକ ସର୍ବ ପାର୍ଶ୍ଵ ଦେବା ଦେବୀଙ୍କୁ ସମର୍ପଣ କରିବା ।
୬ . ଶେଷରେ କ୍ଷେତ୍ରେଶ୍ୱରୀ ମା ବିମଳାଙ୍କୁ ସମର୍ପିତ ହେବା ହିଁ ଷଡ଼ଙ୍ଗସଂସ୍କାର ।
ଏହି ସଂସ୍କାର ପରେ ଶ୍ରୀମହାପ୍ରସାଦ ଦିବ୍ୟ ବ୍ରହ୍ମତ୍ବ ପ୍ରାପ୍ତ ହୋଇଥାଏ, ଆଗାମୀ ଅଧ୍ୟାୟ ମାନଙ୍କରେ ଏହି ମହାପ୍ରସାଦ ସେବନ କରି ବିଭିନ୍ନ ମହାତ୍ମା ମାନେ କି ଅନୁଭୂତି ପାଇଛନ୍ତି ତାହା ଜାଣିବା ଏବେ କହିବି ପଦ୍ମ ପୁରାଣରେ ବର୍ଣ୍ଣିତ କଥାଟିଏ ଯଥା ।
“ପବିତ୍ର ଭୂମି ସର୍ବତ୍ର ଯଥା ଗଙ୍ଗାଜଳମ ଦ୍ଵିଜ, ତଥା ପବିତ୍ରମ ସର୍ବତ୍ର ତଦନଂ ପାପନାଶନମ “ଅର୍ଥାତ ଏହି ଜଗତରେ ଗଙ୍ଗାଜଳ ଯେପରି ସର୍ବତ୍ର ପବିତ୍ର ପ୍ରତିପାଦିତ ହୁଏ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମହାପ୍ରସାଦ ମଧ୍ଯ ତଦନୁରୂପ ପବିତ୍ର ଅଟେ। ଆସନ୍ତୁ ତେବେ ସେହି ପବିତ୍ରତା ସହ କରିବା ଆରାଧନା ଓ ଭାଗବତ ପଠନ ଠିକ ସବୁଦିନ ପରି ।
କାଳର ବଶ ଏ ଜଗତ
ପ୍ରାଣୀଏ କାଳର ଆୟତ୍ତ ।
ସେ କାଳ ବଶେ ସର୍ବେ ଚଳି
ପବନେ ଯେହ୍ନେ ଘନାବଳି ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.