ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶବ୍ଦଗଠନ ସୂତ୍ରାବଳି
ମନରେ ରଖିଲେ ସଂଭାଳି
ଶିକ୍ଷାର୍ଥୀ ସହିତ ଶିକ୍ଷକ
ହୁଅଂତି ଜ୍ଞାନ ଉପାସକ
ଆକାଶ, ପ୍ରକାଶ, ବିକାଶ
‘ କାଶ ‘ ହିଁ ଶବ୍ଦର ଶେଷାଂଶ
ଉତ୍କଟ, ପ୍ରକଟ, ବିକଟ
‘ କଟ ‘ ହିଁ ଉତ୍, ପ୍ର, ବି ନିକଟ
ଏହା ତ ସ୍ପଷ୍ଟ ପଡ଼େ ଜଣା
କିପାଇଁ ହେଉଁ ବାଟବଣା
ଶବ୍ଦଂକୁ କଲେ ସୂତ୍ରାଧୀନ
ଆପେ ବଢ଼ିବ ଭାଷା ଜ୍ଞାନ
ଏପରି ସୂତ୍ର ଥିଲେ ସୁଦ୍ଧା
କାହିଁକି ହେଉନି ସୁବିଧା
ଏବେ ଥରେ ବିଚାର କରୁଁ
ଶବ୍ଦଗଠନ ଧାରା ଧରୁଁ
କରି ଅଳପ ପରିଶ୍ରମ
ମନରୁ ପୋଛି ସବୁ ଭ୍ରମ
ସୂତ୍ରକୁ କରିଲେ ସ୍ବାଗତ
ଘଟିବ ସ୍ବଭାଷାର ହିତ
ମନେ ରଖିବା ଭଳି କାମ
କେବେ ବି ନୁହେ ସର୍ବୋତ୍ତମ
ମନରେ କରିବା ଗଠନ
ଆମ ଭାଷାର ଶବ୍ଦମାନ
ଆଦର୍ଶ ପ୍ରଶ୍ନ ଓ ଉତ୍ତର
କେବେ ନ ଥିଲା ଦରକାର
‘ ସ୍ମୃତି ‘କୁ ଦେଇ ବେଶି ଧ୍ୟାନ
କିଛି ବି କରିନୁ ସର୍ଜନ
ଯେଉଁ ଯୁଗ ଗଲାଣି ସରି
ତାକୁ ଏବେ ଜାବୁଡ଼ି ଧରି
ହୋଇଛୁଁ ଅତୀତ-ଆସକ୍ତ
ତେଣୁ ଏ ଭାଷା ଅନାଦୃତ