Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପାଳବଲ୍ଳଭ ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ସହ ଏହାର ବିଭିନ୍ନ ତତ୍ତ୍ୱ ଉପରେ ଆଲୋଚନା ପ୍ରସଙ୍ଗରେ ଆମେ ରାଜ ଭୋଗ ବା କୋଠ ଭୋଗ ବିଷୟରେ କିଛି ତଥ୍ୟ ଜାଣିଲେ। ପୂର୍ବକାଳରେ ରାଜା ମହାରାଜ, ମହାଜନ, ଧନୀ ବ୍ୟକ୍ତି ବିଶେଷଙ୍କ ପୃଷ୍ଟପୋଷକତାରେ ଏହି ରାଜଭୋଗର ପ୍ରକାର ଓ ପରିମାଣରେ ଅନେକ ବୃଦ୍ଧି ଘଟିଥିଲା କିନ୍ତୁ କାଳକ୍ରମେ ରାଜଭୋଗ ବା କୋଠ ଭୋଗର ପରିମାଣ ଓ ପ୍ରକାରରେ ହ୍ରାସ ଘଟିଥିଲେ ମଧ୍ଯ ବର୍ତ୍ତମାନ ସମୟରେ ବି ପ୍ରାୟ ଷାଠିଏ ପ୍ରକାରର ଭୋଗ ପ୍ରତ୍ୟହ ଠାକୁରମାନଙ୍କୁ ଅର୍ପିତ ହେଉଛି। ଏହି ଶଙ୍ଖୁଡି ଓ ନିଶଙ୍ଖୁଡି ଭୋଗ ଗୁଡିକ ପ୍ରସ୍ତୁତ କରିବା ପାଇଁ ବଂଶାନୁକ୍ରମିକ ଭାବେ ସୁପକାର ଓ ମହାସୁଆରମାନେ ନିଯୁକ୍ତ ଅଛନ୍ତି। ବିଶେଷତଃ ବଡୁ ସୁଆର ଗୋଷ୍ଠୀର ସୁପକାରମାନେ ଶ୍ରୀମନ୍ଦିରର ଦୈନିକ ରାଜଭୋଗ ରୋଷଶାଳରେ ଥିବା କୋଠ ଭୋଗ ଚୁଲିରେ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଦିନ ଗୋପାଳ ବଲ୍ଳଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଧୂପରେ ପ୍ରାୟ ଷାଠିଏ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଅବଶ୍ୟ ରାଜଭୋଗ ଅନ୍ତର୍ଭୁକ୍ତ ଗୋପାଳବଲ୍ଳଭ ଭୋଗ ସାମଗ୍ରୀ କୋଠ ଭୋଗ ଚୁଲିରେ ପ୍ରସ୍ତୁତ ନହୋଇ ତାହା ବଲ୍ଳଭ ଗୁଡ଼ିଆସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିସରରେ ଥିବା ବଲ୍ଳଭ ଭୋଗ ଗୃହରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପ୍ରତିଦିନ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ବଲ୍ଳଭ ଗୁଡ଼ିଆ ସେବକଙ୍କୁ ଦୁଇ କିଲୋ ଲିଆ, ବାରଗୋଟି ନଡ଼ିଆ, ଗୁଡ଼, ଚିନି, ଅଳେଇଚ ଇତ୍ୟାଦି ଯୋଗାଇ ଦିଆଯାଏ। ଅନ୍ୟାନ୍ୟ ଧୂପ ପାଇଁ କୋଠ ଭୋଗ ଗୋଦାମରୁ ଚାଉଳ, ଚୁନା ଚାଉଳ, ମୁଗ, ବିରି, ଅଟା, ସୁଜି ବେସନ, ହରଡ଼ଡାଲି, ଗୁଆଘିଅ, ଗୁଡ଼, ଖଣ୍ଡ ସର୍କରା , ଜିରା,ଲୁଣ ଗୋଲମରିଚ, ହଳଦୀଗୁଣ୍ଡ ମଧୁରୀ, ଡାଲଚିନି, ଲବଙ୍ଗ, ହେଙ୍ଗୁ, ଜାଇଫଳ, ଅଳେଇଚ ଇତ୍ୟାଦି ସାମଗ୍ରୀ ସହ ପରିବାରେ ଦେଶିଆଳୁ, କଦଳୀ, କlଙ୍କଣ, କଖାରୁ, ବାଇଗଣ, ଦେଶୀ ପୋଟଳ, ଅଦା, କୋଶଳା ଶାଗ ଇତ୍ୟାଦି ପଦାର୍ଥ କୋଠ ଭୋଗ ପ୍ରସ୍ତୁତି ନିମିତ୍ତ ସ୍ୱତନ୍ତ୍ର ଯୋଗାଣିଆ ସେବକମାନଙ୍କ ଦ୍ୱାରା ରୋଷଶାଳକୁ ପଠାଯାଇଥାଏ। ଦୈନିକ ଆବଶ୍ୟକ ମୁତାବକ ଜାଳେଣି କାଠ ମଧ୍ଯ ପଠାଇ ଦିଆଯାଏ। ଏହି ସବୁ ଭୋଗ ପଦାର୍ଥ ରନ୍ଧନ ନିମନ୍ତେ ସ୍ୱତନ୍ତ୍ର ରୂପେ ନିର୍ମିତ୍ତ ମାଟି ପାତ୍ର ମାନ ବ୍ୟବହୃତ ହୋଇଥାଏ। ଯାହା ଇଷତ ଲାଲ ରଙ୍ଗର ଓ ବିଭିନ୍ନ ଆକାରର ହୋଇଥାଏ। ପ୍ରତ୍ୟେକ ଆକାରର ମାଟି ପାତ୍ରର ନାମ ମଧ୍ଯ ଅଲଗା ଅଲଗା ହୋଇଥାଏ। କୁମ୍ଭକାର ସେବକ ବା ହାଣ୍ଡି କୁଡୁଆ ଯୋଗାଣିଆ ସେବକମାନେ ଦୈନନ୍ଦିନ ଏହା କୋଠ ଭୋଗ ସୁପକାର ସେବକମାନଙ୍କୁ ଯୋଗାଇ ଦିଅନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଏହି ବ୍ୟବହାର ହେଉଥିବା ମାଟି ପାତ୍ର ଗୁଡିକର ନାମ ଓ ଦୈନିକ ପରିମାଣ ଏବେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

ଦଣ୍ଡିବା ଶକ୍ତି ଯାର ଥାଇ
ସେ ଯେବେ କ୍ଷମା ଆଚରଇ ।
ସାଧୁଙ୍କ ଶ୍ରେଷ୍ଠ ସେହୁ ନର
ସୁଖ ଦୁଃଖ ରୁ ସେ ବାହାର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.