Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗ ମଣୋହି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବିଷୟରେ ଆଲୋଚନା ଅବସରରେ ଆମେ ଜାଣିଲେ ଛପନ ଭୋଗ ସମ୍ୱନ୍ଧରେ। ବିଭିନ୍ନ ଐତିହାସିକ ଓ ଗବେଷକମାନେ ସେମାନଙ୍କ ପ୍ରବନ୍ଧ ମାଧ୍ୟମରେ ଏହି ଛପନ ଭୋଗର ତାଲିକା ଦେଇଛନ୍ତି। ସବୁ ତାଲିକା ଗୁଡିକ ସମାନ ନହେଲେ ବି ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ଖୁବ କମ। ଏହି ଛପନ ଭୋଗ ତାଲିକାରେ ଶ୍ରୀଜୀଉମାନଙ୍କ, ଗୋପାଳବଲ୍ଳଭ, ସକାଳ ଧୂପ, ମଧ୍ୟାନ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡସିଂହାର ଭୋଗ ତଥା ପର୍ବାଣୀ ଭୋଗ, ଭୋଗମଣ୍ଡପ ଭୋଗ, ପନ୍ତି ଭୋଗ ଓ ଶୁଖିଲି ଭୋଗରେ ଅର୍ପିତ ଭୋଗ ପଦାର୍ଥ ମାନ ରହିଅଛି । ଏଗୁଡିକ ସାଧାରଣତଃ ଶ୍ରୀମନ୍ଦିରର ବରିଷ୍ଠ ସୁପକାର, କୋଠ ଭୋଗ ସୁପକାର ଓ ବଲ୍ଳଭ ଗୁଡ଼ିଆମାନେ ପ୍ରସ୍ତୁତ କରିଥାନ୍ତି। ଶ୍ରୀମନ୍ଦିରର ବରିଷ୍ଠ ସେବକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରବନ୍ଧିକ ବୈଦ୍ୟନାଥ ଗୋଛିକାର ତାଙ୍କ ରଚିତ “ଜଗନ୍ନାଥ ସଂସ୍କୃତିର ଦିଗ ଓ ଦିଗନ୍ତ “ପୁସ୍ତକରେ ଏକ ଛପନ ଭୋଗର ବିଶେଷ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଭୋଗ ତାଲିକାଟି ଜାମ୍ମୁ କାଶ୍ମୀରର ତତ୍କାଳୀନ ରାଜା ହରି ସିଂହଙ୍କ ପୁରୀ ଗସ୍ତ ସମୟରେ ନିଜ କୌଳିକ ପଣ୍ଡାଙ୍କ ମାଧ୍ୟମରେ। ସେ ସମୟରେ ମୋଟ ଏକ ଲକ୍ଷ୍ୟ ବତିଶ ହଜାର ଟଙ୍କା ଦାନ କରି ଏକ ଛପନ ଭୋଗ ଆଟିକା ପ୍ରସ୍ତୁତ କରାଇଥିଲେ। ସେହି ସମୟରେ ଶ୍ରୀଜୀଉମାନଙ୍କୁ ଛପନ ଭୋଗ ମଣୋହି କରାଯାଇଥିବାର ଐତିହାସିକ ପ୍ରମାଣ ମିଳେ। ନିଜେ ରାଜା ହରି ସିଂହ ଏତେ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତି, ତାର ସୁଗନ୍ଧି ଓ ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଆଜକୁ ପ୍ରାୟ ୩୦ /୩୫ ବର୍ଷ ତଳେ ସେସମୟର ଶ୍ରୀମନ୍ଦିର ସହକାରୀ ପ୍ରଶାସକ ସହଦେଵ ପାତ୍ର ମଧ୍ଯ ନିଜ ବ୍ୟକ୍ତିଗତ ଉଦ୍ୟମରେ ବରିଷ୍ଠ ସୁପକାର ମାନଗୋବିନ୍ଦ ସାମନ୍ତରାଙ୍କ ତତ୍ୱାବଧାନ ରେ ଛପନ ଭୋଗ ମଣୋହି କରାଇଥିଲେ। ସେହି ଭୋଗରେ ମୁଖ୍ୟତଃ ଅନ୍ନ ବ୍ୟଞ୍ଜନ ଆଦି ଅନ୍ତର୍ଭୁକ୍ତ ଥିଲା, ଯଥା ଘିଅ ଅନ୍ନ ସାଧା ଅନ୍ନ, ମିଷ୍ଟlନ୍ନ, ମୁଗ ଖେଚୁଡ଼ି, କନିକା, ଏକ ଅନ୍ନି, ଅଦାହେଙ୍ଗୁ ଖେଚୁଡ଼ି, ବଗଡ଼ା ଅନ୍ନ, ମୁଗ ଡାଲି, ହରଡ଼ ଡାଲି, ବିରିଡାଲି, ଗୋଟା ସୋଲା, ଫାଳସୋଲା, ସାଧା ଡାଲମା, ମସଲା ଡାଲମା, ସନ୍ତୁଳା, ବେସର, ଶାଗ, ମହୁର, ପୋଟଳ ରସା, ମଧୁରୁଚି, ଦେଶିଆଳୁ ରସା, ଛେନା ତରକାରୀ, ଗୋଟି ବାଇଗଣ, କଦଳୀ ରସା, ଦହି ବାଇଗଣ, ଜହ୍ନି ରାଇ, ସପୁରି ଖଟା, ବଳିବାମନ ଗୋଟାମୁଗ ତରକାରୀ, ଅନ୍ନ ରସାବଳୀ, କ୍ଷୀରି, ଭଜା ଇତ୍ୟାଦି ଛପନ ପ୍ରକାର ଅନ୍ନ ବ୍ୟଞ୍ଜନ ଅନ୍ତର୍ଭୁକ୍ତ ଥିଲା। ତେଣୁ ଛପନ ଭୋଗର ଏକ ନିର୍ଦ୍ଧିଷ୍ଟ ତାଲିକା ଶ୍ରୀମନ୍ଦିରରେ ପ୍ରଚଳିତ ହୋଇନାହିଁ। ସେ ଯାହା ହେଉ ଏହି ଛପନ ଭୋଗ ମଣୋହି ଅତ୍ୟନ୍ତ ବ୍ୟୟ ବହୁଳ ଓ ସମୟ ସାପେକ୍ଷ ହୋଇଥିବାରୁ ସାଧାରଣ ଭକ୍ତଟିଏ ଏହା ମନାସି ନଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ବିଭିନ୍ନ ସମୟରେ ରାଜା ମହାରାଜା ତଥା ପୃଷ୍ଟପୋଷାକମାନଙ୍କ ଦ୍ୱାରା ପ୍ରଚଳିତ କିଛି ନୂଆ ନୂଆ ବ୍ୟଞ୍ଜନ ବିଷୟରେ। ବର୍ତ୍ତମାନ ସମୟ ହେଲା ଆରାଧନା ଓ ଭାଗବତ ପଠନର ।

କୃଷ୍ଣ ଚରଣେ ଯାର ମନ
ସଂସାରେ ଶ୍ରେଷ୍ଠ ସେହି ଜନ ।
ବାଳକ ବନ୍ଧୁ ପିତା ମାତା
ନୟନ ବନ୍ଧୁ ଲୋମ ପତା ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.