Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବାହାର ଦେଉଳି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିକଟରେ ଛପନ ଭୋଗ ଓ ପଣା ଭୋଗ ଇତ୍ୟାଦି ସମର୍ପଣ ହେଉଥିବା କଥା ଆମେ ଆଲୋଚନା ପ୍ରସଙ୍ଗରେ ଜାଣିଲେ। କିନ୍ତୁ ମନରେ ପ୍ରଶ୍ନ ଉଠେ ଶ୍ରୀମନ୍ଦିର ମଧ୍ୟରେ ଥିବା ମା ଲଷ୍ମୀ ତଥା ଅନ୍ୟ ପାର୍ଶ୍ଵ ଦେବତା ମାନଙ୍କୁ କେଉଁ ଭୋଗ ଲାଗେ? ଯଦି କିଛି ଅଲଗା ଭୋଗ ଲାଗେ ତେବେ ଏହା ତିଆରି ହୁଏ କେଉଁଠି? ଏସବୁ ପ୍ରଶ୍ନ ର ସରଳ ଉତ୍ତର ଜାଣିବା ପାଇଁ ଆମେ ଆଲୋଚନା କରିବା ଶ୍ରୀମନ୍ଦିରରେ ପ୍ରଚଳିତ “ବାହାର ଦେଉଳି ଭୋଗ ” ।

ପ୍ରଥମେ ଜାଣିବା ଶ୍ରୀଲଷ୍ମୀ ମନ୍ଦିର ଭୋଗ ବିଷୟରେ, ବାହାର ଦେଉଳି ଭୋଗର ବିଶେଷତ୍ୱ ହେଲା ଏହା ଶ୍ରୀମନ୍ଦିର ରୋଷଶାଳରେ ପ୍ରସ୍ତୁତ ନହୋଇ, ଏକ ସ୍ୱତନ୍ତ୍ର ପାକଶାଳରେ ପ୍ରସ୍ତୁତ ହୋଇଥାଏ। ମା ଲଷ୍ମୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ସ୍ୱତନ୍ତ୍ର ରୋଷରେ ତିନି ଗୋଟି ଚୁଲି ରହିଛି। ଏହି ଚୁଲିରେ ସୁପକାର ଗୋଷ୍ଠୀର ସେବକ ଯାହାଙ୍କୁ “ବାହାର ଦେଉଳି ସୁଆର “ନାମରେ ଅଭିହିତ କାରାଯାଏ, ସେମାନେ ସ୍ୱତନ୍ତ୍ର ଭାବରେ ମା ଲଷ୍ମୀଙ୍କ ପାଇଁ ଭୋଗ ପ୍ରସ୍ତୁତ କରନ୍ତି। ଶ୍ରୀମନ୍ଦିର ସତ୍ୱଲିପିରେ ଉଲ୍ଲେଖ ପ୍ରକାରେ ଅତୀତରେ କାକରା -୧୮ ଗଣ୍ଡା (ଛ ତାଡ଼ ), ମହନ ଭୋଗ -୬ ବଢ଼ା, ଲଡ଼ୁ -ତିନି ଗୋଟି, ମନୋହର -୨ ଗୋଟି, ଡାଳିମ୍ବ -୧୬ ମୂର୍ତ୍ତି, ପ୍ରସ୍ତୁତ ହେଉଥିଲା, ବର୍ତ୍ତମାନ କାକରା -୧ ତାଡ଼, ମାଣ୍ଡୁଅ -୪ ଗୋଟି, ମହନ ଭୋଗ -ମେଞ୍ଚାଏ ହେଉଅଛି। କିନ୍ତୁ ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ସଂଗୃହିତ ତଥ୍ୟ ପ୍ରକାରେ ଦୈନିକ ମା ଲଷ୍ମୀ ଭୋଗ ନିମନ୍ତେ କାକରା -୧୦୦ ଗୋଟି, ଖଳିରୁଟି -୧୨୦ ଗୋଟି, ଏବଂ ଲଡ଼ୁ -୪୮୦ ମୂର୍ତ୍ତି ପ୍ରସ୍ତୁତ ହେଉଛି। ଏହି ବାହାର ଦେଉଳି ଭୋଗ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ କୋଠ ଭୋଗ ଗୋଦାମରୁ ଆବଶକୀୟ ଅଟା, ଘିଅ, ଚିନି, ଜାଳେଣି କାଠ ଇତ୍ୟାଦି ବାହାର ଦେଉଳି ଯୋଗାଣିଆଙ୍କ ଦ୍ୱାରା ଯୋଗାଇ ଦିଆ ଯାଉଛି। ମା ଲଷ୍ମୀ ଙ୍କ ଭୋଗ ବ୍ୟତୀତ ଏହି ରୋଷରେ ପ୍ରସ୍ତୁତ ଭୋଗ (ଛୋଟ କାକରା, ମହନ ଭୋଗ, ଲଡ଼ୁ ଇତ୍ୟାଦି )ଦକ୍ଷିଣ ଘର ବିନେ ପ୍ରତିମା ଓ ମୁକ୍ତିମଣ୍ଡପ ସଂଲଗ୍ନ ଶ୍ରୀ ନୃସିଂହଙ୍କୁ ପୂଜାପଣ୍ଡା ସେବକମାନେ ନୈବେଦ୍ୟ ଅର୍ପଣ କରିଥାନ୍ତି। ତେଣୁ ଦୈନିକ କୋଠ ଭୋଗ ଗୋଦାମ ରୁ ଅଟା -୨୦ କିଗ୍ରା, ଘିଅ -୯ କିଲୋ, ଗୁଡ଼ -୭ କିଲୋ, ଓ ଜାଳେଣି କାଠ ୩୫ କିଲୋ ପ୍ରଦାନ କାରାଯାଏ। ସେହିପରି ଶ୍ରୀ ସୂର୍ଯ୍ୟମନ୍ଦିର ଭୋଗ ମଧ୍ଯ ଅଲଗା ପ୍ରସ୍ତୁତ ହୋଇଥାଏ। ସେ ଵିଷୟରେ ଜାଣିବା ଆଗାମୀ ଅଧ୍ୟାୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

ବାଳକେ ମୋର ବୋଲ କର
ବେଳହୁଁ ଗୋବିନ୍ଦ ସୁମର ।
ହରିଙ୍କି ଭଜ ଦୃଢ଼ ମନେ
କି ଦୁଃଖ କୃଷ୍ଣ ଉପାସନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.